ଦେବଗଡ଼: ପୌରାଞ୍ଚଳରେ ଥିବା ଆହାର କେନ୍ଦ୍ର ପରିଚାଳନା ଦାୟିତ୍ୱରେ ଥିବା ଜୟ ମା’ ସନ୍ତୋଷୀ ଏସ୍ଏଚ୍‌ଜି ଗ୍ରୁପର ୧ ମାସର ପ୍ରାପ୍ୟ ପ୍ରଦାନ କରାଯାଇ ନଥିବାରୁ ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଆହାର କେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଥିବା ଆହାର କେନ୍ଦ୍ରରେ ତାଲା ପଡ଼ିଥିଲା। ଯାହାଫଳରେ ଲୋକେ ଖାଦ୍ୟ ନ ପାଇ ନିରାଶ ହୋଇ ଫେରିଯାଇଥିଲେ।

Advertisment

ସୂଚନା ଅନୁଯାୟୀ, ସରକାରଙ୍କ ପକ୍ଷରୁ ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ଏବଂ ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ୨ଟି ଆହାର କେନ୍ଦ୍ର ଖୋଲାଯାଇଥିଲା। ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଆହାର କେନ୍ଦ୍ରରେ ପ୍ରତ୍ୟହ ୩୫୦ଟି ମିଲ୍‌ ଏବଂ ମେଡିକାଲ ସମ୍ମୁଖରେ ଥିବା ଆହାର କେନ୍ଦ୍ରରେ ୨୫୦ଟି ମିଲ୍‌ ପ୍ରତ୍ୟେକ ଦିନ ମଧ୍ୟାହ୍ନରେ ପ୍ରସ୍ତୁତ କରାଯାଇଥାଏ। ଏହା ସହିତ ମେଡିକାଲ ସମ୍ମୁଖରେ ଥିବା ଆହାର କେନ୍ଦ୍ରରେ କେବଳ ରାତି ବେଳେ ୨୦୦ଟି ମିଲ ପ୍ରସ୍ତୁତ କରାଯାଇଥାଏ। ଜୟ ମା’ ସନ୍ତୋଷୀ ଏସ୍‌ଏଚ୍‌ଜି ଏହି ୨ଟି ଆହାର କେନ୍ଦ୍ରରେ ଆହାର ଯୋଗାଇ ଆସୁଥିଲେ।

କିନ୍ତୁ ପୌର ପରିଷଦ ପକ୍ଷରୁ ପ୍ରତି ମାସରେ ସେମାନଙ୍କ ପ୍ରାପ୍ୟ ପ୍ରଦାନ ବେଳେ ସମସ୍ୟା ଦେଖାଦେଉଥିଲା। ଏହିକ୍ରମରେ ଗତ ମାର୍ଚ୍ଚ ମାସର ପ୍ରାପ୍ୟ ସେମାନଙ୍କୁ ମିଳି ନଥିବାରୁ ପୂର୍ବରୁ ଏନେଇ ଏସ୍‌ଏଚ୍‌ଜି ସଦସ୍ୟାମାନେ ପୌର କର୍ତ୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ କରିବା ସହ ଏହାର ସମାଧାନ ପାଇଁ ଅନୁରୋଧ କରିଥିଲେ। ତେବେ କୌଣସି ସମାଧାନ ନହେବାରୁ ସେମାନଙ୍କ ପାଇଁ ଆହାର କେନ୍ଦ୍ର ଚଳାଇବା ସମ୍ଭବ ନ ହେବାରୁ ଆଜି ବନ୍ଦ କରି ଦେଇଛନ୍ତି। ସେହିପରି ମୁଖ୍ୟ ଆହାର କେନ୍ଦ୍ରରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ଆହାର କେନ୍ଦ୍ରକୁ ଆହାର ପହଞ୍ଚାଇବା ପାଇଁ ଯୋଗାଇ ଦିଆଯାଇଥିବା ଗାଡ଼ି ଦୀର୍ଘ ମାସ ଧରି ଅଚଳ ହୋଇ ପଡ଼ି ରହୁଥିବା ଅଭିଯୋଗ ହୋଇଛି। ଏନେଇ ପୌରନିର୍ବାହୀ ଅଧିକାରୀ ତପନ ମହାପାତ୍ରଙ୍କ ଯୋଗାଯୋଗ କରିବାରୁ, ଏସ୍‌ଏଚ୍‌ଜିକୁ ସେମାନଙ୍କ ବକେୟା ପ୍ରାପ୍ୟ ବାବଦରେ ଚେକ ପ୍ରଦାନ କରାଯାଇଛି ଏବଂ ଖୁବଶୀଘ୍ର କିପରି ଆହାର କେନ୍ଦ୍ର ସ୍ବଭାବିକ ହେବ ସେ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।