ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଓ ପୁରୀ ଜିଲ୍ଲାର ୯ଟି ପୌର ପରିଷଦର ପ୍ରାୟ ୨୦୦୦ ବସ୍ତି ବାସିନ୍ଦାଙ୍କୁ ଜାଗା ଯୋଗାଇ ଦେଇଛନ୍ତି। ସେମାନଙ୍କୁ ଜମି ଅଧିକାର ପ୍ରମାଣପତ୍ର ଦିଆଯାଇଛି। ରାଜ୍ୟ ସରକାର ବସ୍ତି ବାସିନ୍ଦାଙ୍କ ପାଇଁ ଜମି ଅଧିକାର ଆଇନ, ୨୦୧୮ ଆଣିଛନ୍ତିି। ଏଭଳି ଆଇନ ପ୍ରଣୟନ କରିବାରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ। ଏହି ଆଇନ ବଳରେ ପ୍ରାୟ ୨୫ ଶହ ବସ୍ତିର ପ୍ରାୟ ୨.୫ ଲକ୍ଷ ବାସିନ୍ଦାଙ୍କୁ ଜାଗା ମିଳିବ। ସେମାନଙ୍କ ମଧ୍ୟରୁ ଆର୍ଥିକ ଅନଗ୍ରସରମାନଙ୍କୁ ମାଗଣାରେ ଜାଗା ଦିଆଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଭାଗର ପ୍ରଦର୍ଶନ ନେଇ ସମୀକ୍ଷା ପରେ ଆଜି ସାମ୍ବାଦିକ ସମ୍ମିଳନୀରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଭାଗର ସଫଳତା ବର୍ଣ୍ଣନା କରିଥିଲେ। ବସ୍ତି ବାସିନ୍ଦାଙ୍କ ପାଇଁ ଜମି ଅଧିକାର ଆଇନ ଉଲ୍ଲେଖନୀୟ ଉପଲବ୍ଧି ଦର୍ଶାଇ ଏହା ବଳରେ ବିଜ୍ଞାପିତ ଅଞ୍ଚଳରେ ସର୍ବାଧିକ ୬୪୬ ବର୍ଗଫୁଟ୍, ପୌରାଞ୍ଚଳରେ ୪୮୪ ବର୍ଗଫୁଟ୍ ଜାଗା ଦିଆଯାଉଛି। ଯେଉଁ ବସ୍ତିରେ ବାସୋପଯୋଗୀ ଜାଗା ନଥିବ, ସେ କ୍ଷେତ୍ରରେ ହିତାଧିକାରୀମାନଙ୍କୁ ସ୍ଥାନାନ୍ତର କରି ପ୍ରତ୍ୟେକଙ୍କୁ ୩୨୩ ବର୍ଗଫୁଟ୍ ଜାଗା ଦିଆଯିବ।
ରାଜ୍ୟର ସହରାଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ଜଳଯୋଗାଣ ପ୍ରକଳ୍ପକୁ ୨୦୧୯ ମାର୍ଚ ସୁଦ୍ଧା ସଂପୂର୍ଣ୍ଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ। ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାଇପ ଯୋଗେ ଯୋଗାଇ ଦେଉଥିବା ପିଇବାପାଣିର ମାନ ପରୀକ୍ଷା ପାଇଁ ନିୟମିତ ନମୁନା ସଂଗ୍ରହ କରାଯିବ। ଦୀନଦୟାଲ୍ ଅନ୍ତୋଦୟ ଯୋଜନାରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ସହରୀ ବାସହୀନଙ୍କ ପାଇଁ ୨୪ଟି ଆଶ୍ରୟସ୍ଥଳୀ, ୬୩୧୬୨ଜଣ ରାସ୍ତାକଡ଼ ଉଠାଦୋକାନୀଙ୍କୁ ୧୧୫.୭୮ କୋଟିର ସହାୟତା ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଉଛି। ଆହାର ଯୋଜନାରେ ରାଜ୍ୟର ସବୁ ଜିଲ୍ଲାରେ ୧୧୫ଟି ଆହାର କେନ୍ଦ୍ର ଖୋଲାଯାଇଛି। ଓଡ଼ିଶା ସହରାଞ୍ଚଳ ମିସନରେ ଆଗାମୀ ୭ ବର୍ଷରେ ରାଜ୍ୟର ବାସଗୃହ ନିଅଣ୍ଟ ଦୂର ହୋଇପାରିବ।
ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତରରେ ବିଭାଗୀୟ ସଚିବ ଜି. ମାଥିଭାଥନନ୍ କହିଲେ, ଭୁବନେଶ୍ୱରରେ ବର୍ଷାଜଳ ନିଷ୍କାସନ ପାଇଁ ଡ୍ରେନେଜ୍ ବ୍ୟବସ୍ଥା ପାଇଁ ଏନ୍ଏଚ୍ଏଆଇଙ୍କ ସହିତ ଆଲୋଚନା ହୋଇଛି। ବର୍ଷାଦିନ ପୂର୍ବରୁ ଇସ୍କନ୍ ମନ୍ଦିରରୁ ବାଣୀବିହାର ପର୍ଯ୍ୟନ୍ତ ନିଷ୍କାସନ ବ୍ୟବସ୍ଥା କରାଯିବ। ରାଜପଥ ନିର୍ମାଣ ବେଳେ ଏହି ସମସ୍ୟା ସଂପର୍କରେ ଚିନ୍ତା କରାଯାଇନଥିଲା।