ଜୟପୁର: ଜୟପୁର ସଦରଥାନା ପୁଲିସ ହାତରେ ଧରାପଡ଼ିଛନ୍ତି ରାଜସ୍ଥାନରୁ ଏଠାକୁ ଗଂଜେଇ କିଣିବାକୁ ଆସିଥିବା ୨ଜଣ ବ୍ୟକ୍ତି ଏବଂବିକ୍ରେତା। ସେମାନଙ୍କ ନିକଟରୁ ଗୋଟିଏ କାର୍ ସହ ୧୫ହଜାର ୨ଶହ ଟଙ୍କା ଓ ପାଂଚଟି ମୋବାଇଲ୍ ଫୋନ୍ ଜବତ କରିଛି। ମିଳିଥିବା ସୂଚନା ମୁତାବକ, ଗତ କାଲି ସଂଧ୍ୟାରେ ଜୟପୁର ସଦରଥାନା ଅଧିକାରୀ ଇଶ୍ବରତାଣ୍ଡିଙ୍କ ନିର୍ଦ୍ଦେଶକ୍ରମେ ଆମ୍ବାଗୁଡା ପଣ୍ଡି ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି ଜାତୀୟ ରାଜପଥ ଉପରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ନବରଙ୍ଗପୁର ପଟରୁ ଗୋଟିଏ ମାରୁତି ଇକୋ କାର ଆସୁଥିଲା।

Advertisment

କାରକୁ କୋଲ୍ଡଷ୍ଟୋରେଜ୍ ନିକଟରେ ଅଟକାଇ କାଗଜପତ୍ର ଯାଂଚ ବେଳେ ଚାଳକ ଏବଂ ଏଥିରେ ବସିଥିବା  ଆଉ ୨ବ୍ୟକ୍ତିଙ୍କ ଗତିବିଧି ପୁଲିସକୁ ସଂଦେହାସ୍ପଦ ଲାଗିଥିଲା। ରାଜସ୍ଥାନର ଉଦୟପୁର ଜିଲ୍ଲାର ଗୋବର୍ଦ୍ଧନ ବିଳାସ ଥାନା ଅଂଚଳର ନରେଶ ସାଲଭି ଓ ଥାନା କନୋଡ ଅଂଚଳର କରଣସିଂ ରାଣାୱାତ ଓ ସଦରଥାନା ଅର୍ନ୍ତଗତ ପୁସପୁର ଗାଁର ଧବୁଳୁ ହରିଜନ। ସେମାନଙ୍କୁ ଅଟକ ରଖି ଅଧିକା ପଚାରାଉଚାରା କରିବା ସହ କାର୍ ଯାଂଚ ବେଳେ ସେଥି ମଧ୍ୟରୁ ୧୫ହଜାର ୨୦୦ଟଙ୍କା ମିଳିଥିଲା। ମୋବାଇଲ୍ ଫୋନର କଲକୁ ଯାଂଚ କରିବାରେ ପୁଲିସର ସଂଦେହ ଅଧିକା ଦୃଢ଼ୀଭୁତ ହୋଇଥିଲା।

ଅଟକ ରଖି ପଚାରାଉଚାରା କରିବାରେ ଏମାନେ ରାଜସ୍ଥାନରୁ ଏଠାକୁ ଗଂଜେଇ କିଣି ନେବାକୁ ଆସିଥିବା ପୁଲିସ ନିକଟରେ ସ୍ବୀକାର କରିଥିଲେ। ଉଭୟ ଏଥି ପୂର୍ବରୁ ବି ଏମାନେ କିଛି ଦିନ ଅନ୍ତରାଳରେ ଆସି ଗଂଜେଇ କିଣି ନେଉଥିବା କହିଥିଲେ। ଗତ ୪୩ଦିନ ହେବ ଅନ୍ୟତମ ଅଭିଯୁକ୍ତ ଧବୁଳୁଙ୍କ ଜରିଆରେ ଏମାନେ ଏଠାରୁ ଗଂଜେଇ କିଣି ନେବାକୁ  ଖୋଜୁଥିଲେ। ଗଂଜେଇ କିଣି ଦେବା ପାଇଁ ଅଗ୍ରୀମ ଆକାରରେ ଧବୁଳୁଙ୍କୁ ୬୦ହଜାର ଟଙ୍କା ବି ଦେଇଥିବା ଏମାନେ ପୁଲିସ ନିକଟରେ ସ୍ବୀକାର କରିଥିଲେ। ପୁଲିସ ତିନି ଅଭି‌ଯୁକ୍ତଙ୍କୁ ଗିରଫ କରି କୋର୍ଟକୁ ଚାଳାଣ କରିଥିବା କହିଛନ୍ତି ସଦରଥାନା ଅଧିକାରୀ।