ଫୁଟପାଥ୍‌ରେ ଶୋଇବା ମହଙ୍ଗା ପଡ଼ିଲା, ୨ ଭାଇଙ୍କ ଉପରେ ଗାଡ଼ି ଚଢ଼ିଗଲା

ରାୟଗଡା: ରଥଯାତ୍ରାରେ କଣ୍ଢେଇ ବିକ୍ରି କରିବାକୁ ଆସିଥିବା ୨ ନାବାଳକ ଆଜି ଦୁର୍ଘଟଣାର ଶିକାର ହୋଇଛନ୍ତି। ସକାଳେ ଓଭରବ୍ରିଜ୍ ପାର୍ଶ୍ବ ଫୁଟପାଥ୍‌ରେ ଶୋଇଥିବା ସମୟରେ ଉଭୟଙ୍କ ଗୋଡ଼ ଉପର ଦେଇ କୌଣସି ଅଜଣା ଗାଡ଼ି ଚଢ଼ି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ଗୁରୁତର ଅବସ୍ଥାରେ ୨ ନାବାଳକ ଭାଇ ପଡ଼ି ରହିଥିବାବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛନ୍ତି। ମିଳିଥିବା ସୂଚନା ମୁତାବକ, ବଲାଙ୍ଗୀର ଜିଲ୍ଲା ପାଟଣାଗଡର ଏକ ବୁଲା ବିକାଳି ପରିବାର ରାୟଗଡା ରଥଯାତ୍ରାକୁ ବିଭିନ୍ନ ସାମଗ୍ରୀ ବିକ୍ରି କରିବାକୁ ଆସିଛନ୍ତି। ବାପା, ମା’ ସହ ୨ ପୁଅ ଅର୍ଜୁନ ଶବର (୧୨) ଓ ଶେଖର ଶବର (୧୪) ଯାତ୍ରାରେ କଣ୍ଢେଇ ବିକ୍ରି କରୁଛନ୍ତି। ସବୁ ଦିନ ଭଳି ଗତକାଲି ବିକ୍ରି ଶେଷ ହେବା ପରେ ସପରିବାର ରାୟଗଡା ଓଭର ବ୍ରିଜ୍ ତଳେ ଶୋଇଥିଲେ। ଆଜି ଭୋରରେ କୌଣସି ଅଜଣା ଗାଡି ୨ ନାବାଳକଙ୍କ ପାଦ ଉପର ଦେଇ ମାଡ଼ି ଯାଇଥିଲା। ଫଳରେ ଉଭୟଙ୍କୁ ଗୋଡ଼ରେ ଗଭୀର ଆଘାତ ଲାଗିଛି। ୨ ପୁଅଙ୍କ ଚିତ୍କାର ଶୁଣି ବାପା, ମା’ ଉଠିବା ପରେ ଘଟଣା ସଂପର୍କରେ ଜାଣି ସ୍ଥାନୀୟ ଲୋକଙ୍କ ସହାୟତାରେ ଚିକିତ୍ସା ପାଇଁ ରାୟଗଡା ମେଡିକାଲରେ ଭର୍ତି କରିଛନ୍ତି। ଉଭୟଙ୍କ ଚିକିତ୍ସା ଚାଲିଥିବା ଏବଂ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର