କଟକ: ବିଶ୍ବ ବ୍ୟାଙ୍କକୁ କେଶର ଯୋଗାଣ କରିବା ପାଇଁ ଜାଲ୍ କ୍ରୟ ନିର୍ଦ୍ଦେଶନାମା ବଳରେ ଭୁବନେଶ୍ବରର ଜଣେ ବ୍ୟକ୍ତିଙ୍କ ନିକଟରୁ ୨ କୋଟି ୬୫ ଲକ୍ଷ ୧୫ ହଜାର ଟଙ୍କା ଠକିନେଇଛନ୍ତି ସାଇବର୍ ଅପରାଧୀ। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଦୁଇ ନାଇଜେରୀୟଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ନାଇଜେରିଆ ନାଗରିକ ଖ୍ରୀଷ୍ଟୋଫର୍ ଚିଜୋବାମ୍ ଓରଫ ଚିଜୋବାମ୍ କ୍ରିଷ୍ଟ, ନାମଡି ଷ୍ଟାନଲି ମବାମାଲୁ ଓରଫ ଜର୍ମାନ ଏବଂ ଦିଲ୍ଲୀର ଆରତି ଗୌତମ। ଏହି ଗ୍ୟାଙ୍ଗ ଦିଲ୍ଲୀରେ ରହି ଅପରାଧ ଚଳାଇଥିଲେ। କ୍ରାଇମବ୍ରାଞ୍ଚର ଏକ ସ୍ବତନ୍ତ୍ର ଟିମ୍ ତିନି ଅଭିଯୁକ୍ତଙ୍କୁ ଦିଲ୍ଲୀରୁ ଟ୍ରାନ୍ଜିଟ୍ ରିମାଣ୍ଡରେ ଆଣି ଭୁବନେଶ୍ବର ବିମାନବନ୍ଦରରେ ରାତି ୯ଟାରେ ପହଞ୍ଚିଥିଲା। ଏହାପରେ ତାଙ୍କୁ ସିଧା କଟକସ୍ଥିତ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟକୁ ନିଆଯାଇଛି। ସେଠାରେ ତାଙ୍କୁ କୋର୍ଟ ଚାଲାଣ କରାଯିବା ପରେ ରିମାଣ୍ଡରେ ଆଣିବା ଲାଗି ଆବେଦନ କରାଯିବ ବୋଲି କ୍ରାଇମବ୍ରାଞ୍ଚର ଏଡିଜି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଭୁବନେଶ୍ବରର ଜଣେ ବ୍ୟକ୍ତି ୨୦୨୩ ଡିସେମ୍ବରରେ ଫେସବୁକ ମାଧ୍ୟମରେ ଜଣେ ବ୍ୟକ୍ତିଙ୍କ ଯୋଗାଯୋଗରେ ଆସିଥିଲେ। ସମ୍ପୃକ୍ତ ବ୍ୟକ୍ତି ନିଜକୁ ଓଡ଼ିଶା କ୍ୟାଡରର ପୂର୍ବତନ ଆଇଏଏସ ଅଫିସର ପରିଚୟ ଦେଇଥିଲେ। ଏହା ସହିତ ସେ ଵାସିଂଟନରେ ଥିବା ବିଶ୍ବ ବ୍ୟାଙ୍କରେ ମଧ୍ୟ କାର୍ଯ୍ୟ କରୁଥିବା ସମ୍ପର୍କରେ ଭୁବନେଶ୍ବରର ସମ୍ପୃକ୍ତ ବ୍ୟକ୍ତିଙ୍କୁ ସୂଚନା ଦେଇଥିଲେ। ଏହି ବ୍ୟକ୍ତି ଜଣକ ଫେସବୁକ ସହିତ ହ୍ୱାଟସଆପ୍ ଓ ଇମେଲ୍ ମାଧ୍ୟମରେ ମଧ୍ୟ କଥାବାର୍ତ୍ତା ହେଉଥିଲେ। ଏହି କଥାବାର୍ତ୍ତା ମଧ୍ୟରେ ସେ ବିଶ୍ବ ବ୍ୟାଙ୍କ ମୁଖ୍ୟାଳୟକୁ କେଶର ଯୋଗାଣ ପ୍ରକଳ୍ପରେ ସାମିଲ ହେବାକୁ ପ୍ରସ୍ତାବ ଦେଇଥିଲେ। ଏଥିପାଇଁ ବିଶ୍ବ ବ୍ୟାଙ୍କ କ୍ରୟ ବିଭାଗ ସହିତକୁ ଇମେଲ୍ ମାଧ୍ୟମରେ ଏହି ପ୍ରକଳ୍ପ ପାଇଁ ରାଜି ଥିବା ନେଇ ଜଣାଇବାକୁ କହିଥିଲେ। ଏଥିରେ ଭୁବନେଶ୍ବରର ବ୍ୟକ୍ତି ଜଣକ ରାଜି ହୋଇ ହଁ ଭରିବା ସହିତ ଇମେଲ୍ ଜରିଆରେ ବିଶ୍ବ ବ୍ୟାଙ୍କକୁ ନିଜର ସମ୍ମତି ଜଣାଇଥିଲେ।
ପୂର୍ବତନ ଆଇଏଏସ୍ ଅଧିକାରୀ ପରିଚୟ ଦେଉଥିବା ବ୍ୟକ୍ତି ଆଉ ଜଣେ ବ୍ୟକ୍ତିଙ୍କ ସହିତ ଭୁବନେଶ୍ବରର ଅଭିଯୋଗକାରୀଙ୍କ ପରିଚୟ କରାଇଥିଲା। ସଂପୃକ୍ତ ବ୍ୟକ୍ତି ଅର୍ଗାନିକ୍ ମର୍ଚାଣ୍ଡାଇଜରେ ଆଞ୍ଚଳିକ ପରିଚାଳକ ଥିବା ପରିଚୟ ଦେଇଥିଲା। ଏହି ବ୍ୟକ୍ତି ଜଣକ ଭାରତରେ କେଶର ଉତ୍ପାଦନ କରୁଥିବା ଚାଷୀଙ୍କ ପାଇଁ ମାର୍କେଟିଂ ଏଜେଣ୍ଟ ଭାବେ କାମ କରୁଛି। ପରୀକ୍ଷାମୂଳକ ଭାବେ ପ୍ରଥମେ ଭୁବନେଶ୍ବରର ବ୍ୟକ୍ତିଙ୍କ ନିକଟକୁ ୧୦ କେଜି କେଶର ଯୋଗାଣ କରି ସେମାନେ ତଥାକଥିତ ଯୋଗାଣ ବ୍ୟବସାୟ ଆରମ୍ଭ କରିଥିଲେ। ଏବଂ ପରେ ବିଶ୍ୱବ୍ୟାଙ୍କର ନକଲି କ୍ରୟ ନିର୍ଦ୍ଦେଶାବଳୀ ଅନୁଯାୟୀ ୧୧୦ କେଜିକୁ ବୃଦ୍ଧି କରିଥିଲେ। ଏଥିପାଇଁ ଭୁବନେଶ୍ବର ବ୍ୟକ୍ତି ଜଣକ ମୋଟ ୨ କୋଟି ୬୫ ଲକ୍ଷ ୧୫ ହଜାର ୯୪୦ ଟଙ୍କା ଜମା କରିଥିଲେ। ଏକାଧିକ ଭାରତୀୟ ବ୍ୟାଙ୍କ ଆକାଉଣ୍ଟରୁ ଏହି ଟଙ୍କା ପଠାଯାଇଥିଲା। କିନ୍ତୁ କେଶର ପହଞ୍ଚି ନଥିଲା।
ପରବର୍ତ୍ତୀ ସମୟରେ ଭୁବନେଶ୍ବରର ଅଭିଯୋଗକାରୀ ଠକେଇର ଶିକାର ହୋଇଥିବା ଜାଣି ପାରି କ୍ରାଇମବ୍ରାଞ୍ଚର ସାଇବର୍ ଥାନାରେ ଗଲା ଫେବ୍ରୁଆରି ୨୬ ତାରିଖରେ ଏତଲା ଦେଇଥିଲେ। ଏହି ଏତଲା ଆଧାରରେ କ୍ରାଇମବ୍ରାଞ୍ଚ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସାଇବର୍ ଥାନା ଇନସ୍ପେକ୍ଟର ବିଭୁ ରଞ୍ଜନ ସୁନ୍ଦରାୟଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇଥିଲା। ପ୍ରଥମେ ଏହି ଟିମ୍ ଆରତିକୁ ଗିରଫ କରିଥିଲା। ତାକୁ ପଚରାଉଚରା ପରେ ଅନ୍ୟ ଦୁଇ ନାଇଜେରୀୟ ନାଗରିକଙ୍କ ପତ୍ତା ମିଳିଥିଲା। ଏହି ଘଟଣାରେ ଅଭିଯୁକ୍ତଙ୍କ ନିକଟରୁ ୬ଟି ମୋବାଇଲ୍ ଫୋନ୍, ୨ଟି ଲାପଟପ, ୧୦ଟି ସିମ୍ କାର୍ଡ, ଡଙ୍ଗଲ ଗୋଟିଏ, ୧୦ଟି ବ୍ୟାଙ୍କ ଜମାଖାତା, ଦୁଇଟି ଡେବିଟ୍ କାର୍ଡ, ଗୋଟିଏ ଆଧାର କାର୍ଡ ଜବତ ହୋଇଛି। ଜାତୀୟ ସାଇବର୍ ଅପରାଧ ରିପୋର୍ଟିଂ ପୋର୍ଟାଲରେ କ୍ରାଇମବ୍ରାଞ୍ଚ ଏହି ଠକଙ୍କ ନାଁ ଯାଞ୍ଚ ସମୟରେ ଆହୁରି ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ଏହି ଗ୍ୟାଙ୍ଗ ୧୦ଟି ରାଜ୍ୟରେ ୯୪ଟି ଅପରାଧୀକ ମାମଲାରେ ସମ୍ପୃକ୍ତ ଅଛନ୍ତି। କ୍ରାଇମବ୍ରାଞ୍ଚକୁ ତଦନ୍ତ ସମୟରେ ଦିଲ୍ଲୀ ପୁଲିସ ସମସ୍ତ ସହଯୋଗ ଯୋଗାଇ ଦେଇଥିଲା।