କଂଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଂଟାବାଞ୍ଜି ସହରରେ ସୋମବାର ପୁଣି ଟଙ୍କା ଲୁଟ୍‌ ହୋଇଛି। ଦୁଇଜଣ ଲୁଟେରା ବାଇକ୍‌ରେ ଆସି ବିଦେଶୀ ମଦ ଦୋକାନ କର୍ମଚାରୀ ସୁନୀଲ ପ୍ରସାଦଙ୍କଠାରୁ ୨ ଲକ୍ଷ ୩୩ ହଜାର ୯ଶହ ଟଙ୍କା ଲୁଟି ନେଇଛନ୍ତି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁଲିସର ସୂଚନା ଅନୁସାରେ, ସ୍ଥାନୀୟ ଶାସ୍ତ୍ରୀ ଛକ ନିକଟ ବିଦେଶୀ ମଦ ଦୋକାନର କର୍ମଚାରୀ ଶ୍ରୀ ପ୍ରସାଦ ସୋମବାର ଦିନ ପ୍ରାୟ ୧୨ଟାରେ ଉକ୍ତ ଟଙ୍କା ଧରି ୪ ନମ୍ବର ରୋଡରେ ଥିବା ଷ୍ଟେଟ୍‌ବ୍ୟାଙ୍କ ସାନ୍ଧ୍ୟ ଶାଖାକୁ ଜମା କରିବା ପାଇଁ ଯାଉଥିଲେ।

Advertisment

ଦୋକାନରୁ ବାହାରିବା ପରେ ହିଁ ଦୁଇ ଲୁଟେରା ଏକ ଟିଭିଏସ୍ ଆପାଚି ବାଇକ୍‌ରେ ତାଙ୍କ ପିଛା କରିଥିଲେ। ବ୍ୟାଙ୍କ ସମ୍ମୁଖରେ ତାଙ୍କ ହାତରୁ ଟଙ୍କାବ୍ୟାଗ୍‌କୁ ଝାମ୍ପି ନେଇ ଫେରାର ହୋଇଯାଇଥିଲେ। ଏ ନେଇ ଶ୍ରୀ ପ୍ରସାଦ ଥାନାରେ ଅଭିଯୋଗ କରିଛନ୍ତି। ବିଭିନ୍ନ ଛକ ଓ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଉଛି ବୋଲି ଥାନା ଅଧିକାରୀ ରଶ୍ମିତା ବେହେରା କହିଛନ୍ତି। ସୂଚନାଯୋଗ୍ୟ ଯେ, ୨୦୧୯ ମସିହାରୁ ସହରର ଅନେକ ସ୍ଥାନରେ ବିଭିନ୍ନ ସମୟରେ ଏଭଳି ଲୁଟ୍ ହେଉଛି।