ଭୀମଦାସପୁରରେ ନିର୍ବାଚନ ପରବର୍ତ୍ତୀ ହିଂସା, ୨ ବିଜେଡି କର୍ମୀ ଗୁରୁତର

ସାଲେପୁର : ସାଲେପୁର ଥାନା ଅନ୍ତର୍ଗତ ଭୀମଦାସପୁରରେ ଆଜି ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ। ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଥାନାରେ ଅଭିଯୋଗ କରାଯାଇଛି। ଦୁଇ ଆହତଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଯୋଗ ମୁତାବକ, ଭୀମଦାସପୁର ପଞ୍ଚାୟତ ଭୀମଦାସପୁର ଗ୍ରାମର ମନୋରଞ୍ଜନ ପରିଡ଼ା, ପ୍ରଭାତ କୁମାର ନାୟକ, ବିଭୂତି ଭୂଷଣ ବାରିକ, ଜାନକୀବଲ୍ଲଭ ସ୍ବାଇଁ ଓ ଶିବ ଦାସ ଏକ ବୋଲେରୋ‌ରେ ଆଜି ଅପରାହ୍ନ ପ୍ରାୟ ୩ଟାରେ ଚଣ୍ଡିଖୋଲରୁ ଫେରି ନିଜ ଗ୍ରାମକୁ ଯାଉଥିଲେ। ଉଲଦିଆ ଗ୍ରାମର ମହାବୀର ବଜାର ଛକ ନିକଟରେ କିଶୋର ଚନ୍ଦ୍ର ନାୟକ, ଅମିତ କୁମାର ନାୟକ, ଅନୁପ କୁମାର ନାୟକ ପ୍ରମୁଖ ପୂର୍ବ ରାଜନୈତିକ ଶତ୍ରୁତାରୁ ଗାଡ଼ି ଅଟକାଇବା ସହ ଭୁଜାଲି, ଲୁହାରଡ୍‌ରେ ସେମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତେବେ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଯିବାରୁ ଆକ୍ରମଣକାରୀମାନେ ପଳାଇ ଯାଇଥିଲେ। ପରେ ଗୁରୁତର ଆହତ ପ୍ରଭାତ ଓ ବିଭୂତିଙ୍କୁ ଚିକିତ୍ସା ପାଇଁ ସାଲେପୁର ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତରଙ୍କ ପରାମର୍ଶକ୍ରମେ ଉଭୟଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏ ସମ୍ପର୍କରେ ମନୋରଞ୍ଜନ ପରିଡ଼ା ସାଲେପୁର ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଆଇଆଇସି ଦେବେନ୍ଦ୍ର କୁମାର ମଲ୍ଲିକ ସୂଚନା ଦେଇଛନ୍ତି। ଆହତ ଯୁବକମାନେ ବିଜେଡି ସମର୍ଥକ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର