ଜୀବନ୍ତ ବଜ୍ରକାପ୍ତା ଜବତ; ୨ ଗିରଫ

ରେଢାଖୋଲ, କଳାହାଣ୍ଡି, ଦେବଗଡ, କଟକ, ବାଲୁଗାଁରେ ମାଫିଆଙ୍କ କବ୍‌ଜାରେ ୧୨ ବଜ୍ରକାପ୍ତା

କଟକ: ୫ ଲକ୍ଷ ଟଙ୍କାରେ ମୂଲଚାଲ ହୋଇଥିଲା। କଟକ ପହଂଚାଇ ଦେଇଥିଲେ ଆନ୍ଧ୍ରପ୍ରଦେଶର ମାଫିଆ ହାତେହାତେ ଦେଇଥା’ନ୍ତେ ଅଢେଇ ଲକ୍ଷ ଟଙ୍କା। ବାକି ଟଙ୍କା ମିଳିଥା’ନ୍ତା ଚାଲାଣ ପରେ। ସ୍କୁଟିରେ ସମ୍ବଲପୁର ଜିଲ୍ଲାର ରେଢାଖୋଲରୁ କଟକର ଶିଖରପୁରକୁ ଦେଢ଼ବର୍ଷର ଜୀବନ୍ତ ବଜ୍ରକାପ୍ତାକୁ ଆଣି ଆସୁଥିଲେ ଦୁର୍ବୃତ୍ତ। କଟକରେ ପହଞ୍ଚିବା ପରେ ଆନ୍ଧ୍ର ଚାଲାଣ ହୋଇଥା’ନ୍ତା। ୪୦ ହଜାର ଟଙ୍କା ଦେଇ ସେମାନେ ମଧ୍ୟସ୍ଥିଙ୍କ ପାଖରୁ ଆଣିଥିଲେ। କିନ୍ତୁ ଖବର ପାଇ ଆଠଗଡ ବନବିଭାଗ ଚୌଦ୍ବାର ନୂଆପାଟଣା ବ୍ରିଜ୍‌ ପାଖରୁ ଦୁର୍ବୃତ୍ତଙ୍କୁ କାବୁ କରିବା ସହିତ ୪କେଜି ଓଜନର ଜୀବନ୍ତ ବଜ୍ରକାପ୍ତା ଜବତ କରିଛନ୍ତି। ରାଜକନିକାର ଚନ୍ଦ୍ରମଣି ଜେନା(୪୧) ଓ କଟକ ଶିଖରପୁରର ମନୋଜ ଦଳେଇ(୪୩)ଙ୍କୁ ଗିରଫ କରାଯାଇଛି। ସେମାନଙ୍କ ସୂଚନା ଅନୁଯାୟୀ ରେଢାଖୋଲ, କଳାହାଣ୍ଡି, ଦେବଗଡ, ବାଲୁଗାଁ, କୋରାପୁଟ ଆଦି ଜିଲ୍ଲାରେ ପାଖାପାଖି ୧୨ରୁ ଅଧିକ ବଜ୍ରକାପ୍ତା ଏବେ ଚାଲାଣକାରୀଙ୍କ କବ୍‌ଜା‌ରେ ଅଛନ୍ତି। ସେମାନଙ୍କ ଭିଡିଓ ମଧ୍ୟ ଏହି ଦୁଇ ଗିରଫ ବ୍ୟକ୍ତିଙ୍କ ମୋବାଇଲରୁ ଜବତ କରାଯାଇଛି।

ରେଢାଖୋଲ ଜଙ୍ଗଲରୁ ଧରାହୋଇଥିବା ବଜ୍ରକାପ୍ତାକୁ ଜଣେ ବ୍ୟକ୍ତି ପାଖରୁ ୪୦ ହଜାର ଟଙ୍କା ‌ଦେଇ ଚନ୍ଦ୍ରମଣି ଓ ମନୋଜ କିଣିଥିଲେ। ୫ଲକ୍ଷ ଟଙ୍କାରେ ବିକ୍ରି କରିଥା’ନ୍ତେ ବୋଲି ମୂଲଚାଲ ହୋଇଥିଲା। ଜୀବନ୍ତ ବଜ୍ରକାପ୍ତାକୁ ଧରି ସ୍କୁଟିରେ କଟକ ଶିଖରପୁରକୁ ଆସୁଥିଲେ। ଖବର ପାଇ ଆଠଗଡ ଡିଏଫ୍ଓ ସସ୍ମିତା ଲେଙ୍କାଙ୍କ ନେତୃତ୍ବରେ ସ୍ବତନ୍ତ୍ର ଟିମ୍‌ ଚୌଦ୍ବାର ନୂଆପାଟଣା ସେତୁ ନିକଟରେ ସେମାନଙ୍କୁ ଅଟକାଇଥିଲେ। ସେମାନଙ୍କ ବ୍ୟାଗ୍‌ରୁ ବଜ୍ରକାପ୍ତା ମିଳିଥିଲା। ବନବିଭାଗ ସେମାନଙ୍କୁ ଧରି ଆଠଗଡ଼ ବନଖଣ୍ଡ କାର୍ଯ୍ୟାଳୟରେ ଜେରା କରିବାପରେ ରୢାକେଟ ସଂପର୍କରେ ଅନେକ ତଥ୍ୟ ମିଳିଛି। କିନ୍ତୁ ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ ବନବିଭାଗ ବିଶେଷ କିଛି ସୂଚନା ଦେଇନାହିଁ। ସେମାନଙ୍କ ମୋବାଇଲରେ ପାଖାପାଖି ୨୦ଟି ବଜ୍ରକାପ୍ତାର ଭିଡିଓ ଓ ସେମାନଙ୍କୁ ରଖିଥିବା ଚାଲାଣକାରୀଙ୍କ ଭିଡିଓ ରହିଛି। ଅନ୍ୟପଟେ ରେଢାଖୋଲରୁ ବଜ୍ରକାପ୍ତା ଦେଇଥିବା ବ୍ୟକ୍ତି ଫେରାର ହୋଇଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଆଠଗଡ ବନବିଭାଗ ଆଜିର ଘଟଣାକୁ ମିଶାଇ ବଜ୍ରକାପ୍ତା ଚାଲାଣ ଅଭିଯୋଗରେ ୨୭ଜଣଙ୍କୁ ଗିରଫ କରିସାରିଲାଣି। ଆଠଗଡ଼ ବଜ୍ରକାପ୍ତା ଚୋରାଚାଲାଣ ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଅଲ୍ଲୀ ଓ ତାର ୫ ସହଯୋଗୀ ଏବେ ଅନ୍ତରୀଣ ଜାମିନରେ ଆସିବା ପରେ ଏହି ରାକେଟ୍‌ ପୁଣି ସକ୍ରିୟ ହୋଇଉଠିଥିବା ଚର୍ଚ୍ଚା ହେଉଛି। ଆଠଗଡ଼ ଡିଏଫ୍‌ଓଙ୍କ ଉଦ୍ୟମରେ ଯେଉଁଭଳି ଧରପଗଡ଼ ଚାଲିଛି, ସେହି ଅନୁସାରେ ଅନ୍ୟ ବନବିଭାଗ ପକ୍ଷରୁ ଚଢାଉ କରାଯାଉନଥିବାରୁ ଅନ୍ୟସ୍ଥାନରେ ଏବେବି ଏହି ରୢାକେଟ୍‌ ସକ୍ରିୟ ଅଛନ୍ତି।

ସମ୍ବନ୍ଧିତ ଖବର