ସ୍କୁଟି ଡିକିରୁ ୨ ଲକ୍ଷ ୪୦ ହଜାର ଲୁଟ୍‌

ଭାଲୁମୁଣ୍ଡା: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଆମ୍ବେଦକର ଛକ ନିକଟ ମେହେର ଔଷଧ ଦୋକାନ ସମ୍ମୁଖରୁ ଏକ ସ୍କୁଟି ଡିକିରୁ ୨ ଲକ୍ଷ ୪୦ ହଜାର ଟଙ୍କା ଲୁଟ୍‌ ହୋଇଛି। ଏହି ଘଟଣାର ଦୃଶ୍ୟ ଦୋକାନର ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଭାଲୁମୁଣ୍ଡା ଗ୍ରାମର କପା ବ୍ୟବସାୟୀ ରୋଶନ ମେହେର କଣ୍ଟାବାଞ୍ଜିର ଏକ ବ୍ୟାଙ୍କରୁ ୨ ଲକ୍ଷ ୪୦ ହଜାର ଟଙ୍କା ଉଠାଣ କରି ସ୍କୁଟି ଡିକିରେ ରଖିଥିଲେ। ବଙ୍ଗୋମୁଣ୍ଡା ପହଞ୍ଚିବା ପରେ ମେହେର ଔଷଧ ଦୋକାନ ସାମନାରେ ସ୍କୁଟି ରଖି ଦୋକାନକୁ ଯାଇଥିଲେ। ପଛରୁ ଦୁଇଜଣ ଦୁର୍ବୃତ୍ତ ତାଙ୍କୁ ପିଛା କରୁଥିଲେ।

ଜଣେ ବାଇକ୍‌ରେ ଆସି ଆଗକୁ ଯାଇଥିଲା। ଅନ୍ୟ ଜଣକ ଚାଲି ଚାଲି ଆସି ସ୍କୁଟିର ଡିକି ଖୋଲି ଟଙ୍କା ବ୍ୟାଗ ଧରି ଫେରାର୍‌ ମାରିଥିଲା। ଏନେଇ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସେହପରି ଗତକାଲି ଭାଲୁମୁଣ୍ଡା ଗ୍ରାମର ଖୁସିରାମ ମେହେରଙ୍କ ଦୋକାନ ଏବଂ ଘରୁ ଟଙ୍କା ଓ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ନେଇ ମଧ୍ୟ ଥାନାରେ ଅଭିଯୋଗ ହୋଇଛି। ବାରମ୍ବାର ଅଞ୍ଚଳରେ ଚୋର ଓ ଲୁଟେରାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଥିବାରୁ ପୁଲିସ ପେଟ୍ରୋଲିଂ କଡ଼ାକଡ଼ି କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର