ବୁଦାମୂଳରୁ ଉଦ୍ଧାର ହେଲେ ୨ ଶିଶୁ

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଶୁକୃଳି ଡାକ୍ତରଖାନା ପରିସରରୁ ଗତକାଲି ରାତିରେ ଉଦ୍ଧାର ହୋଇଥିବା ନବଜାତ ଯାଆଁଳା ଶିଶୁ ପୁତ୍ରଙ୍କୁ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଶିଶୁ ଦ୍ବୟଙ୍କ ଓଜନ ଓ ଆବଶ୍ୟକତାରୁ ବହୁତ କମ୍‌ ଥିବାରୁ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ଚିକିତ୍ସାଳୟକୁ ପଠାଯିବାର ବ୍ୟବସ୍ଥା କରାଯାଇଛି।

ଘଟଣାରୁ ପ୍ରକାଶ, ଜଣେ ବିଧବା ମହିଳା ଗତକାଲି ରାତିରେ ପେଟ ବଥା ହେଉଥିବା ଦର୍ଶାଇ ଚିକିତ୍ସା ପାଇଁ ଶୁକୃଳି ମେଡିକାଲକୁ ଆସିଥିଲେ। କିନ୍ତୁ ଗର୍ଭ ଯନ୍ତ୍ରଣା ହେବାରୁ ମହିଳା ଜଣକ ଡାକ୍ତରଖାନାର ଏକ ପରିତ୍ୟକ୍ତ ବୁଦାମୂଳକୁ ଯାଇ ଶିଶୁ ପୁତ୍ର ଜନ୍ମ କରି ଫେରି ଆସିଥିଲେ। ଡାକ୍ତରଖାନାରେ ଜଣେ ନର୍ସ ସଂପୃକ୍ତ ମହିଳାଙ୍କ ଗତିବିଧି ଉପରେ ନଜର ଲକ୍ଷ୍ୟ ରଖିଥିଲେ। ଘଟଣା ସଂପର୍କରେ ଜାଣିବା ପାଇଁ ନର୍ସ ଯେତେ ପଚାରିଲେ ମଧ୍ୟ ମହିଳା ଜଣକ କିଛି ଉତ୍ତର ଦେଇ ନଥିଲେ। ଏହାପରେ ସନ୍ଦେହ କରି ନର୍ସମାନେ ସେହି ପରିତ୍ୟକ୍ତ ସ୍ଥାନକୁ ଯାଇ ଦୁଇଟି ନବଜାତ ଶିଶୁ ପୁତ୍ରଙ୍କୁ ଦେଖିବାକୁ ପାଇଥିଲେ। ତୁରନ୍ତ ଶିଶୁଦ୍ବୟଙ୍କୁ ନର୍ସମାନେ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରାଇ କରଞ୍ଜିଆ ମେଡିକାଲକୁ ପଠାଇଥିଲେ। ସେଠାରେ ସ୍ବତନ୍ତ୍ର ଚେମ୍ବରରେ ରଖାଯାଇ ଚିକିତ୍ସା କରାଯାଉଛି। ତେବେ ଶିଶୁ ପୁତ୍ର ଦ୍ବୟର ଓଜନ ୧ କିଗ୍ରା ୪୫୦ ଗ୍ରା. ଓ ୧ କିଗ୍ରା ୩୫୦ ଗ୍ରା.। ଉଭୟଙ୍କୁ ବାରିପଦା ଜିଲ୍ଲା ଡାକ୍ତରଖାନା ପଠାଯିବାର ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର