ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ଅଭିଯୋଗ

ହାଇକୋର୍ଟରେ ୨ଟି ମାମଲା ରଦ୍ଦ

କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ଖର୍ଚ୍ଚ ହିସାବରେ ଅନିୟମିତତା ଅଭିଯୋଗ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ଭାରତୀୟ ନିର୍ବାଚନ କମିସନ। ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ବି.କେ. ନାୟକ ଆଜି ଏ ପ୍ରକାର ରାୟ ଶୁଣାଇବା ସହ ରୁଜୁ ହୋଇଥିବା ଦୁଇଟି ମାମଲାକୁ ବନ୍ଦ କରିଛନ୍ତି। ଅନିୟମିତତା ଅଭିଯୋଗ ଉପରେ ଆଇନ ଅନୁସାରେ ନିର୍ବାଚନ କମିସନ୍‌ ନିଷ୍ପତ୍ତି ନେବାକୁ ଜଷ୍ଟିସ୍‌ ନାୟକ ନିର୍ଦ୍ଦେଶ ଦେଇଛନ୍ତି। ହିଞ୍ଜିଳି ଆସନରୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଲଢି ପରାଜୟ ବରଣ କରିଥିବା ବିଜେପି ପ୍ରାର୍ଥୀ ଦେବାନନ୍ଦ ମହାପାତ୍ର ଓ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଭୋଟର ମାଧବ ଗୌଡ଼ଙ୍କ ପକ୍ଷରୁ ଦାୟର ରିଟ୍‌ ଆବେଦନର ଶୁଣାଣି କରି ଅଦାଲତ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ଖର୍ଚ୍ଚ ଅନିୟମିତତାକୁ ନେଇ ସୁବାସ ମହାପାତ୍ର ଅନ୍ୟ ଏକ ମାମଲା ରୁଜୁ କରିଥିଲେ। ଶ୍ରୀ ମହାପାତ୍ର ପ୍ରଥମେ ହାଇକୋର୍ଟରେ ମାମଲା ରୁଜୁ କରିଥିବା ବେଳେ ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ଯାଇ ମାମଲାକୁ ଦିଲ୍ଲୀ ହାଇକୋର୍ଟକୁ ସ୍ଥାନାନ୍ତର କରିବାକୁ ପ୍ରାର୍ଥନା କରିଥିଲେ। ୨୦୧୭, ଅକ୍ଟୋବର ୨୭ରେ ସୁବାସ ମହାପାତ୍ରଙ୍କ ଟ୍ରାନ୍ସଫର ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ଆବେଦନକାରୀଙ୍କ ଅଭିଯୋଗ ଉପରେ ଭାରତର ନିର୍ବାଚନ କମିସନ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ଆଜି ଦେବାନନ୍ଦ ମହାପାତ୍ରଙ୍କ ମାମଲାର ଶୁଣାଣି ସମୟରେ ଭାରତୀୟ ନିର୍ବାଚନ କମିସନଙ୍କ ପକ୍ଷରୁ ଦର୍ଶାଯାଇଥିଲା କମିସନଙ୍କ ନିକଟରେ ଏ ସଂପର୍କିତ ଗୋଟିଏ ଅଭିଯୋଗ ବିଚାରାଧୀନ ରହିଛି। ତେଣୁ ଏ ଅଭିଯୋଗର ବିଚାର କରିବା ପାଇଁ ବି କମିସନ୍‌ ଆଗ୍ରହୀ। ନିର୍ବାଚନ କମିସନଙ୍କ ପକ୍ଷରୁ ଏ ପ୍ରକାର ପକ୍ଷ ରଖାଯିବା ପରେ ଆବେଦନକାରୀଙ୍କ ବିଚାରାଧୀନ ଅଭିଯୋଗ ଉପରେ ନିଷ୍ପତ୍ତି ନେବାକୁ ଖଣ୍ଡପୀଠ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ହାଇକୋର୍ଟଙ୍କ ଆଜିର ରାୟ ପରେ ମୁଖ୍ୟମନ୍ତ୍ରୀଙ୍କ ଅଡୁଆ ବଢିଛି। ଏବେ ଭାରତର ନିର୍ବାଚନ କମିସନର ଏହି ମାମଲାରେ କି ପ୍ରକାର ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇଛି। ଆଜି ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ଦେବାନନ୍ଦ ମହାପାତ୍ରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିବା ବେଳେ ଦୀପଙ୍କର ପାଣିଗ୍ରାହୀ ଓ ଗାୟତ୍ରୀ ପାତ୍ର ତାଙ୍କୁ ସହାୟତା କରିଥିଲେ।

ଆଜି ଦେବାନନ୍ଦ ମହାପାତ୍ରଙ୍କ ପକ୍ଷରୁ ଦାୟର ମାମଲା ସହିତ ସୁବାସ ମହାପାତ୍ରଙ୍କ ଆବେଦନର ବି ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିଲା। ସୁବାସ ମହାପାତ୍ରଙ୍କ ମାମଲାରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟର ସାର୍ଟିଫାଏଡ୍‌ କପି ଦାଖଲ ହୋଇଥିବା ବେଳେ ହାଇକୋର୍ଟରେ ବିଚାରାଧୀନ ମାମଲା ପ୍ରତ୍ୟାହାର ପାଇଁ ଆଜି ସୁବାସ ମହାପାତ୍ରଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ପ୍ରସାଦ ଦାସ ନିବେଦନ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ଖର୍ଚ୍ଚ ହିସାବରେ ଅନିୟମିତତା ଅଭିଯୋଗକୁ ନେଇ ପ୍ରଥମ ମାମଲା ସୁବାସ ମହାପାତ୍ର ଦାୟର କରିଥିଲେ। ଅନ୍ୟପଟେ ହିଞ୍ଜିଳି ଆସନରୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଲଢି ପରାଜୟ ବରଣ କରିଥିବା ବିଜେପି ପ୍ରାର୍ଥୀ ଦେବାନନ୍ଦ ମହାପାତ୍ର ଓ ଜଣେ ଭୋଟର ମାଧବ ଗୌଡ ଏ ସଂପର୍କିତ ଦ୍ୱିତୀୟ ମାମଲା ରୁଜୁ କରିଥିଲେ।

ସମ୍ବନ୍ଧିତ ଖବର