ଭୁବନେଶ୍ବର : ଓଡ଼ିଶା କଂଗ୍ରେସ ପକ୍ଷରୁ ଚାଲିଥିବା ଯୁବ କଂଗ୍ରେସର ନୂତନ ସଦସ୍ୟତା କାର୍ଯ୍ୟକ୍ରମ ଶେଷ ହୋଇଛି। ଡିଜିଟାଲ ମାଧ୍ୟମରେ ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଚଳିତମାସ ୧୦ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ରାଜ୍ୟର ୩୩ଟି ସାଙ୍ଗଠନିକ ଜିଲ୍ଲାରେ ହୋଇଥିବା ସଦସ୍ୟତା କାର୍ଯ୍ୟକ୍ରମରେ ୨.୪୫ଲକ୍ଷ ଯୁବକ କଂଗ୍ରେସ ସହ ଯୋଡ଼ି ହୋଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ ନୂତନ ଭାବେ ଯୁବ କଂଗ୍ରେସର ସଦସ୍ୟତା ଗ୍ରହଣ କରିଥିବା ଯୁବକ-ଯୁବତୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Advertisment

ଯୁବ କଂଗ୍ରେସ ସଦସ୍ୟତା ପାଇଁ ୧୮-୩୫ବର୍ଷ ବୟସସୀମା ରହିଥିଲା। ଜଣେ ଯୁବକ ୬ଟି ପର୍ଯ୍ୟାୟ ଅତିକ୍ରମ କରିବା ପରେ ସଦସ୍ୟ ହୋଇଥାଏ। ସଦସ୍ୟତା ପାଇଁ ୫୦ ଟଙ୍କା ରଖାଯାଇଥିଲା। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ କଂଗ୍ରେସ ଯୁବବର୍ଗଙ୍କ ଆଶା, ଆକାଂକ୍ଷା ପୂରଣ କରିବା ପାଇଁ କଂଗ୍ରେସ ହିଁ ଏକମାତ୍ର ଦଳ। ଆଗାମୀ ଦିନରେ କଂଗ୍ରେସ ଦଳ ରାଜ୍ୟର ଯୁବବର୍ଗଙ୍କ ସ୍ବାର୍ଥ ରକ୍ଷା ପାଇଁ ସବୁସ୍ତରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ଲଢ଼େଇ କରିବ। ଯୁବଶକ୍ତିଙ୍କୁ ନେଇ ରାଜ୍ୟର ଅତ୍ୟାଚାରୀ ଜନବିରୋଧୀ ସରକାର ବିରୋଧରେ ତୀବ୍ର ଲଢ଼େଇ ହେବ। ସାରା ଓଡ଼ିଶାକୁ ଯୁବ ଶକ୍ତିର ଏକ ଉତ୍ସଭାବେ ଗଢ଼ାଯିବ। ଯୁବ ଶକ୍ତି ହେଉଛନ୍ତି ଏ ରାଜ୍ୟର ସବୁଠାରୁ ବଡ଼ ସଂପଦ ବୋଲି ସେ କହିଛନ୍ତି।

ଅପରପକ୍ଷରେ କଂଗ୍ରେସର ସଦସ୍ୟତା ସହିତ ଯୁବ କଂଗ୍ରେସ ସଭାପତି, ଜିଲ୍ଲା ଓ ରାଜ୍ୟ ଯୁବ କ‌ଂଗ୍ରେସ ସଭାପତି ଓ ଅନ୍ୟ ପଦପଦବି ପାଇଁ ଭୋଟିଂ ହୋଇଥିଲା। ଓଡ଼ିଶା ସମେତ କେରଳ, ଜମ୍ମୁ ଓ କଶ୍ମୀର ଓ ପଞ୍ଜାବରେ ଏକାସଙ୍ଗରେ ଏହି ନିର୍ବାଚନ ହୋଇଥିଲା। ଗତମାସ ୬ତାରିଖରୁ ଉଭୟ ସଦସ୍ୟତା ସହିତ ଭୋଟିଂ ଚାଲିଥିଲା। ଯୁବ କଂଗ୍ରେସ ସଭାପତି ପାଇଁ ସମୁଦାୟ ୫ଜଣ ନିର୍ବାଚନ ଲଢ଼ୁଛନ୍ତି। ଏଥିରେ କଳାହାଣ୍ଡିର ପୂର୍ବତନ ସାଂସଦ ଭକ୍ତଚରଣ ଦାସଙ୍କ ପୁଅ ସାଗର ଦାସ, ରଞ୍ଜିତ ପାତ୍ର, କୃଷ୍ଣ ମହାନ୍ତି, ନାରାୟଣ ବରି, ରୁକମଣି ମଙ୍ଗରାଜ। ତେବେ ଆସନ୍ତା ମେ’ମାସ ୧୫ ତାରିଖ ବେଳକୁ ଯୁବ କଂଗ୍ରେସ ସଭାପତି, ଜିଲ୍ଲା ଓ ରାଜ୍ୟ ଯୁବ କଂଗ୍ରେସ ସଭାପତି ପଦ ଘୋଷଣା କରାଯିବ ବୋଲି କଂଗ୍ରେସ ସୂତ୍ରରୁ ସୂଚନା ମିଳିଛି।