ଗୁଳି ଫୁଟାଇ ୨ ଲକ୍ଷ ୭୦ ହଜାର ଲୁଟ୍‌

ବଡ଼ବିଲ: ଗୁଳି ଫୁଟାଇ ଏକ ପରିବହନ ସଂସ୍ଥାର କର୍ମଚାରୀଙ୍କ ଠାରୁ ଦିନ ଦ୍ବିପ୍ରହରରେ ୨ ଲକ୍ଷ ୭୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାର ଖଣି ସହର ବଡ଼ବିଲର ଠାକୁରାଣୀ ଅଞ୍ଚଳରେ।

ପ୍ରାପ୍ତ ସୂଚନା ଅନୁଯାୟୀ, ବଡ଼ବିଲ ଥାନା ଠାକୁରାଣୀଠାରେ ଥିବା ଆର୍‌ସେଲର୍‌ ମିତ୍ତଲ କମ୍ପାନିର କେପି ମାଇନ୍ସ ନିକଟରେ କେପି ଟ୍ରାନ୍ସପୋର୍ଟ କାର୍ଯ୍ୟାଳୟ ରହିଛି। ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ତିନିଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ଟ୍ରାନ୍ସପୋର୍ଟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଟ୍ରାନ୍ସପୋର୍ଟ ସଂସ୍ଥାର କର୍ମଚାରୀ ଯଶପାଲ ସିଂହଙ୍କୁ ଧମକଚମକ ଦେଇ ଟଙ୍କା ମାଗିଥିଲେ। ପରେ ଗୋଟିଏ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରି ତାଙ୍କଠାରୁ ୨ ଲକ୍ଷ ୭୦ ହଜାର ଟଙ୍କା ଲୁଟି ନେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ଦୁର୍ବୃତ୍ତମାନେ ଟଙ୍କା ଲୁଟ୍ କରିବା ପରେ ଜାମଦା ଦେଇ ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟକୁ ଖସିଯିବାରେ ସକ୍ଷମ ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଓଡ଼ିଶା ଏବଂ ଝାଡ଼ଖଣ୍ଡ ପୁଲିସ ମିଳିତ ଭାବେ ଉଭୟ ରାଜ୍ୟକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରିଦେଇଛନ୍ତି। ଘଟଣାର ତଦନ୍ତ ଚାଲିଥିବା ବଡ଼ବିଲ ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର