ଝାଡାବାନ୍ତିରେ ଅଢେଇ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ଅଭିଯୋଗ

ରାଇଘର: ଗତ ଦୁଇ ଦିନ ପୂର୍ବେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କଚରାପାରା ପଞ୍ଚାୟତର ଅଞ୍ଚଳାଡିହି ଗ୍ରାମର ଜଣେ ବୃଦ୍ଧାଙ୍କ ଝାଡ଼ା ହେବାରୁ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିବା ବେଳେ ଆଜି ପୁଣି ହାଟଭରାଣ୍ଡି ପଞ୍ଚାୟତର ତରେଇଡିହୀ ଗ୍ରାମରେ ଜଣେ ଅଢେଇ ବର୍ଷର ଶିଶୁ ଝାଡ଼ା ବାନ୍ତିରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଉକ୍ତ ଶିଶୁ ପୁତ୍ରର ପରିବାର ପକ୍ଷରୁ ଏଭଳି ଅଭିଯୋଗ ହୋଇଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶବ ବ୍ୟବଚ୍ଛେଦ ସହିତ ନମୁନା ସଂଗ୍ରହ କରି ପରୀକ୍ଷା ନିମନ୍ତେ ପଠାଇ ଦିଆଯାଇଛି।

ସୂଚନା ଅନୁଯାୟୀ ତରେଇଡିହୀ ଗ୍ରାମର ସନ୍ତୋଷ ଗଣ୍ଡଙ୍କ ଅଢେଇ ବର୍ଷର ପୁଅ ନିଲେଶକୁ ଗତକାଲି ଦିନ ପ୍ରାୟ ୧୧ ଟା ସମୟରେ ଝାଡା ଆରମ୍ଭ ହୋଇଥିଲା। ଦିନ ସାରା ପ୍ରାୟ ୮ ରୁ ୧୦ ଥର ଝାଡା ଓ ମଝିରେ ଥରେ ଦୁଇ ଥର ବାନ୍ତି ହେବା ଫଳରେ ମାଁ ସଗାବାଈ ଗଣ୍ଡ ସନ୍ତୋଷଙ୍କୁ କହିଥିଲେ। ଅପରାହ୍ନ ପ୍ରାୟ ୫ ଟା ସମୟରେ ନିଲେଶକୁ ହାଟଭରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ବାଟରେ ହିଁ ତାର ମୃତ୍ୟୁ ଘଟିଥିଲା। ମେଡିକାଲକୁ ଯିବା ପରେ ଡାକ୍ତର ତାକୁ ମୃତ ଘୋଷଣା କରିବା ସହ ପରିବାର ଲୋକଙ୍କ କହିବା ଅନୁଯାୟୀ ଯେହେତୁ ତାର ଝାଡ଼ାବାନ୍ତି ହେଉଥିଲା ତାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଚିକିତ୍ସା ଅଧିକାରୀ କହିଥିଲେ। ଆଜି ସକାଳୁ ଶବ ବ୍ୟବଚ୍ଛେଦ କରି କିଛି ନମୂନା ସଂଗ୍ରହ କରି ପରୀକ୍ଷା ନିମନ୍ତେ ପଠାଇ ଦିଆଯାଇଥିଲା। ବ୍ୟବଚ୍ଛେଦ ରିପୋର୍ଟ ଓ ଯାଇଥିବା ନମୁନାର ରିପୋର୍ଟ ଆସିବା ପରେ ହିଁ ଶିଶୁର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଅପରପକ୍ଷରେ ସେ ଅଞ୍ଚଳର କଂଗ୍ରେସ ନେତା ସନରାଜ ଗଣ୍ଡ ରାଇଘର ଅଞ୍ଚଳରେ ଦିନକୁ ଦିନ ଝାଡ଼ା ବାନ୍ତିରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି ବୋଲି ଅଭିଯୋଗ ଉଠାଇଛନ୍ତି। ଏ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଠିକ୍ ଭାବେ ସଚେତନତା କାର୍ଯ୍ୟକ୍ରମ କରାଯାଉ ନଥିବା ସହିତ ଉପାନ୍ତ ଅଞ୍ଚଳରେ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାରେ ବିଫଳ ହୋଇଛି ବୋଲି ଶ୍ରୀ ଗଣ୍ଡ ଅଭିଯୋଗ କରିଛନ୍ତି। ପଡ଼ୋଶୀ ରାଜ୍ୟ ଛତିଶଗଡରେ ଝାଡ଼ାବାନ୍ତି ଓ ଜ୍ବର ପାଇଁ ଘରକୁ ଘର ବୁଲି ସଚେତନ ବାର୍ତ୍ତା ଜଣାଇବା ସହିତ କାନ୍ଥରେ ଖାଦ୍ୟପେଅ ସମ୍ପର୍କିତ ସୂଚନା ଲେଖା ଯାଉଥିବା ବେଳେ ରାଇଘର ଅଞ୍ଚଳରେ ଏଥିପ୍ରତି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତପ୍ତରତା ପ୍ରକାଶ ପାଉନାହିଁ ବୋଲି ସନରାଜ ଗଣ୍ଡ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର