ରାଜ୍ୟରେ ଅଢ଼େଇ ହଜାର ବେଆଇନ ସ୍କୁଲ

ସିଓଆର ନ ଥିବା ସ୍କୁଲରେ ପଢ଼ି ହଇରାଣ ହେଉଛନ୍ତି ପିଲା

ନବୋଦୟ ଓ ଆଦର୍ଶ ବିଦ୍ୟାଳୟରେ ନାମଲେଖାରୁ ବଞ୍ଚିତ
୨୫% ସିଟ୍‌ ସଂରକ୍ଷଣ ବ୍ୟବସ୍ଥା ଲାଗୁ ନେଇ ଆଶଙ୍କା

ଭୁବନେଶ୍ବର : ରାଜ୍ୟର ଅଢ଼େଇ ହଜାର ବେସରକାରୀ ସ୍କୁଲର ସିଓଆର୍‌(ସାର୍ଟିଫିକେଟ୍‌ ଅଫ୍‌ ରେକଗ୍‌ନେସନ୍‌) ନାହିଁ। ରାଜ୍ୟ ସରକାର କିମ୍ବା କୌଣସି ସ୍ଥାନୀୟ କର୍ତୃପକ୍ଷଙ୍କଠାରୁ ଏହି ବିଦ୍ୟାଳୟଗୁଡ଼ିକ ଅନୁମତି ପାଇନାହାନ୍ତି। ଅର୍ଥାତ୍‌ ଏହି ବିଦ୍ୟାଳୟଗୁଡ଼ିକ ବେଆଇନ ଭାବେ ଚାଲିଛି। ଯଦି କୌଣସି ଅଭିଭାବକ ଏହି ବିଦ୍ୟାଳୟରେ ନାମ ଲେଖାଇବେ ତେବେ ସେମାନଙ୍କ ପିଲାମାନେ ଭବିଷ୍ୟତରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟରେ ପଢ଼ିବାରୁ ବଞ୍ଚିତ ହେବେ। ଉକ୍ତ ଦୁଇ ବର୍ଗର ବିଦ୍ୟାଳୟରେ ପଢ଼ିବା ଲାଗି ଛାତ୍ରଛାତ୍ରୀଙ୍କ ସମସ୍ତ ପ୍ରକାର ଯୋଗ୍ୟତା ଥିଲେ ମଧ୍ୟ ଯଦି ସିଓଆର ନ ଥିବା ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିବେ, ଡକ୍ୟୁମେଣ୍ଟ ଯାଞ୍ଚ ସମୟରେ ତାହାକୁ ଗ୍ରହଣ କରାଯିବ ନାହିଁ। ଅଭିଭାବକ ଏଥିପ୍ରତି ସତର୍କ ରହିବା ସହ ନିଜର ପିଲାଙ୍କୁ ଉପଯୁକ୍ତ ବିଦ୍ୟାଳୟରେ ନାମ ଲେଖାଇବା ଦିଗରେ ପଦକ୍ଷେପ ନେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରାମର୍ଶ ଦେଇଛନ୍ତି।

ଗଣଶିକ୍ଷା ବିଭାଗ ତଥ୍ୟ ଅନୁଯାୟୀ ଛୋଟ ବଡ଼ କରି ଓଡ଼ିଶାରେ ୬୯୪୨ ଘରୋଇ ତଥା ବେସରକାରୀ ବିଦ୍ୟାଳୟ ରହିଛି। ସେଥିମଧ୍ୟରୁ ୪୪୩୩ ବିଦ୍ୟାଳୟକୁ ଅନୁମତି ମିଳିଛି। ବାକି ପ୍ରାୟ ଅଢ଼େଇ ହଜାର ବିଦ୍ୟାଳୟ ବେଆଇନ ଭାବେ ଚାଲିଛି। ପର୍ଯ୍ୟାପ୍ତ ଭିତ୍ତିଭୂମି ନ ଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ବିଦ୍ୟାଳୟଗୁଡ଼ିକୁ ସିଓଆର୍‌ ମିଳି ନାହିଁ। କେତେକ ବିଦ୍ୟାଳୟ ଏପର୍ଯ୍ୟନ୍ତ ସିଓଆର ପାଇବାକୁ ଆବେଦନ ହିଁ କରିନାହାନ୍ତି। ଆଉ କିଛି ବିଦ୍ୟାଳୟ ଆବେଦନ କରିଥିଲେ ମଧ୍ୟ ଯାଞ୍ଚ ବେଳେ ଭିତ୍ତିଭୂମି ନ ଥିବାରୁ ବାଦ୍‌ ପଡ଼ିଛନ୍ତି। ବିଶେଷକରି ପ୍ରାଥମିକ ଶିକ୍ଷା ଦେଉଥିବା ଅଧିକାଂଶ ବିଦ୍ୟାଳୟ ଏ ପର୍ଯ୍ୟନ୍ତ ସିଓଆର ପାଇ ନାହାନ୍ତି। ତାଲିକାରେ ଉଭୟ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ରହିଛନ୍ତି।

୨୦୨୧-୨୨ ଶିକ୍ଷାବର୍ଷରୁ ବେସରକାରୀ ସ୍କୁଲରେ ଆର୍ଥିକ ଅନଗ୍ରସର ତଥା ଦୁର୍ବଳ ଶ୍ରେଣୀର ପିଲାଙ୍କ ପାଇଁ ୨୫% ସ୍ଥାନ ସଂରକ୍ଷଣ ରଖାଯିବ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ପୋର୍ଟାଲ www.rteparadarshi.odisha.gov.in ପ୍ରସ୍ତୁତ ହୋଇଛି। ସିଓଆର୍‌ ପାଇଥିବା ଘରୋଇ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଏଥିରେ ପଞ୍ଜୀକୃତ ହୋଇ ୨୦୦୯ ଶିକ୍ଷା ଅଧିକାର ଆଇନ ବଳରେ ୨୫% ଛାତ୍ରଛାତ୍ରୀଙ୍କ ନାମଲେଖା କରାଇବେ। ସିଓଆର୍‌ ପାଇଥିବା ସମସ୍ତ ଘରୋଇ ଅନୁଦାନପ୍ରାପ୍ତ ସ୍କୁଲ ଯେପରି ସମ୍ପୃକ୍ତ ପୋର୍ଟାଲରେ ପଞ୍ଜୀକରଣ କରିବେ, ଡିଇଓମାନେ ତାହାକୁ ନିଶ୍ଚିତ କରାଇବେ। ତେବେ ସବୁ ବିଦ୍ୟାଳୟ ସିଓଆର ପାଇ ନ ଥିବାରୁ ଡିଇଓମାନେ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ସିଓଆର ପାଇ ନ ଥିବାରୁ ବିଦ୍ୟାଳୟଗୁଡ଼ିକୁ କିଭଳି ପୋର୍ଟାଲରେ ପଞ୍ଜିକୃତ କରାଇ ଦୂର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ନାମଲେଖା କରାଇବେ ତାହା ଏବେ ସମସ୍ୟା ସୃଷ୍ଟି କରିଛି।

ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି ଯେ ସିଓଆର ପାଇ ନ ଥିବା ବିଦ୍ୟାଳୟରେ ନାମଲେଖାଇ ଓଡ଼ିଶାର ବହୁ ପିଲା ହଇରାଣ ହେଉଛନ୍ତି। ସମସ୍ତ ଯୋଗ୍ୟତା ଅର୍ଜନ ରହିଥିଲେ ମଧ୍ୟ ପାସ୍‌ କରିଥିବା ସ୍କୁଲର ସିଇଆର ନ ଥିବାରୁ ଅନୁଗୁଳ ଜିଲ୍ଲାର ଜଣେ ମେଧାବୀ ପିଲା ନବୋଦୟରେ ପଢ଼ିବାରୁ ବଞ୍ଚିତ ହେଲେ। ଆଦର୍ଶ ବିଦ୍ୟାଳୟରେ ବି ସମାନ ଅବସ୍ଥା ସୃଷ୍ଟି ହୋଇଛି। ଏହି ନିୟମ ପରିବର୍ତନ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ। ଫଳରେ ବହୁ ଓଡ଼ିଆ ପିଲା ଉପକୃତ ହୋଇପାରିବେ।

ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ଯଦି ବିଦ୍ୟାଳୟଗୁଡ଼ିକ ସିଓଆର ହାସଲ କରିବେ ନାହିଁ ତେବେ ୨୫% ସଂରକ୍ଷଣ ବ୍ୟବସ୍ଥା ଠିକ୍‌ ଭାବେ ଲାଗୁ ହୋଇପାରିବ ନାହିଁ। ପିଲାମାନେ ନାମ ଲେଖାଉଥିଲେ ମଧ୍ୟ ଭବିଷ୍ୟତରେ ହଇରାଣରେ ପଡ଼ିପାରନ୍ତି। ବିଦ୍ୟାଳୟଗୁଡ଼ିକ ଏହାର ସମାଧାନ କରିପାରିବେ। ଯେତେଶୀଘ୍ର ସମ୍ଭବ ସିଓଆର ମାନ୍ୟତା ହାସଲ କରିବା ଦିଗରେ ପଦକ୍ଷେପ ନିଅନ୍ତୁ। ତେବେ ପିଲାଙ୍କ ନାମଲେଖା ପୂର୍ବରୁ ଅଭିଭାବକ ବିଦ୍ୟାଳୟର ଭିତ୍ତିଭୂମିକୁ ଭଲ ଭାବେ ଯାଞ୍ଚ କରି ପଦକ୍ଷେପ ନିଅନ୍ତୁ।

ସମ୍ବନ୍ଧିତ ଖବର