ଗୁଳିମାଡ଼ ଘଟଣାରେ ୨ ଗିରଫ, ଗୁରୁତର ଯୁବକ ଭୁବନେଶ୍ବର ସ୍ଥାନାନ୍ତର

ବରଗଡ଼: ଗୁରୁବାର ରାତିରେ ବରଗଡ଼ ସହରରେ ଘଟିଥିବା ଗୁଳିମାଡ଼ ଏବଂ ପ୍ରାଣାନ୍ତକ ଆକ୍ରମଣରେ ଗୁରୁତର ଜଗନ୍ନାଥ କର୍ଣ୍ଣଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତେବେ ଉଚ୍ଚତର ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଜଗନ୍ନାଥଙ୍କ ଗୋଡ଼ରେ ଗୋଟିଏ ଗୁଳି ଫସି ରହିଥିବା କହାଯାଉଛି। ତାକୁ ବାହାର କରିବା ସହ ଚିକିତ୍ସା ପାଇଁ ଭୁବନେଶ୍ବର ପଠାଯାଇଛି। ଏହି ମାମଲାରେ ୨ଜଣ ଅଭିଯୁକ୍ତ ପ୍ରମୋଦ ମଲ୍ଲିକ ଓ ବିଷ୍ଣୁ ମହାପାତ୍ରଙ୍କୁ ପୁଲିସ୍‌ ଗିରଫ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍‌ ସ୍ବତନ୍ତ୍ର ଟିମ୍‌ ଗଠନ କରିଛି।

ତେବେ କେଉଁ କାରଣରୁ ସହରର ମଧ୍ୟସ୍ଥଳରେ ଏଭଳି ଘଟଣା ଘଟିଲା, ତାହା ସ୍ପଷ୍ଟ ହୋଇନାହିଁ। ପୁରୁଣା ଶତ୍ରୁତା ଏବଂ ପୁରୁଣା ଗୋଷ୍ଠୀ ସଂଘର୍ଷ ସହ ଜମି କାରବାର ଏହାର କାରଣ ବୋଲି କୁହାଯାଉଛି। ଗୁରୁତର ଜଗନ୍ନାଥ ବିଜେଡି କର୍ମୀ ଥିଲେ। ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ବି ତାଙ୍କ ଉପସ୍ଥିତି ରହିଥାଏ। ରାଜନୈତିକ ଦଳର ଜ‌େଣ ସକ୍ରିୟ ସଦସ୍ୟଙ୍କୁ ସହରର ବ୍ୟସ୍ତତମ ଅଂଚଳରେ ଗୁଳିମାଡ଼ ଓ ଭୁଜାଲିରେ ଆକ୍ରମଣ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଆଗକୁ ମଧ୍ୟ ସହରରେ ଏଭଳି କିଛି ଅପ୍ରୀତିକର ଘଟଣା ଘଟିବା ଆଶଂକା ରହିଛି। ବିଭିନ୍ନ ଦିଗରୁ ମାମଲାର ଛାନ୍‌ଭିନ୍ ଚାଲିଛି ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ବି ଗିରଫ କରାଯିବ ବୋଲି ଏସ୍‌ପି ପ୍ରହଲ୍ଲାଦ ସହାୟ ମୀନା ପ୍ରତିକ୍ରିୟା ରଖିଛନ୍ତି।

ସମ୍ବନ୍ଧିତ ଖବର