ଖୋର୍ଦ୍ଧା/ ବ୍ରହ୍ମଗିରି/ରାଜନଗର: ବାର୍ଡ ଫ୍ଲୁ ଆତଙ୍କ ପରେ ଚିଲିକା ଓ ଭିତରକନିକାକୁ ଆସୁଥିବା ବିଦେଶାଗତ ପକ୍ଷୀ ଉପରେ ନଜର କେନ୍ଦ୍ରୀଭୂତ ହୋଇଛି। ତେବେ, ଭିତରକନିକାରେ ଦୁଇଟି ବିଦେଶୀ ପକ୍ଷୀ ମରିଥିବା ସୂଚନା ମିଳିବା ପରେ ରାଜନଗ2ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ବିଦେଶୀ ପକ୍ଷୀଙ୍କ ମଳ ଓ ପାଣି ନମୁନା ସଂଗ୍ରହ ପାଇଁ ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ରାଜନଗର ଡିଏଫ୍ଓଙ୍କୁ ଚିଠି ଲେଖାଯାଇଛି। ସେହିଭଳି, ଖୋର୍ଦ୍ଧା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ଚିଲିକା –ନଳବଣ ପକ୍ଷୀ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି ଅସୁସ୍ଥ ଥିବା ୧୫ଟି ବିଦେଶାଗତ ପକ୍ଷୀଙ୍କ ନମୁନା ସହ ୧୨୭୫ କୁକୁଡ଼ା, ବତକ ଆଦିର ରକ୍ତ ,ମଳ ଓ ଲାଳ ଆଦି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ମଧ୍ୟପ୍ରଦେଶର ଭୋପାଳକୁ ପଠାଯାଇଛି। ସେହିଭଳି, ଚିଲିକା ଉପକୂଳ ବ୍ରହ୍ମଗିରି ବ୍ଲକ୍ରେ ବିଭିନ୍ନ କୁକୁଡ଼ା ଓ ବତକ ଫାର୍ମ ସହିତ ଘରୋଇ ଭାବରେ ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ରକ୍ତ, ଲାଳ ଓ ମଳ ନମୁନା ସଂଗୃହୀତ ହୋଇଛି।
ଆଜି ରାଜନଗର ବ୍ଲକ କୋଲଇିପୁର ପଂଚାୟତ ବଡପଲ୍ଲୀ ନିକଟରେ ଦୁଇଟି ବିଦେଶୀ ପକ୍ଷୀ ମରି ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଖବରପାଇ ସହକାରୀ ପ୍ରାଣୀ ଚିକିତ୍ସା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ମୃତ ପକ୍ଷୀଙ୍କୁ କୁକୁର ଟାଣି ନେଇ ସାରିଥିଲା। ବିଦେଶୀ ପକ୍ଷୀଙ୍କ ମୃତଦେହ ମିଳିବା ପରେ ଅଂଚଳରେ ଆତଙ୍କ ସୃଷ୍ଟି ହୋଇଛି। ରାଜନଗର ପ୍ରାଣୀ ଚିକିତ୍ସାଧିକାରୀ ରାଜନଗର ଡିଏଫଓଙ୍କୁ ଚିଠି ଲେଖି ବିଦେଶୀ ପକ୍ଷୀଙ୍କ ନମୁନା ସଂଗ୍ରହ ପାଇଁ ଅନୁମତି ଲୋଡିଛନ୍ତି। ବିଦେଶୀ ପକ୍ଷୀ ଭିଡ ଜମାଇଥିବା ସ୍ଥାନରୁ ପକ୍ଷୀଙ୍କ ମଳ ଓ ପାଣି ପିଉଥିବା ସ୍ଥାନରୁ ପାଣି ନମୁନା ସଂଗ୍ରହ ପାଇଁ ଚିଠି ଲେଖିଛନ୍ତି।
ଅନ୍ୟପକ୍ଷରେ, ନଳବଣ ଅଭୟାରଣ୍ୟର ପ୍ରାଣୀ ଚିକିତ୍ସିତ ଡା. ଦେବେନ୍ଦ୍ର ନାଥ ସୋଲାଙ୍କି କହିଛନ୍ତି, ଗତ ନଭେମ୍ବର ମାସ ଠାରୁ ଚିଲିକା, ନଳବଣ ଅଭୟାରଣ୍ୟ ଓ ଚିଲିକା ବ୍ଲକ୍ରେ ଥିବା ବିଭିନ୍ନ କୁକୁଡ଼ା, ବତକ ଫାର୍ମ ଉପରେ ନଜର ରଖାଯାଇଛି। ୨୦୧୯ ନଭେମ୍ବର ଓ ଡିସେମ୍ବର ମାସରେ ଦୁଇଟି ଦଫାରେ ୩୫ଟି ବିଦେଶାଗତ ପକ୍ଷୀଙ୍କ ରକ୍ତ, ମଳ ଓ ଲାଳର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ଆଜି ୧୫ଟି ଅସୁସ୍ଥ ଥିବା ବିଦେଶାଗତ ପକ୍ଷୀଙ୍କ ଲାଳ ଆଦିର ନମୁନା ସଂଗ୍ରହ କରାଯାଇଛି। ସେହିଭଳି, ଚିଲିକା ନିକଟରେ ଥିବା ବିଭିନ୍ନ ଫାର୍ମରୁ ୧୨୭୫ କୁକୁଡ଼ା, ବତକ ଆଦିଙ୍କ ରକ୍ତ, ଲାଳ ଆଦିର ନମୁନା ମଧ୍ୟ ସଂଗ୍ରହ କରି ପରୀକ୍ଷା ପାଇଁ ମଧ୍ୟପ୍ରଦେଶର ଭୋପାଳ ପଠାଯାଇଛି। ଏହାସହ ପକ୍ଷୀମାନଙ୍କୁ ରାଣୀକ୍ଷେତ ଟିକା ଦିଆଯାଉଛି। ଚିଲିକା ଓ ନଳବଣ ଅଭୟାରଣ୍ୟ ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ନେଇ ଗଠିତ ଟିମ୍କୁ ବାର୍ଡ ଫ୍ଲୁ ଉପରେ ସତର୍କ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ବିଦେଶାଗତ ପକ୍ଷୀ କିମ୍ବା ଚିଲିକା ନିକଟରେ ଥିବା ଘରୋଇ ଫାର୍ମର କୁକୁଡ଼ା, ବତକ ଆଦି ଅସୁସ୍ଥ ଥିବା ଜାଣିଲେ ତୁରନ୍ତ ସୂଚନା ଦେବା ସହ ପଦକ୍ଷେପ ନେବାକୁ ସ୍ଥାନୀୟ ଗ୍ରାମବାସୀ ଓ ଫାର୍ମ ମାଲିକଙ୍କୁ ସୂଚିତ କରାଯାଇଥିବା ଶ୍ରୀ ସୋଲାଙ୍କି କହିଛନ୍ତି। ସେହିଭଳି, ଜିଲ୍ଲା ସ୍ବାସ୍ଥ୍ୟାଧିକାରୀ ବିଶ୍ବରଞ୍ଜନ ପତି କହିଛନ୍ତି ଯେ, ବାର୍ଡ ଫ୍ଲୁ ନେଇ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ ଯାଏଁ କୌଣସି ବାର୍ଡ ଫ୍ଲୁ ଆକ୍ରାନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ଅନ୍ୟ ହସ୍ପିଟାଲ୍କୁ ଆସିନାହାନ୍ତି । ତେବେ ନିକଟରେ ଚିଲିକା ଥିବାରୁ ସମ୍ଭାବ୍ୟ ବାର୍ଡ ଫ୍ଲୁ ସଂକ୍ରମଣ ନେଇ ଅଧିକ ସତର୍କତା ଗ୍ରହଣ କରାଯାଇଛି। ଚିଲିକା କର୍ତ୍ତୃପକ୍ଷଙ୍କ ସହ ନିୟମିତ ଯୋଗାଯୋଗ ରଖାଯାଇଛି ବୋଲି ଡା. ପତି କହିଛନ୍ତି।
ଅପରପକ୍ଷେ, ଗତ କିଛି ଦିନ ହେଲା ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ୍ର ୭ଟି ପଞ୍ଚାୟତ ମଧ୍ୟରେ ଥିବା ଫାର୍ମଗୁଡ଼ିକରୁ ନିୟମିତ ଭାବରେ ନମୁନା ସଂଗୃହୀତ ହେଉଛି। ଗତ ସସ୍ତାହରେ ମୋଟ ୧୪୫ଟି ନମୁନା ପରୀକ୍ଷା ପାଇଁ ଫୁଲନଖରାସ୍ଥିତ ଏଡିଆର୍ଆଇକୁ ପଠାଯାଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/dg65jh495dgh7f98sdh7f86h4sf65h465sf4h65sfhsfhsfhsfhsfh.jpg)