‘ଫନି’ ପାଇଁ ଗଞ୍ଜାମରେ ସବୁଠୁ ବଡ଼ ସ୍ଥାନାନ୍ତର : ୨.୮୧ ଲକ୍ଷଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଗଲା

ବ୍ରହ୍ମପୁର/ଛତ୍ରପୁର/ଗୋପାଳପୁର : ସାମୁଦ୍ରିକ ଝଡ଼ ‘ଫନି’ ପ୍ରଭାବରେ ଗଞ୍ଜାମ ଜିଲ୍ଲା ଉପକୂଳବର୍ତୀ ଗୋପାଳପୁର, ବ୍ରହ୍ମପୁର, ରଙ୍ଗେଇଲୁଣ୍ଡା, ଚିକିଟି, ପାତ୍ରପୁର, ଗଂଜାମ ବ୍ଲକ ସମେତ ଅଧିକାଂଶ ସ୍ଥାନରେ ଆଜି ମଧ୍ୟାହ୍ନରୁ ହଠାତ୍‌ କଳାହାଣ୍ଡିଆ ମେଘ ଘୋଟି ଆସି ପାଗ ବଦଳି ଯାଇଛି। ଅପରାହ୍ନରୁ ଆରମ୍ଭ ହୋଇଥିବା ବର୍ଷା କ୍ରମଶଃ ବଢ଼ିବାରେ ଲାଗିଛି। ସନ୍ଧ୍ୟାରେ ପବନର ବେଗ ୪୦ରୁ ୫୦ କିମିକୁ ଛୁଇଁଥିବାବେଳେ ରାତିରୁ ବର୍ଷା ବଢ଼ିବା ସହ ପବନ ଗତି ବଢ଼ିବ। ତେଣୁ ‘ଫନି’ ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଶେଷ କରିଛି।

ଜିଲ୍ଲାର ୧୦୬୯ଟି ଆଶ୍ରୟସ୍ଥଳକୁ ୭୯ହଜାର ୯୧୪ ପରିବାରର ୨ ଲକ୍ଷ ୮୧ ହଜାର ୫୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ଭିତରେ ୧ଲକ୍ଷ ୧୫ହଜାର ୬୭ଜଣ ପୁରୁଷ, ୧ଲକ୍ଷ ୬ହଜାର ୩୫୫ଜଣ ମହିଳା, ୫୮୮୯୯ଜଣ ଶିଶୁ, ୧୮୭ଜଣ ଦିବ୍ୟାଙ୍ଗ ରହିଛନ୍ତି। ୫୪୧ଜଣ ଗର୍ଭବତୀଙ୍କୁ ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ୬୪୬ ଆଶ୍ରୟସ୍ଥଳରେ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ବୁଡ଼ି ଅଞ୍ଚଳ ଆସିକା ଓ ସୋରଡ଼ା ଠାରେ ଗୋଟିଏ ଲେଖାଏଁ ଏନ୍‌ଡିଆରଫ୍‌ ଟିମ୍‌ ସଜାଗ ଅଛନ୍ତି। ଚିକିଟି ଓ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ଗୋଟିଏ ଲେଖାଏଁ ଓଡ୍ରାଫ୍‌ ଟିମ୍‌ ମୁତୟନ କରାଯାଇଛି।

ଗୋପାଳପୁର ଡପଲାର ରାଡାର୍‌ର ସୂଚନା ଅନୁଯାୟୀ, ‘ଫନି’ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା କରାଯାଉଥିବାରୁ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଶୁକ୍ରବାର ଘଣ୍ଟା ପ୍ରତି ପବନର ବେଗ ୧୩୦ ରୁ ୧୫୦ କିମି ରହିବା ଆଶଙ୍କା ରହିଛି। ଗୋପାଳପୁର ସମୁଦ୍ର ଅଶାନ୍ତ ହୋଇ ପଡ଼ିଥିବାବେଳେ ଗୋପାଳପୁର ବନ୍ଦରରେ ୧୦ ନମ୍ବର ବିପଦ ସଂକେତ ଦିଆଯାଇଛି। ସମୁଦ୍ରରେ ଦେଢ଼ ମିଟରରୁ ଅଧିକ ଉଚ୍ଚ ଜୁଆର ଆସିବା ସମ୍ଭାବନା ରହିଛି। ୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ଓ ପର୍ଯ୍ୟଟକଙ୍କୁ ସମୁଦ୍ର କରା କରା ଯାଇଥିବା ଗୋପାଳପୁର ଡପଲାର ରାଡାର ବୈଜ୍ଞାନିକ ରଥ ମାରାଣ୍ତି ସୂଚନା ଦେଇଛନ୍ତି। ଶୁକ୍ରବାର ସକାଳଠାରୁ ବାତ୍ୟା ଅତିକ୍ରମ କରିବା ଯାଏଁ ଲୋକଙ୍କୁ ଘରୁ ନ ବାହାରିବା ଲାଗି ନିବେଦନ କରାଯାଇଛି।

ଆଜି ପୂର୍ବାହ୍ନ ୧୧ଟା ପରଠାରୁ ପାଗ କୋହଲା ରହିବା ସାଙ୍ଗକୁ ଝିପି ଝିପି ବର୍ଷା ଆରମ୍ଭ ହୋଇଥିଲା। ଶୁକ୍ରବାର ଫନି ସ୍ଥଳଭାଗ ଛୁଇଁବା ବେଳେ ଗଞ୍ଜାମରେ ପ୍ରବଳ ବର୍ଷା ଓ ପବନ ସାଙ୍ଗକୁ ସ୍ଥିତି ସଙ୍ଗିନ ହେବ। ପ୍ରବଳ ବର୍ଷା ଯୋଗୁଁ ସମୁଦ୍ର କୂଳବର୍ତ୍ତୀ ଖାଲୁଆ ଅଞ୍ଚଳରେ ପାଣି ପଶିବା ସମ୍ଭାବନା ମଧ୍ୟ ରହିଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟ୍ରୋଲ ରୁମ୍‌ ଖୋଲା ଯାଇଛି। କଣ୍ଟ୍ରୋଲ ରୁମ୍‌ର ଫୋନ୍ ନମ୍ବର ରହିଛି ୦୬୮୧୧-୨୬୩୯୭୮। ସେହିପରି ଟୋଲ ଫ୍ରି ନମ୍ବର ରଖାଯାଇଛି ୧୯୫୦। ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ୨୪ଘଣ୍ଟିଆ ହେଲ୍‌ପ ଲାଇନ ଖୋଲାଯାଇଛି। ଏହାର ଫୋନ୍ ନମ୍ବର ରହିଛି ୦୬୮୦-୨୨୫୦୨୯୦। ଜିଲ୍ଲାର ୩ଟି ଷ୍ଟ୍ରଙ୍ଗରୁମ୍‌ ବ୍ରହ୍ମପୁର ସରକାରୀ ଆଇଟିଆଇ, ଛତ୍ରପୁର ଅନ୍‌ସ୍ଲୋ ହାଇସ୍କୁଲ ଓ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ ମୁତୟନ ଅଛନ୍ତି। କୌଣସି ଷ୍ଟ୍ରଙ୍ଗରୁମରେ ପାଣି ପଶିବା ସମ୍ଭାବନା ନାହିଁ। ଇଭିଏମ୍‌ ସୁରକ୍ଷା ସେ ନିଜେ ଅନୁଧ୍ୟାନ ଓ ତଦାରଖ କରିଥିବା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି।

ସମ୍ଭାବ୍ୟ ବାତ୍ୟା ଜନିତ ସ୍ଥିତିର ସୁପରିଚାଳନା ଲାଗି ଜିଲ୍ଲାରେ ଦୁଇ ପୂର୍ବତନ ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିବାବେଳେ ତଦାରଖ ଲାଗି ୧୫ଜଣ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଛି। ପ୍ରତି ଉପଖଣ୍ତରେ ତଦାରଖ ଦାୟିତ୍ବରେ ବରିଷ୍ଠ ଅଧିକାରୀଙ୍କ ସମେତ ୬ଜଣଙ୍କୁ ନେଇ ଟିମ୍‌ ଗଠନ ହୋଇଛି। ଲୋକଙ୍କୁ ସ୍ଥାନାନ୍ତର ଓ ବିଭିନ୍ନ କାର୍ଯ୍ୟଲାଗି ୧୮୬ଟି ଗାଡ଼ି ନିୟୋଜିତ ହୋଇଛି। ଆଶ୍ରୟସ୍ଥଳଗୁଡିକରେ ଲୋକଙ୍କୁ ଗୁରୁବାର ସକାଳେ ଶୁଖିଲା ଖାଦ୍ୟ ଓ କେତେକ କେନ୍ଦ୍ରରେ ରନ୍ଧାଖାଦ୍ୟ ଦିଆଯାଇଛି। ଗୁରୁବାର ରାତିରୁ ସବୁ ଆଶ୍ରୟସ୍ଥଳରେ ରନ୍ଧା ଖାଦ୍ୟ ଦେବା ବ୍ୟବସ୍ଥା ହୋଇଛି। କେତେକ ଅଞ୍ଚଳରେ ଲୋକେ ଘର ଛାଡୁ ନ ଥିବା ବେଳେ ଗୁରୁବାର ପୂର୍ବାହ୍ନ ୧୦ଟା ପରଠାରୁ ପୁଲିସ ସହୟତାରେ ବଳପୂର୍ବକ ଲୋକଙ୍କୁ ଆଶ୍ରୟସ୍ଥଳରେ ରଖାଯାଉଛି। ଏପରିକି ଛତ୍ରପୁର ବ୍ଲକର ଆର୍ଯ୍ୟପଲ୍ଲୀ ଗ୍ରାମରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଆଇଜି ଅମିତାଭ ଠାକୁର ଏବ˚ ଏସ୍‌ପି ବ୍ରିଜେଶ କୁମାର ରାଏ ଘର ଘର ବୁଲି ଲୋକଙ୍କୁ ବୁଝାଇ ଆଶ୍ରୟସ୍ଥଳକୁ ପଠାଇଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ୬୪୬ଟି ଆଶ୍ରୟ ସ୍ଥଳରେ ରାତିରେ ରନ୍ଧାଖାଦ୍ୟ ଦିଆଯିବା ଯୋଜନା ଚାଲିଥିବା ପ୍ରଶାସନ ସୂତ୍ରରୁ ଜଣାପଡିଛି।

ଏହାଛଡ଼ା ଜିଲ୍ଲାରେ ଥିବା ୨୪ଟି ଅଗ୍ନିଶମ କେନ୍ଦ୍ର କର୍ମଚାରୀଙ୍କୁ ନେଇ ଟିମ୍‌ ଗଠନ କରାଯାଇଛି। ଗଛକଟା ଯନ୍ତ୍ର କମ ଥିବାରୁ ଜିଲ୍ଲାର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳରେ ଥିବା ବ୍ରାଞ୍ଚ କଟର୍‌ଗୁଡିକୁ ଅଣାଯାଇ ଅଗ୍ନିଶମ ବାହିନୀକୁ ଦିଆଯାଇଛି। ସେହିପରି ବାତ୍ୟା ମୁକାବିଲାରେ ସହଯୋଗ କରିବା ଲାଗି ପ୍ରାୟ ୨୨ଟି ସ୍ବେଚ୍ଛାସେବୀ ସ˚ସ୍ଥାଙ୍କୁ ସାମିଲ କରାଯାଇଛି। ଗଞ୍ଜାମ ବିପର୍ଯ୍ୟୟ ମୁକାବିଲା ଫୋରମ ନାମରେ ଏକ ଟିମ୍‌ ଗଠନ ହୋଇଛି। ବାତ୍ୟା ଓ ପରବର୍ତୀ ସମୟରେ ଯେଭଳି ପାନୀୟ ଜଳ ସମସ୍ୟା ନ ହେବ ସେଥିପ୍ରତି ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୪୪ଟି ମୋବାଇଲ ସ୍ବାସ୍ଥ୍ୟ ଟିମ୍‌ ଗଠନ ହୋଇଛି। ପ୍ରତି ଟିମ୍‌ରେ ୩ଜଣ ଲେଖାଏଁ ରହିଛନ୍ତି। ପରସ୍ଥିତିକୁ ଦେଖି ଆହୁରି ବୃଦ୍ଧି କରାଯିବ। କଚ୍ଚା ଘରେ କାହାକୁ ରହିବାକୁ ଦିଆଯିବ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି। ଚିକିଟିର ପାହାଡ଼ିଆ ଅଞ୍ଚଳ ଲୋକଙ୍କୁ ଆଶ୍ରୟସ୍ଥଳକୁ ଆଣିବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର