କଟକ: କଟକ ଜିଲ୍ଲା ପରିଷଦରେ ଏକ ପ୍ରକାର କ୍ଲିନ୍ ସୁଇପ୍ କରିଛି ବିଜେଡି। ୪୬ରୁ ୪୫ଟି ଜୋନ୍ ଦଖଲ କରିଛି ବିଜେଡି। ଜିଲ୍ଲା ପରିଷଦ ଗଠନକୁ ନେଇ କୌଣସି ପ୍ରକାର ଚିନ୍ତା ନାହିଁ। କିନ୍ତୁ ଏବେ ଆରମ୍ଭ ହୋଇଯାଇଛି ପଞ୍ଚାୟତ ସମିତି ଦଖଲକୁ ନେଇ ଛକପଞ୍ଝା। କଟକ ଜିଲ୍ଲାର ୧୪ଟି ପଂଚାୟତ ସମିତି ମଧ୍ୟରୁ ୨ଟି ପଂଚାୟତ ସମିତି ଏବେ ବିଜେଡି ହାତରୁ ଖସି ଯିବାକୁ ବସିଥିବା କୁହାଯାଉଛି। ନିଆଳି ନିର୍ବାଚନ ମଣ୍ଡଳୀର ନିଆଳି ଓ କଣ୍ଟାପଡା ପଂଚାୟତ ସମିତିକୁ ନେଇ ଏବେ ଏଭଳି ସ୍ଥିତି ସୃଷ୍ଟି ହୋଇଛି।
ନିଆଳି, କଣ୍ଟାପଡ଼ାରେ ସଂଖ୍ୟା ଗରିଷ୍ଠ ସମର୍ଥନ ନାହିଁ
କଣ୍ଟାପଡ଼ା ସଂରକ୍ଷିତ ଆସନ ପାଇଁ ବିଜେଡିର ପ୍ରାର୍ଥୀ ନାହାନ୍ତି; ବିଜେପି ହାତକୁ ଯିବ
ନିଆଳି ପଂଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ବିଜେଡିର ପ୍ରମୁଖ ଦାବିଦାର ଥିବା ବର୍ତ୍ତମାନର ପଞ୍ଚାୟତ ସମିତି ଅଧ୍ୟକ୍ଷା କଳ୍ପନା ପାଣିଙ୍କ ସ୍ବାମୀ ଆଦିତ୍ୟ ପାଣି ୪୪୬ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି। ଫଳରେ ବିଜେଡି ସମର୍ଥନରେ ବିଳାସୁଣୀ ପଞ୍ଚାୟତର ସମିତିସଭ୍ୟ ଭାବେ ବିଜୟୀ ହୋଇଥିବା ସମ୍ପଦ ମହାନ୍ତିଙ୍କ ନାଁ ଏବେ ଚର୍ଚ୍ଚାକୁ ଆସୁଛି। କିନ୍ତୁ ନିଆଳିରେ ୨୩ ପଂଚାୟତ ସମିତିରୁ ବିଜେଡି ସମର୍ଥିତ ୧୦ଜଣ ସମିତିସଭ୍ୟ ବିଜୟୀ ହୋଇଛନ୍ତି। ପଂଚାୟତ ସମିତି ଗଠନ ପାଇଁ ଆଉ ୨ ସଭ୍ୟଙ୍କ ସମର୍ଥନ ଆବଶ୍ୟକ।
ସେପଟେ କଂଗ୍ରେସର ଶଶିକାନ୍ତ ଲେଙ୍କା ତିହୁଡିରୁ ବିଜୟୀ ହୋଇଥିବା ବେଳେ ସେ ପଂଚାୟତ ସମିତି ଅଧ୍ୟକ୍ଷ ପାଇଁ ଦାବିଦାର ଅଛନ୍ତି। ଗୋଟିଏ ପଟେ ଶଶିକାନ୍ତ ୧୩ ସମିତି ସଭ୍ୟଙ୍କୁ ନିଜ ସମର୍ଥନରେ ରଖିବାକୁ ଜୋରଦାର ଉଦ୍ୟମ କରୁଥିବା ବେଳେ ବିଧାୟକ ଡାକ୍ତର ପ୍ରମୋଦ ମଲ୍ଲିକ ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ ଦଳ କବ୍ଜାରେ ରଖିବା ପାଇଁ ସ୍ବତନ୍ତ୍ର ରଣକୌଶଳ ଆରମ୍ଭ କରି ଦେଇଛନ୍ତି। ଏହାକୁ ନେଇ ନିଆଳିରେ ଏବେଠୁ ହଟଚମଟ ଆରମ୍ଭ ହୋଇଥିବା ବେଳେ ସମିତିସଭ୍ୟ ମାନଙ୍କୁ ବାହାରକୁ ନେଇ ଅଜ୍ଞାତରେ ରଖିବା ପ୍ରକ୍ରିୟା ଆରମ୍ଭ ହୋଇଗଲାଣି।
କଣ୍ଟାପଡା ବ୍ଲକ୍ରେ ମଧ୍ୟ ଅନୁରୂପ ସ୍ଥିତି। ୧୪ଟି ପଂଚାୟତରୁ ୮ ସମିତି ସଭ୍ୟଙ୍କ ସମର୍ଥନ ଅଧ୍ୟକ୍ଷ ପାଇଁ ଆବଶ୍ୟକ ଥିବା ବେଳେ ବିଜେଡି ସମର୍ଥିତ ସମିତିସଭ୍ୟ ଏଠି ୫ଟିରେ ବିଜୟୀ ହୋଇଛନ୍ତି। ଏହି ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ ଏସସି(ମହିଳା)ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି। ତେଣୁ ଉତ୍ତାରଣ ପଞ୍ଚାୟତର ସମିତିସଭ୍ୟାଭାବେ ବିଜୟୀ ହୋଇଥିବା ଝରଣା ମଲ୍ଲିକ୍ ଓ ବାଗଲପୁରରେ ଜିନା ଭୋଇଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଏମାନଙ୍କ ମଧ୍ୟରୁ ଜଣେ ହେବେ କଣ୍ଟାପଡା ପଞ୍ଚାୟତ ସମିତି ଅଧ୍ୟକ୍ଷା।
କିନ୍ତୁ ଦୁଇ ଜଣଯାକ ହେଉଛନ୍ତି ବିଜେପି ସମର୍ଥିତ। ଏମାନଙ୍କୁ ମିଶାଇ ବିଜେପି ୮ ସମିତି ସଭ୍ୟ ତା ଶିବିରରେ ଅଛି ବୋଲି ଦାବି କରୁଛି। ଏବଂ କଣ୍ଟାପଡା ପଂଚାୟତ ସମିତି ବିଜେପି ହାତରେ ରହିବ ବୋଲି ଦଳର ବରିଷ୍ଠ ନେତା ଦାବି କରୁଛନ୍ତି। କିନ୍ତୁ ଝରଣା ଓ ଜିନାଙ୍କ ମଧ୍ୟରୁ ଜଣକୁ ବିଜେଡି ନେଇ ପଂଚାୟତ ଦଖଲ ଯୋଜନା ଆରମ୍ଭ କରିଥିବା ବେଳେ ବିଜେପି ନିଜ ସଂଖ୍ୟା ସୁରକ୍ଷିତ ରଖି ପଂଚାୟତ ସମିତି ଦଖଲ ଯୋଜନାରେ ଲାଗି ପଡିଛି। ଜିଲ୍ଲାର ଅନ୍ୟ ୧୨ଟି ପଂଚାୟତ ସମିତି ଅବଶ୍ୟ ବିଜେଡି ଦଖଲକୁ ଯିବାରେ ବିଶେଷ ସମସ୍ୟା ନଥିବା କୁହାଯାଉଛି।