ରା.ଉଦୟଗିରି/ପାରଳାଖେମୁଣ୍ଡି: ଗଜପତିଜିଲ୍ଲା ରାମଗିରି ଥାନା ତୁଳସୀନଗର ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି। ଅଙ୍ଗନବାଡ଼ି କେନ୍ଦ୍ରରୁ ମିଳିଥିବା ଛତୁଆ ଖାଇ ୨ ଶିଶୁକନ୍ୟା ପ୍ରାଣ ହରାଇଥିବା ବେଳେ ଆଉ ୨ଜଣ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମୃତକମାନେ ହେଉଛନ୍ତି, ତୁଳସୀ ବଡ଼ମୁଣ୍ଡି(୬) ଓ ଗୁଣବତୀ ବଡ଼ମୁଣ୍ଡି (୩)। ସେହିପରି ସୁମିତ୍ରା ବଡ଼ମୁଣ୍ଡି (୧୨) ଓ ତାଙ୍କ ବାପା ଅର୍ଜୁନ ବଡ଼ମୁଣ୍ଡି(୪୬) ଅସୁସ୍ଥ ହୋଇଛନ୍ତି। ମୃତ ତୁଳସୀ ହେଉଛି ଶିବଶଙ୍କର ବଡ଼ମୁଣ୍ଡିଙ୍କ ଝିଅ। ୨ମୃତ ଶିଶୁକନ୍ୟା ସଂପର୍କୀୟ ବୋଲି ଜଣାପଡ଼ିଛି।
ସୂଚନା ପ୍ରକାରେ ଶିବଶଙ୍କର ବଡ଼ମୁଣ୍ଡି ଓ ତାଙ୍କ ପତ୍ନୀ ଆଜି ଅପରାହ୍ଣ ସାଢ଼େ ଗୋଟାଏରେ ତୁଳସୀ ଓ ଗୁଣବତୀଙ୍କୁ ଅସୁସ୍ଥ ଅବସ୍ଥାରେ ରାମଗିରି ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସାଢ଼େ ୪ଟାରେ ତୁଳସୀଙ୍କ ମୃତ୍ୟୁ ହୋଇଥିଲା। ଦୁଇ ଶିଶୁକନ୍ୟାଙ୍କ ଏଭଳି ଅବସ୍ଥା ଦେଖି ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ବ୍ରଜରାଜ କର ଏହାର କାରଣ ଜାଣିବାକୁ ଚାହିଁଥିଲେ। ପଚରାଉଚରା ପରେ ପରିବାରର ୪ଜଣ ଛତୁଆ ଖାଇ ଅସୁସ୍ଥ ହୋଇଥିବା ଜଣାପଡ଼ିଥିଲା। ଡାକ୍ତରଙ୍କ ପରାମର୍ଶକ୍ରମେ ସୁମିତ୍ରା ଓ ତାଙ୍କ ବାପା ଅର୍ଜୁନଙ୍କୁ ମଧ୍ୟ ରାମଗିରି ଡାକ୍ତରଖାନାକୁ ଅଣାଇଥିଲା। ସମସ୍ତଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ରାତି ସାଢ଼େ ୯ଟାରେ ଗୁଣବତୀଙ୍କ ମୃତ୍ୟୁ ଘଟିଥିଲା। ସୁମିତ୍ରା ଓ ଅର୍ଜୁନଙ୍କୁ ରାତିରେ ଆମ୍ବୁଲାନ୍ସ୍ ଯୋଗେ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ପଠାଯାଇଛି। ଗତ ଗୁରୁବାର ଦିନ ରାମଗିରି ହାଟପଦା ଅଙ୍ଗନବାଡ଼ିରୁ ମିଳିଥିବା ଛତୁଆକୁ ପରିବାରବର୍ଗ ଖାଇଥିବା ଜଣାପଡ଼ିଛି। ତେବେ ପ୍ରକୃତରେ ଛତୁଆ ଖାଇ ନା’ ଅନ୍ୟ କୌଣସି ବିଷକ୍ରିୟାରୁ ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି ଏନେଇ ସ୍ପଷ୍ଟ ହୋଇପାରିନି। ରାମଗିରି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆସନ୍ତାକାଲି ତୁଳସୀର ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/24/IFyBUbgeU3Qb8qnkA2Cs.jpg)