କରୋନା ଯୋଦ୍ଧାଙ୍କୁ ମାଗଣାରେ ସ୍କୁଟି ଦେବା ନାଁରେ ଠକେଇ ମାମଲାରେ ୨ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ କରୋନା ଯୋଦ୍ଧାଙ୍କୁ ମାଗଣାରେ ସ୍କୁଟି ପ୍ରଦାନ କରିବା ନାମରେ ଟଙ୍କା ହଡପ କରିଥିବା ନେଇ ଅଭିଯୋଗ ପରେ ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲାର କରୋନା ଯୋଦ୍ଧାଙ୍କୁ ମାଗଣାରେ ସ୍କୁଟି ପ୍ରଦାନ କରାଯିବା ନେଇ ଦୁଇ ଯୁବକ ବିଭିନ୍ନ କରୋନା ଯୋଦ୍ଧାଙ୍କୁ ମେସେଜ ପଠାଇଥିଲେ। ବିଶେଷକରି ଏମାନେ ଜିଲ୍ଲାର ଆଶା ଦିଦିମାନଙ୍କୁ ଟାର୍ଗେଟ କରିଥିଲେ। ରାଜ୍ୟର ୩୦ଟି ଜିଲ୍ଲାର ଆଶା ଦିଦିମାନେ ମହାମାରୀ କରୋନା ସମୟରେ ନିଜକୁ ବିପଦରେ ପକାଇ ଲୋକଙ୍କ ସେବା କରିଥିଲେ। ଏମାନଙ୍କୁ ମାଗଣାରେ ସ୍କୁଟି ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ହୋଇଛି।

ତେବେ ଆଶା ଦିଦିମାନେ ସେମାନଙ୍କର ସ୍କୁଟି ନେବା ପାଇଁ ହେଲେ ପ୍ରଥମେ ରେଜିଷ୍ଟ୍ରେସନ ବାବଦକୁ ଟଙ୍କା ପୈଠ କରିବାକୁ ପଡିବ ବୋଲି ମେସେଜ ଦ୍ବାରା ସମସ୍ତଙ୍କୁ ଅବଗତ କରାଇଥିଲେ। ଠକେଇ କରୁଥିବା ଯୁବକମାନେ ହେଲେ ଜଗତସିଂହପୁର ବାଲିକୁଦା ଅଂଚଳର ସୌରଭ ଦାସ ଏବଂ ଦିବ୍ୟରଂଜନ କଂସୋ। ଆଶା ଦିଦିମାନଙ୍କୁ ଗ୍ରାହକ ସେବା କେନ୍ଦ୍ରରୁ ହିଁ ଏକ ନିର୍ଦ୍ଧିଷ୍ଟ ଆକାଉଣ୍ଟ ନମ୍ବରରେ ଟଙ୍କା ପୈଠ କରିବାକୁ କୁହାଯାଇଥିଲା।

କାଲିମେଳା ଓ ମାଥିଲି ଅଂଚଳର କିଛି ଆଶା ଦିଦି ସ୍କୁଟି ମିଳିବ ଭାବି ୭ ହଜାର ଟଙ୍କା ଲେଖାଏଁ ଆକାଉଣ୍ଟରେ ଜମା କରିଥିଲେ। ତେବେ ଟଙ୍କା ଜମା କରିବା ପରେ ସ୍କୁଟି ମିଳିବା ନେଇ ଡେରି ହେବା ସହ ଏହି ବ୍ୟକ୍ତିମାନଙ୍କର ଫୋନ ନମ୍ବର ବନ୍ଦ ହୋଇଯାଇଥିଲା। ଏହାପରେ ଆଶା ଦିଦିମାନେ ଜାଣିପାରିଥିଲେ ଯେ ସେମାନେ ଠକେଇର ଶିକାର ହୋଇଛନ୍ତି। ତୁରନ୍ତ ମାଲକାନଗିରି ପୁଲିସ ନିକଟରେ ଅଭିଯୋଗ କରିବା ପରେ ପୁଲିସର ଏକ ଦଳ ଏହି ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଥିଲେ। ପୁଲିସ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର