ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଜେକେପୁର-କଲ୍ୟାଣସିଂହପୁର ରାସ୍ତାର ଗେଟିପଡ଼ା ପୋଲ ନିକଟରେ ଆଜି ଅପରାହ୍ନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇଭାଇଙ୍କ ଜୀବନ ଚାଲିଯାଇଛି। ମୃତକ ହେଲେ, ବୁଲୁ ବେନିୟା (୩୭) ଓ ମନୋଜ ବେନିୟା(୨୫)।
କୋଲନରା ବ୍ଲକ୍ କାର୍ଲାକଣା ପଞ୍ଚାୟତ ରାମପୁର ଗ୍ରାମର ଦୁଇଭାଇ ବୁଲୁ ଓ ମନୋଜ ରାୟଗଡ଼ାରୁ ବାଇକ୍ (ଓଡି ୧୮କେ ୫୫୭୨)ରେ ଘରକୁ ଫେରୁଥିଲେ। ଏହିସମୟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ପିକ୍ଅପ୍ ଭ୍ୟାନ୍ (ଓଡି ୧୮ଜି ୦୭୫୫) ବାଇକ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଉଭୟଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।
ଦୁର୍ଘଟଣା ଘଟାଇବା ପରେ ପିକଅପ୍ ଭ୍ୟାନ୍କୁ ସ୍ଥାନୀୟ ଲୋକେ ଓ ପୁଲିସ୍ ଅଙ୍ଗୁର ନିକଟରେ ଭ୍ୟାନ୍କୁ କାବୁ କରିଥିଲେ। ଡ୍ରାଇଭର୍ ଫେରାର ହୋଇଯାଇଥିଲା। ଖବର ପାଇ ଚାନ୍ଦିଲି ଥାନା ଅଧିକାରୀ ଯଶୋବନ୍ତ ହିଆଲ୍ ଓ ଅନ୍ୟ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣା ପରେ ସଂପର୍କୀୟ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି।