ପଡ଼ିଛି ୨.୫୬ କୋଟିର ସୁଟ୍ ଭଲ୍ଭୋ ବସ୍, ଡିଏମ୍ଏଫ୍ ପାଣ୍ଠିରେ କିଣାଯାଇଛି
ଚାଲିବାକୁ ଥିଲା ରାଉରକେଲା-ଝାରସୁଗୁଡା
ରାଉରକେଲା: ଆସନ୍ତା ୨୦୨୩ ପୁରୁଷ ହକି ବିଶ୍ବକପ୍ ପୂର୍ବରୁ ସ୍ମାର୍ଟସିଟି ରାଉରକେଲାକୁ ଚକାଚକ୍ କରିବାକୁ ପୁରାଦମ୍ ଲଗାଇ ଦେଇଛନ୍ତି ପ୍ରଶାସନିକ ଅଧିକାରୀ। ବିକାଶମୂଳକ କାମରେ ବିଭିନ୍ନ ପାଣ୍ଠିରୁ ପାଣି ବୋହିଲା ପରି ଟଙ୍କା ଖର୍ଚ୍ଚ ହେଉଛି। ଖର୍ଚ୍ଚ ହେଉଥିବା ଟଙ୍କାର ସଠିକ୍ ବିନିଯୋଗ ହେଉଛି କି ନାହିଁ, ସେଥିପାଇଁ କାହାରି ଦରଦ ନାହିଁ। କାରଣ ବିଗତ ଦିନରେ ପାର୍କ ଠାରୁ ଆରମ୍ଭ କରି ରାସ୍ତା ସୌନ୍ଦର୍ଯ୍ୟକରଣ ସବୁଥିରେ ବ୍ୟାପକ ଅନିୟମିତାର ହୋଇଥିବା ଅଭିଯୋଗ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଆଶ୍ଚର୍ଯ୍ୟ କଥା ମୂହଁ ଖୋଲୁନାହାନ୍ତି ରାଜନୈତିକ ଦଳର ନେତା। ଯାହାର ଭରଫୁର ଫାଇଦା ଉଠାଉଛନ୍ତି ଉଭୟ ଦାୟିତ୍ବରେ ଥିବା ଅଧିକାରୀ ଓ ଠିକା ସଂସ୍ଥା। ଏସବୁ ଭିତରେ ଗତ ପ୍ରାୟ ଦୁଇ ମାସ ତଳେ ରାଉରକେଲାରୁ ଝାରସୁଗୁଡା ବିମାନବନ୍ଦର ଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କିଣାଯାଇଛି ଦୁଇଟି ଭଲ୍ଭୋ ବସ୍। ବାଙ୍ଗାଲୋରରୁ ଆସିଥିବା ଦୁଇଟି ବସ୍ ବାବଦରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍)ପାଣ୍ଠିରୁ ପ୍ରାୟ ୨ କୋଟି ୫୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଅର୍ଥାତ୍ ଗୋଟିଏ ବସ୍କୁ ୧ କୋଟି ୨୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ପ୍ରଥମ ବସ୍ ପୂର୍ବାହ୍ନ ୯ଟା ଓ ଦ୍ବିତୀୟ ବସ୍ ଅପରାହ୍ନ ୨ଟାରେ ରାଉରକେଲାରୁ ବାହାରିବ।
ପ୍ରଥମ ବସ୍ ଯାଉଥିବା ବିମାନ ଯାତ୍ରୀମାନେ ଝାରସୁଗୁଡା ବିମାନ ବନ୍ଦରରୁ ଅପରାହ୍ନ ୧ଟା ୫ ମିନିଟ୍ ଓ ୧ଟା ୨୫ ମିନିଟ୍ରେ ବିମାନରେ ଯାତ୍ରା କରିବେ। ସେମିତି ଅପରାହ୍ନ ୨ଟା ଯାଉଥିବା ବିମାନଯାତ୍ରୀମାନେ ସଂଧ୍ୟା ୬ଟା ୦୫ ମିନିଟ୍, ୬ଟା ୧୫ ମିନିଟ୍, ୬ ଟା ୪୫ ମିନିଟ୍ ଛାଡୁଥିବା ଏମିତି ୪ଟି ବିମାନରେ ଯାତ୍ରା କରିପାରିବେ। ରାଉରକେଲାରୁ ଝାରସୁଗୁଡା ପର୍ଯ୍ୟନ୍ତ ଜଣେ ଯାତ୍ରୀ ପିଛା ବସ୍ ଭଡା ରହିଛି ପାଖାପାଖି ୩୦୦ ଟଙ୍କା। ଦିନକୁ ମାତ୍ର ଥର ଚାଲିବାକୁ ଏହି ଦୁଇଟି ବସ୍କୁ ସୁନ୍ଦରଗଡ଼ ଅର୍ବାନ ଟ୍ରାନ୍ସପୋର୍ଟ ଟ୍ରଷ୍ଟ (ସୁଟ୍)କୁ ହସ୍ତାନ୍ତର କରାଯାଇଛି। ବର୍ତ୍ତମାନ ବସ୍ ଦୁଇଟି ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) ଅଧୀନରେ ରହିଛି। ବସ୍ ରାଉରକେଲାରେ ପହଞ୍ଚିବା ପରେ ୧୫ ଦିନ ମଧ୍ୟରେ ଚାଲିବ ବୋଲି ସହରବାସୀଙ୍କୁ କୁହାଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଗଡ଼ିନି।
କେବେ ଗଡ଼ିବ କାହାରି ପାଖରେ ସନ୍ତୋଷଜନକ ଉତ୍ତର ନାହିଁ। ସୁଟ୍ ଅଧୀନରେ ଚାଲୁଥିବା ବସଗୁଡ଼ିକୁ ପରିଚାଳନା ଦାୟିତ୍ବରେ ଥିବା ବସ୍ ମାଲିକଙ୍କ ପଚାରିବାରେ ସେ କହିଛନ୍ତି , ଏଯାଏଁ ରାଉରକେଲା-ଝାରସୁଗୁଡା ପରିବହନ ବିଭାଗ ପକ୍ଷରୁ ଅନୁମତି ମିଳିନି। ଆସନ୍ତା ୧୫ରୁ ୨୦ ଦିନ ମଧ୍ୟରେ ଅନୁମତି ମିଳିବା ପରେ ଚାଲିବ ବୋଲି କୁହାଯାଉଛି। ସେପେଟ ଦିନକୁ ମାତ୍ର ଥରେ ଚାଲିଯବାକୁ ଦୁଇଟି ଭଲ୍ଭୋ ବସ୍ ବାବଦରେ ଡିଏମ୍ଏଫ୍ ପାଣ୍ଠିରୁ ୨କୋଟି ୫୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସ୍ବାଭାବିକ। କାରଣ ଝାରସୁଗୁଡା ବିମାନ ବନ୍ଦରକୁ ରାଉରକେଲାରୁ ଆଜି ପର୍ଯ୍ୟନ୍ତ ଗୋଯିଏ ଦିନରେ କେବେ ୩୦ରୁ ଅଧିକ ଯାତ୍ରୀ ଯାଇ ନାହାନ୍ତି। ସୁନ୍ଦରଗଡ଼ରୁ ଝାରସୁଗୁଡା ବିମାନ ବନ୍ଦରକୁ ଯାଉଥିବା ଯାତ୍ରୀ ରାଉରକେଲା ସୁଟ୍ ଭଲ୍ଭୋ ବସ୍କୁ ଅପେକ୍ଷା କରିବାର କୌଣସି ଆବଶ୍ୟକତା ମଧ୍ୟ ନାହିଁ।
ଏସବୁ ଦୃଷ୍ଟିକୋଣରୁ ବିଚାରକୁ ନେଲେ ସୁଟ୍ ଅଧୀନରେ ଚାଲିବାକୁ ଯାଉଥିବା ଦୁଇଟି ଭଲ୍ଭୋ ବସ୍ ଆଗାମୀ ଦିନରେ ସିଟି ବସ୍ ପରି ସ୍ଥିତି ସୃଷ୍ଟି , ଏଥିରେ ଦ୍ବିମତ ନାହିଁ। ଅନ୍ୟପଟେ ଦୁଇଟି ବସ୍ ବିଶ୍ବ ପୁରୁଷ ହକି ପାଇଁ କିଣାଯାଇଥିବା କୁହାଯାଉଛି। ହକି ମ୍ୟାଚ୍ ପରେ ଏହି ଦୁଇଟି ବସ୍ ଦୈନିକ ରାଉରକେଲା-ଝାରସୁଗୁଡା ବିମାନ ବନ୍ଦର ଯାତାୟତରେ ବ୍ୟବହାର ହେବ ତ? ଏମିତି ଅନେକ ପ୍ରଶ୍ନ ସାଧାରଣରେ ଲୋକ ମନରେ ଭିତରେ ଆସିବା ମଧ୍ୟ ସ୍ବାଭବିକ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ସୁଟ୍ ଅଧୀନରେ ସିଟି ବସ୍ ଗୁଡ଼ିକ ଚାଲୁଛି। ଆବଶ୍ୟକ ରକ୍ଷଣାବେକ୍ଷଣର ଅଭାବରୁ ଅଧିକାଂଶ ବସ୍ ନୂଆ ବସ୍ଷ୍ଟାଣ୍ଡରେ ଖତ ଖାଉଛି। ଯେଉଁ କିଛି ବସ୍ ସହର ଭିତରେ ଗଢ଼ୁଛି, ଅଧିକାଂଶ ଦିନ ଯାନ୍ତ୍ରିକତ୍ରୁଟି ଦେଖାଯାଉଛି। ଯାତ୍ରୀମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।