ଗୋଟିଏ ଦିନରେ ଅଢ଼େଇ ଲକ୍ଷ ଲୋକଙ୍କୁ ଟିକା, ଗତକାଲି ତୁଳନାରେ ଟିକା ନେଲେ ୫୦ ହଜାର ଅଧିକ

ଭୁବନେଶ୍ବର : ଗତ ଦୁଇଦିନ ହେବ ରାଜ୍ୟରେ ଟିକାକରଣରେ ନୂଆ ନୂଆ ରେକର୍ଡ ହେଉଛି। ଏପ୍ରିଲ ପହିଲାରେ ରାଜ୍ୟରେ ୨ଲକ୍ଷରୁ ଅଧିକ ଲୋକ ଟିକା ନେଇଥିବା ବେଳେ ଆଜି ଅଢ଼େଇ ଲକ୍ଷ ଡୋଜ୍‌ର ଟିକା ଦିଆଯାଇଛି, ଯାହାକି ଏ ପର୍ଯ୍ୟନ୍ତ ରାଜ୍ୟରେ ସର୍ବାଧିକ। ରାଜ୍ୟରେ ସମୁଦାୟ ୨୮ଲକ୍ଷ ୬୬ହଜାର ୨୫୫ ଜଣଙ୍କୁ ଟିକା ଦିଆସରିଲାଣି। ତେବେ ରାଜ୍ୟ ସରକାର ଏବେ ଦ୍ରୁତଗତିରେ ଟିକାକରଣ କରିବାକୁ ଲକ୍ଷ୍ୟ ରଖିଥିଲେ ହେଁ ଦେଶରେ ଓଡ଼ିଶା ଟିକାକରଣରେ ପଛେଇ ଯାଇଛି। ଆରମ୍ଭ ସମୟରେ ଓଡ଼ିଶା ଟିକାକରଣରେ ୩/୪ ନମ୍ବର ସ୍ଥାନରେ ରହୁଥିବା ବେଳେ ଏବେ ୧୨ତମ ସ୍ଥାନକୁ ଖସି ଆସିଛି। ଗୋଟିଏ ପଟେ ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟ ସରକାର ଟିକାକରଣକୁ ଆହୁରି ବଢ଼ାଇବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଗତକାଲିଠାରୁ ରାଜ୍ୟରେ ୪୫ବର୍ଷରୁ ଅଧିକ ଲୋକଙ୍କୁ ଟିକାକରଣ ଆରମ୍ଭ ହୋଇଛି। ଏଥିପାଇଁ ଆଜି ୪୫ ବର୍ଷରୁ ଅଧିକ ୧ଲକ୍ଷ ୬୯ହଜାର ୩୪୪ଜଣ ପ୍ରଥମ ଡୋଜ୍ ଟିକା ନେଇଛନ୍ତି। ଏହାସହ ୭୨୫ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ସେହିପରି ୬୦ବର୍ଷରୁ ଅଧିକ ୬୮,୧୬୭ଜଣଙ୍କୁ ପ୍ରଥମ ଡୋଜ୍, ୧୦,୧୪୦ଜଣଙ୍କୁ ଦ୍ବିତୀୟ ଡୋଜ୍, ୬୫୫ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଓ ୬୪୩ଜଣଙ୍କୁ ଦ୍ବିତୀୟ, ୧୪୨୬ ଆଗଧାଡ଼ିର ଯୋଦ୍ଧାଙ୍କୁ ପ୍ରଥମ ଓ ୯୮୦ଜଣଙ୍କୁ ଦ୍ବିତୀୟ ଡୋଜ୍‌ ଟିକା ଦିଆଯାଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୧୫ଲକ୍ଷ ୪୨ହଜାର ୭୫୭ଜଣ ବୟସ୍କ ବ୍ୟକ୍ତି ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି। ଏହାସହ ପଞ୍ଜୀକୃତ ୯୪ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଓ ୮୩ ପ୍ରତିଶତ ଆଗଧାଡ଼ିର ଯୋଦ୍ଧା କରୋନା ଟିକା ନେଇ ସାରିଲେଣି।

ରାଜ୍ୟ ଟିକାକରଣ ଅଧିକାରୀ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି, ରାଜ୍ୟରେ ଏବେ ପ୍ରତି ଦିନ ୨-୨.୫ଲକ୍ଷ ଟିକାକରଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହାଠାରୁ ଅଧିକ ସଂଖ୍ୟକ ଟିକାକରଣ ଲକ୍ଷ୍ୟ ନିକଟରେ ସମ୍ଭବ ନୁହେଁ। ଗତକାଲି ସୁଦ୍ଧା ରାଜ୍ୟରେ ୧୪ଲକ୍ଷ ଟିକା ମହଜୁଦ ରହିଥିବା ବେଳେ ଆଜି ଅଢ଼େଇ ଲକ୍ଷ ଟିକାକରଣ ହୋଇଛି। ତେଣୁ ଆଉ ୪/୫ଦିନ ପର୍ଯ୍ୟନ୍ତ ଟିକା ରାଜ୍ୟରେ ସଂରକ୍ଷିତ ଅଛି। ତେଣୁ ଅଧିକରୁ ଅଧିକ ପରିମାଣର ଟିକା ରାଜ୍ୟକୁ ପଠାଇବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। ଅତି କମ୍‌ରେ ୧୫ ଦିନ ପାଇଁ ଟିକା ସଂରକ୍ଷିତ ରଖିବା ଲାଗି କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍ ରହିଛି। ମାତ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ କେତେ ପରିମାଣର ଟିକା ଆସିବ, ତାହା ସ୍ପଷ୍ଟ ହୋଇପାରିନାହିଁ।

ଅପରପକ୍ଷରେ ଟିକାକରଣ ସଂଖ୍ୟା ଦୃଷ୍ଟିକୁ ଦେଖିଲେ ଓଡ଼ିଶା ହୁଏତ ଅନ୍ୟ ବଡ଼ ରାଜ୍ୟ ତୁଳନାରେ କମ୍ ରହିପାରେ। ମାତ୍ର ଜନସଂଖ୍ୟାକୁ ତୁଳନା କଲେ ଏହାର ପ୍ରକୃତ ଅନୁଶୀଳନ ହୋଇପାରିବ। ହେଲେ ଏବେ ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ କରିବା ହିଁ ଏକମାତ୍ର ଲକ୍ଷ୍ୟ। ସେ ଦୃଷ୍ଟିରୁ ସଂଖ୍ୟାକୁ ତୁଳନା କରିବା ଠିକ୍ ନୁହେଁ ବୋଲି ଡା.ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର