ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି, ୪୦ ଛୁଇଁଲା ୨ସହରର ତାପମାତ୍ରା

ଭୁବନେଶ୍ବର: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବା ବେଳେ ଆଜି ରାଜ୍ୟର ଦୁଇ ସହର ମାଲକାନଗିରି ଓ ଟିଟିଲାଗଡ଼ରେ ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି। ସେହିପରି ଅଧିକାଂଶ ସ୍ଥାନ‌ରେ ପାରଦ ୩୭ଡିଗ୍ରି ଅତିକ୍ରମ କରିଥିଲା। ଟିଟିଲାଗଡ଼, ଅନୁଗୁଳ, ବାରିପଦା, ବୌଦ୍ଧ ଆଦି ସହରର ତାପମାତ୍ରା ୩୯ ଡିଗ୍ରି ରହିଥିଲା। ଆଗାମୀ ଦିନରେ ତାପମାତ୍ରା ଆଉ ୨ରୁ ୩ ଡିଗ୍ରି ବଢ଼ିବ। ଏପ୍ରିଲ ୫ ତାରିଖ ଭିତରେ ୪୨ଡିଗ୍ରି ଅତିକ୍ରମ କରିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି।

ରାଜ୍ୟରେ ଗ୍ରୀଷ୍ମପ୍ରବାହ ବିଳମ୍ବରେ ଅନୁଭୂତ ‌ହୋଇଥିଲେ ମଧ୍ୟ ଗତବର୍ଷ ଭଳି ଚଳିତ ବର୍ଷ ମାର୍ଚ୍ଚ ଶେଷ ସପ୍ତାହ ସୁଦ୍ଧା ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି। ଆସନ୍ତା ୫ ତାରିଖ ମଧ୍ୟରେ ତାପମାତ୍ରା ଆହୁରି ୨/୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ଅଛି। ଖୋର୍ଧା ସମେତ ସମସ୍ତ ଉପକୂଳ ଜିଲ୍ଲା ଏବଂ ମୟୂରଭଞ୍ଜ ଓ କେନ୍ଦୁଝରରେ ତାପମାତ୍ରା ଅଧିକ ରହିବ। ୩ ତାରିଖରୁ ଉପକୂଳ ଜିଲ୍ଲାର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ୩ରୁ ୫ ତାରିଖ ଯାଏଁ ଉପକୂଳ ଜିଲ୍ଲାର ତାପମାତ୍ରା ସାମାନ୍ୟ କମିପାରେ। ଅନୁଗୁଳ, ଢେଙ୍କାନାଳ ସମେତ କେନ୍ଦ୍ରୀୟ ଓ ଦକ୍ଷିଣ ଓଡ଼ିଶା‌ରେ ଆସନ୍ତା ୨ଦିନ ଭିତରେ ତାପମାତ୍ରା ୨ଡିଗ୍ରି ବଢ଼ିବ। ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରିରୁ ଅଧିକ ରହିବ ଓ କେତେକ ସ୍ଥାନରେ ୪୧ଡିଗ୍ରି ମଧ୍ୟ ଟପିବ। ଆସନ୍ତା ୬ତାରିଖ ପର୍ଯ୍ୟନ୍ତ ତାହା ଅପରିବର୍ତ୍ତିତ ରହିବ। ୬ ତାରିଖରୁ ତାପମାତ୍ରାରେ ପରିବର୍ତ୍ତନ ଆସିପାରେ ବୋଲି ଆଶା କରାଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ୩୭.୩ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଆସନ୍ତାକାଲି ଏହା ୩୮ ଡିଗ୍ରି ଛୁଇଁବ ବୋଲି ଆକଳନ କରାଯାଇଛି। ତେବେ ରାତିର ତାପମାତ୍ରା ପୂର୍ବଭଳି ଅପରିବର୍ତ୍ତିତ ରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ଆକାଶ ଆଂଶିକ ମେଘୁଆ ରହିବ ଓ କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇପାରେ।

ସମ୍ବନ୍ଧିତ ଖବର