କରୋନା ଭୁତାଣୁ ସଂକ୍ରମଣ ସନ୍ଦେହରେ ବୁର୍ଲା ଓ କେନ୍ଦୁଝର ମେଡିକାଲରେ ଭର୍ତ୍ତି ହେଲେ ଦୁଇ ଯୁବକ

ଭୁବନେଶ୍ୱର: ଓଡ଼ିଶାରେ କିଭଳି ରହିଛି କରୋନାର ସ୍ଥିତି | ଏହାକୁ ନେଇ ଆଜି ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି | ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିବାବେଳେ ୧୧୭ ଜଣ ଆକ୍ରାନ୍ତ ହୋମ୍ ଆଇସୋଲେସନରେ ଥିବାର ସୂଚନା ମିଳିଛି | ସେହିପରି ୨ ଜଣ ଏସସିବିର ସ୍ୱତନ୍ତ୍ର ୱାର୍ଡରେ ଚିକିତ୍ସାଧୀନ ଅଛନ୍ତି । ପରୀକ୍ଷା ପାଇଁ ୨ଟି ରକ୍ତ ନମୁନା ପୁନେ ପଠାଯାଇଛି । ଆରଏମଆରସିକୁ ୨ଟି ସାମ୍ପଲ ପଠାଯାଇଛି । କରୋନା ସମ୍ପର୍କିତ ସଚେତନତା ଭିଡିଓ ଫର୍ମାଟରେ ଲୋକଙ୍କୁ କୁହାଯିବ ବୋଲି ସୂଚନା ଦିଆଯାଇଛି | ଅନ୍ୟପଟେ ବୁର୍ଲା ଭିମସାର ଓ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଜଣେ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।

(PTI photo)

କରୋନା ଭୂତାଣୁ ସଂକ୍ରମଣ ସନ୍ଦେହରେ ଯୁବକ ଭର୍ତ୍ତି ହୋଇଛନ୍ତି | ତାଙ୍କୁ ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡରେ ରଖାଯାଇଛି | ଏହି ଯୁବକଙ୍କ ଘର ସୋନପୁର ଜିଲ୍ଲାରେ ହୋଇଥିବା ସୂଚନା ମିଳିଥିବାବେଳେ କିଛିଦିନ ପୂର୍ବେ ଯୁବକ ଜଣକ ଦୁବାଇରୁ ଘରକୁ ଫେରିଥିଲେ | ସେହିପରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ କରୋନା ସଂକ୍ରମଣ ସନ୍ଦେହରେ ଜଣେ ଭର୍ତ୍ତି ହୋଇଛନ୍ତି । ଆଣ୍ଡାମାନରୁ ଫେରିଥିବା ଏହି ବ୍ୟକ୍ତିଙ୍କୁ ମେଡିକାଲରେ ଚିକିତ୍ସା କରାଯାଉଛି । ଗତ ୩ଦିନ ତଳେ ଆଣ୍ଡାମାନ ନିକୋବରରୁ ସେ ଫେରିଥିଲେ |

କରୋନା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ ସ୍କୁଲଗୁଡିକୁ ସତର୍କ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଅନୁସାରେ ପଦକ୍ଷେପ ନିଆଯିବ । ଅନ୍ୟ ଯେଉଁ ରାଜ୍ୟରେ କରୋନା ଚିହ୍ନଟ ହୋଇଛି , ସେଠାରେ ସ୍କୁଲ ବନ୍ଦ ଅଛି । ରାଜ୍ୟରେ ଯେହେତୁ ଚିହ୍ନଟ ହୋଇନି ସ୍କୁଲ ବନ୍ଦ ହେବନାହିଁ | ଯେହେତୁ ଦେଶର ବିଭିନ୍ନ ରାଜ୍ୟରେ କରୋନା ଭାଇରସ ଚିହ୍ନଟ ହେଲାଣି ତେଣୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ସତର୍କ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି |

ସମ୍ବନ୍ଧିତ ଖବର