ସୁନ୍ଦରଗଡ଼: ଆଦିବାସୀବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ଆଉ ଏକ ଦୁର୍ନୀତି ଏବେ ସାମ୍ନାକୁ ଆସିଛି। ବିଧିବଦ୍ଧ ଟେଣ୍ଡର୍ ନଡାକି ଟେବୁଲ୍ଟେଣ୍ଡର୍ ଜରିଆରେ ଜଣେ ଠିକାଦାରଙ୍କୁ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର କାମ ଦିଆଯାଇଛି।
ଗ୍ରାମ୍ୟ ପାନୀୟ ଜଳଯୋଗାଣ କାମରେ ଏହିଭଳି ଅନିୟମିତତା ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ଏହି ପ୍ରକଳ୍ପ କାମ ପାଇଁ ଟେଣ୍ଡର୍ ଡକାଯାଇନାହିଁ। ‘ଟେବୁଲ୍ ଟେଣ୍ଡର’ ଜରିଆରେ ବିବେକ ଅଗ୍ରୱାଲ ନାମକ ଜଣେଠିକାଦାରଙ୍କୁ ୨ କୋଟି ୩୪ ଲକ୍ଷ ଟଙ୍କାର କାମ ଦିଆଯାଇଛି। ଚେୟାର୍,ଟେବୁଲ୍ରେ ବସି ବୁଝାମଣା ଭିତ୍ତିରେ ଠିକାକାମ ଯୋଗାଇବାକୁ ’ଟେବୁଲ୍ ଟେଣ୍ଡର୍’ ବୋଲି କୁହାଯାଇଛି।
ଏହି ଟେଣ୍ଡର୍ ପାଇଥିବା ଶ୍ରୀ ଅଗ୍ରୱାଲା ଠିକାଦାରୀର ଶ୍ରେଣୀ ବ୍ୟବସ୍ଥାରେ ତୃତୀୟ ଶ୍ରେଣୀ ସାଧାରଣବର୍ଗର କାମ କରିଥା’ନ୍ତି। ଜଣାପଡ଼ିଛି ଯେ ଅତି ଚତୁରତାର ସହ ୫ ଲକ୍ଷରୁ କମ୍ ଅଟକଳରେ ପ୍ରକଳ୍ପ ପ୍ରସ୍ତୁତ କରି ଠିକାଦାରଙ୍କୁ ୨୦୧୭-୧୮ରୁ ୨୦୨୧-୨୦୨୨ ମଧ୍ୟରେ ପ୍ରାୟ ୬୯ଟି ପ୍ରକଳ୍ପ କାମ ଯୋଗାଇ ଦିଆଯାଇଛି। କେବଳ ୨୦୨୦-୨୧ ଓ ୨୦୨୧-୨୨ ମାର୍ଚ୍ଚ ମଧ୍ୟରେ କୋଟିଏ ଟଙ୍କାର ନିର୍ମାଣ ବା ମରାମତି କାମ କରିଛନ୍ତି ଠିକାଦାର। ସେଥିରେ ପାନୀୟ ଜଳ ପ୍ରକଳ୍ପର ମରାମତି, ନିର୍ମାଣ ଆଦି ରହିଛି। ଜଣେ ତୃତୀୟ ଶ୍ରେଣୀ ଠିକାଦାରଙ୍କୁ କିପରି କୋଟି କୋଟି ଟଙ୍କାର କାମ ଦିଆଗଲା ଏବଂ ୨ ବର୍ଷ ମଧ୍ୟରେ ବ୍ୟୟ ହୋଇଥିବା କୋଟିଏ ଟଙ୍କାର କାମ ପାଇଁ ଟେଣ୍ଡର ନଡାକି ‘ଟେବଲ୍ ଟେଣ୍ଡର’ କରାଗଲା , ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି।
ତେବେ, ଏହି ଜଣେ ଠିକାଦାର ନୁହନ୍ତି। ଆହୁରି ଅନେକ ଠିକାଦାର ଏହିଭଳି କାମ କରୁଥିବା ଦେଖିବାକୁ ମିଳୁଛି। ଏ କ୍ଷେତ୍ରରେ ପ୍ରକଳ୍ପର ବି ଲମ୍ବାତାଲିକା ରହିଛି।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି, ଏହି କାମରେ ବିଭାଗୀୟ ଅଧିକାରୀଙ୍କ ସମ୍ପୃକ୍ତିକୁ ନେଇ ପ୍ରଶ୍ନ ଉଠୁଛି। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ବି ଦାବି କରାଯାଇଛି।
ଉଲ୍ଲେଖଯୋଗ୍ୟ, ସୁନ୍ଦରଗଡ଼କୁ ରାଜ୍ୟର ଅନ୍ୟଏକ ପଛୁଆ ଜିଲ୍ଲା ବୋଲି କୁହାଯାଉଛି। ଏହାର ବିକାଶ ପାଇଁ ବହୁବିଧ ଯୋଜନା କାର୍ଯ୍ୟକାରୀ ହେଉଛି ଏବଂ କୋଟି କୋଟି ଟଙ୍କା ବି ଖର୍ଚ୍ଚ ହେଉଛି । କିନ୍ତୁ ଜିଲ୍ଲାର ଚେହେରା ଅପରିବର୍ତ୍ତିତ। ଅଭିଯୋଗ ହେଉଛି, ପ୍ରାଶାସନିକ ଉଦାସୀନତା, ଅବହେଳା ସହ କାର୍ଯ୍ୟ ସମ୍ପାଦନ ଦାୟିତ୍ବରେ ଥିବା ବିଭାଗୀୟ ଅଧିକାରୀଙ୍କ ଦୁର୍ନୀତି, ଅନିୟମିତତା ଓ ଠିକା ସର୍ବସ୍ବ ମନୋବୃତ୍ତି ହିଁ ଜିଲ୍ଲାକୁ ପଛୁଆ କରିରଖିଛି। ଏହାମଧ୍ୟରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ, ଓଡ଼ିଶା ଖଣି କ୍ଷେତ୍ରାଞ୍ଚଳ ଉନ୍ନୟନ ନିଗମ, ଜିଲ୍ଲା ଯୋଗାଣ ବିଭାଗ, ଆଇଟିଡିଏ ପରେ ଏବେ ଜିଲ୍ଲାର ପଞ୍ଚାୟତିରାଜ ଓ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଦୁର୍ନୀତି ଚର୍ଚ୍ଚାକୁ ଆସିଛି।
ନିକଟ ଅତୀତରେ ଓମ୍ବାଡସିର ୩୧୨ କୋଟି ବ୍ୟୟରେ ଜିଲ୍ଲାର ହେମଗିର, ଲେଫ୍ରିପଡ଼ାର ୧୧ ପଞ୍ଚାୟତ, କୁତ୍ରା ଓ ରାଜଗାଙ୍ଗପୁର ବ୍ଲକର ୭ଟି ପଞ୍ଚାୟତରେ ଆରମ୍ଭ ହୋଇଥିବା ମେଗା ପାନୀୟ ଜଳ ପ୍ରକଳ୍ପରେ ଅନିୟମିତତା ଅଭିଯୋଗ ଆସିଥିଲା। ବିନା ତଦାରଖରେ ଠିକା ସଂସ୍ଥାର ମନମର୍ଜିରେ ଆଖି ବୁଜି କୋଟି କୋଟି ଟଙ୍କାର ବିଲ୍ କରି ଦିଆଯାଉଥିବା ପ୍ରକାଶ ପାଇଛି। ଏହି ତାଲିକାରେ ଯୋଡ଼ି ହୋଇଯାଇଛି ଉପରୋକ୍ତ ଆଉ ଏକ ଦୁର୍ନୀତି।