କଟକ: ବନବିଭାଗର ହେପାଜତରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣାରେ ପୁଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସଦ୍ୟତମ ତଥ୍ୟ ଅନୁଯାୟୀ, ଆଠଗଡ଼ ବନଖଣ୍ଡର ୨ ଏସିଏଫ୍ ବି ଆଠଗଡ଼ ଥାନାରେ ଅଟକ ଅଛନ୍ତି। ଦୁହେଁ ହେଲେ ଘନଶ୍ୟାମ ମୁଦୁଲି ଓ ହରେକୃଷ୍ଣ ମଲ୍ଲିକ। ଉଭୟଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ଜଣାଯାଇଛି।
ପୂର୍ବରୁ ବଡ଼ମ୍ବା ରେଞ୍ଜର ସୁବ୍ରତ ବେହେରାଙ୍କ ସମେତ ୭ଜଣଙ୍କୁ ଉଠାଇ ନେଇଛି।। ଏମାନଙ୍କୁ ଆଠଗଡ଼ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଛି।
ସୂଚନା ଅନୁଯାୟୀ, କିଛି ଦିନ ତଳେ ବଡ଼ମ୍ବା ଏବଂ ହିନ୍ଦୋଳ ସଂରକ୍ଷିତ ଜଙ୍ଗଲର ସୀମାବର୍ତ୍ତୀ ଅଞ୍ଚଳରୁ ଏକ ଗଳିତ ଗୁଳିବିଦ୍ଧ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ମାମଲାରେ ବନ ବିଭାଗ ଜଣଙ୍କୁ ଉଠାଇ ଆଣି ଅଟକ ରଖିଥିଲା। କିନ୍ତୁ ରେଞ୍ଜରଙ୍କ ହେପାଜତରେ ଥିବା ଉକ୍ତ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିଲା। ମୃତକ ଖୁଣ୍ଟକଟା ସାତଗୋଛିଆ ଗାଁର ବୋଲି ଜଣାଯାଇଛି।  ଏଣେ ଖବର ପାଇ ମୃତକଙ୍କ ପରିବାର ଆଠଗଡ଼ ଡାକ୍ତରଖାନାରେ ଆସି ପହଞ୍ଚିଥିବାର ସୂଚନା ରହିଛି।

Advertisment

ତେବେ କିଭଳି ପରିସ୍ଥିତିରେ ଧନେଶ୍ୱରଙ୍କ ମୃତ୍ୟୁ ହୋଇଥିଲା, ସେନେଇ ତଦନ୍ତ ଜାରି ରଖିଛି ଆଠଗଡ଼ ଥାନା ପୁଲିସ। ବିଭିନ୍ନ ଦିଗକୁ ନେଇ ଛାନ୍‌ଭିନ୍‌ ଜାରି ରଖିଛି ପୁଲିସ ।

ଅପରପକ୍ଷରେ ଗୋଟିଏ ପରେ ଗୋଟିଏ ଏଭଳି ବାରମ୍ବାର ଦନ୍ତା ଶିକାରକୁ ନେଇ ବଡ଼ମ୍ବା, ନରସିଂହପୁର ତଥା ଆଠଗଡ଼ ବନଖଣ୍ତ ଚର୍ଚ୍ଚାରେ ରହୁଥିବା ବେଳେ ଏବେ ଛୋଟ ଦନ୍ତାହାତୀ ଶିକାର ଘଟଣା ବିଭାଗ ପାଇଁ ସମସ୍ୟା ବଢାଇଛି। ବଡମ୍ବାରେ ହାତୀମୃତ୍ୟୁ ଘଟଣା ଜଣାପଡିବା ପରେ ବନବିଭାଗ ଉଚ୍ଚ ଅଧିକାରୀଙ୍କ ପ୍ରତିକ୍ରିୟା ରଖୁନାହାନ୍ତି। ଏପରିକି ବିଭାଗ ମଧ୍ୟ ଘଟଣାକୁ ଗଣମାଧ୍ୟମଠାରୁ ଦୂରେଇ ରଖିଛି। ବାରମ୍ବାର ବଡମ୍ବାରେ ହାତୀ ମୃତ୍ୟୁ ଘଟୁଥିବା ବେଳେ ବନ ବିଭାଗ ଏ ସଂପର୍କରେ ଖବର ନପାଇବା ଘଟଣା ବନବିଭାଗର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।