ଭୁବନେଶ୍ବର : ପାରାଦୀପ ବନ୍ଦରର କନଭେୟର୍ ବେଲ୍ଟ ମରାମତି ପାଇଁ ଲାଞ୍ଚ ଘଟଣାରେ ସିବିଆଇ ଶନିବାର ଦିନ ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର ଓ ରିୟଲ୍ ଇଷ୍ଟେଟ୍ ଡେଭଲପର୍ ଶିଶିର କୁମାର ଦାସ। ଚର୍ଚ୍ଚିତ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍ (ଓଏସ୍ଏଲ୍)ର ନିର୍ଦ୍ଦେଶକ ଅଛନ୍ତି। ସିବିଆଇ ରୁଜୁ କରିଥିବା ମାମଲା ମୁତାବକ ଭାଙ୍ଗିଯାଇଥିବା କନଭେୟର୍ ବେଲ୍ଟ ମରାମତି ପାଇଁ ବନ୍ଦରର ମୁଖ୍ୟ ମେକାନିକାଲ ଇଂଜିନିୟର୍ ସରୋଜ ଦାସ ଓଏସଏଲ୍ଠାରୁ ୬୦ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ବେଲ୍ଟର ଦାମ୍ ଏହାଠାରୁ ବହୁ ଅଧିକ ହୋଇଥିବାରୁ ସେ ଏହାକୁ ବନ୍ଦରର କ୍ଷତି ଦର୍ଶାଇ ବନ୍ଦର ଟଙ୍କାରେ ମରାମତି କରିଦେଇ ଥାଆନ୍ତେ। ସରୋଜ ଓ ଓଏସ୍ଏଲ୍ ମଝିରେ ଏହି ଲାଞ୍ଚ କାରବାର ମଧ୍ୟସ୍ଥି ସୁମନ୍ତ ରାଉତଙ୍କ ଜରିଆରେ ହୋଇଥିଲା। ତେଣୁ ଏହି ଆଧାରରେ ଆଜି ଚର୍ଚ୍ଚିତଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। ପ୍ରଥମ ପର୍ଯ୍ୟାୟରେ ହୋଇଥିବା ୨୫ ଲକ୍ଷ ଟଙ୍କା ଲାଞ୍ଚ କାରବାରରୁ ଶିଶିର ୧୦ଲକ୍ଷ ଟଙ୍କା ନେଇଥିଲେ। ତେଣୁ ସିବିଆଇ ଶିଶିରଙ୍କୁ ମଧ୍ୟ ଗିରଫ କରିବା ସହ ତାଙ୍କ ପାଖରୁ ୮.୫ଲକ୍ଷ ଟଙ୍କା ଜବତ କରିଛି। ଅବଶ୍ୟ ଏ ସଂପର୍କରେ ସିବିଆଇ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ବିବୃତି ଜାରି କରାଯାଇନାହିଁ।
ଏହାବ୍ୟତୀତ ସିବିଆଇ ଶନିବାର ଦିନ ଉଭୟ ଚର୍ଚ୍ଚିତ ଓ ଶିଶିରକୁ ୪ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରିଥିବା ଜଣାଯାଇଛି। ଆସନ୍ତା ୯ ତାରିଖ ଦିନ ରିମାଣ୍ଡ ଅବଧି ଶେଷ ପରେ ଚର୍ଚ୍ଚିତଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କର ଜାମିନ ଆବେଦନ ଶୁଣାଣି ୧୦ ତାରିଖରେ ହେବ ବୋଲି ମାମଲା ପରିଚାଳନା କରୁଥିବା ଆଇନଜୀବୀ ଜୟଦୀପ ପାଲ୍ ସୂଚନା ଦେଇଛନ୍ତି। ସେହିଭଳି ଚର୍ଚ୍ଚିତଙ୍କ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ୍ ହୋଇଥିବାରୁ ଖାଇବା ଓ ଔଷଧକୁ ନେଇ ଏବେ ବି ନିରୀକ୍ଷଣରେ ଅଛନ୍ତି। ୧୦ ତାରିଖ ଯାଏ ଚର୍ଚ୍ଚିତଙ୍କୁ ସ୍ବାସ୍ଥ୍ୟାବସ୍ଥା ବାବଦରେ କି’ କି’ ପ୍ରକାରର ସୁବିଧା ଦିଆଯିବ, ସେନେଇ ସିବିଆଇ ଜଣେ ଡାକ୍ତରଙ୍କ ପରାମର୍ଶ ନେଇଥିବା ଜଣାପଡ଼ିଛି। ଡାକ୍ତରଙ୍କ କହିବାନୁସାରେ, ଚର୍ଚ୍ଚିତଙ୍କୁ ସବୁପ୍ରକାରର ସୁବିଧା ଦିଆଯିବ ବୋଲି ଜଣାପଡ଼ିଛି।
ସେହିଭଳି ଆଜିର ମାମଲାକୁ ମିଶାଇ ମୋଟ ୬ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସିବିଆଇର ନଜର ଏବେ କେସିଟି ଗ୍ରୁପ୍ର ଦେବପ୍ରିୟ ମହାନ୍ତିଙ୍କ ଉପରେ ରହିଛି ଏବଂ ତାଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ଖୁବ୍ଶୀଘ୍ର ଦେବପ୍ରିୟଙ୍କୁ ମଧ୍ୟ ସିବିଆଇ ଏହି ମାମଲାରେ ତନାଘନା କରିବାକୁ ଡାକିପାରେ ବୋଲି କୁହାଯାଉଛି। ଆଜି ସକାଳୁ ଚର୍ଚ୍ଚିତ ଗିରଫ ହେବା ପରେ ଅପରାହ୍ଣରେ ପୁଣି ମହିମା ମିଶ୍ର ସିବିଆଇ କାର୍ଯ୍ୟାଳୟକୁ ଆସିଥିଲେ। ପ୍ରାୟ ଘଣ୍ଟାଏ କାଳ ସିବିଆଇ ଅଫିସ୍ରେ ରହିବା ପରେ ସେ ଫେରିଯାଇଥିବା ଜଣାପଡ଼ିଛି।