ଆଜି ପରୀକ୍ଷାର୍ଥୀଙ୍କ ପାଇଁ ପୁରୀ-ରାୟପୁରକୁ ଗଡ଼ିବ ଆଉ ଏକ ସ୍ୱତନ୍ତ୍ର ଟ୍ରେନ୍, ପୁରୀ-ଦୁର୍ଗ ଇଣ୍ଟରସିଟି ଏକ୍ସପ୍ରେସ୍ରେ ଦୁଇଟି ଜେନେରାଲ କୋଚ୍ ସାମିଲ
ପୁରୀ : ପରୀକ୍ଷା ସମୟରେ ଟ୍ରେନ୍ରେ ହେଉଥିବା ଭିଡ଼ ପାଇଁ ପରୀକ୍ଷାର୍ଥୀମାନଙ୍କୁ ଯାତାୟତରେ ଅସୁବିଧା ହୋଇଥାଏ । ଏହି ସମସ୍ୟାକୁ ଆଖି ଆଗରେ ରଖି କିଛି ଦିନ ତଳେ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ ଚାଲୁ କରାଯାଇଥିବା ବେଳେ କାଲି ପୁରୀରୁ ଟାଟାନଗର ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଟ୍ରେନ୍ ଗଡ଼ିଥିଲା । ଆଜି ପୁଣି ଥରେ ପରୀକ୍ଷାର୍ଥୀମାନଙ୍କ ସୁବିଧା ପାଇଁ ପୁରୀ-ରାୟପୁରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯାତ୍ରା ଆରମ୍ଭ କରିବ ବୋଲି ସୂଚନା ରହିଛି । ସଂନ୍ଧ୍ୟା ୭ଟାରେ ଟ୍ରେନ୍ଟି ପୁରୀ ରେଳ ଷ୍ଟେସନ ଛାଡ଼ିବା ସହ ଭୁବନେଶ୍ୱର, ଢ଼େଙ୍କାନାଳ, ସମ୍ବଲପୁର ଓ ଟିଟିଲାଗଡ଼ ଦେଇ ଯାତ୍ରା କରିବ । ଏଥିରେ ୧୨ଟି ଜେନେରାଲ କୋଚ୍ ଥିବା ବେଳେ ପରୀକ୍ଷାର୍ଥୀମାନେ ଜେନେରାଲ ବୁକିଂ କାଉଣ୍ଟର ବା ନିଜ ଫୋନ ଜରିଆରେ ଟିକେଟ ବୁକ୍ କରି ପାରିବେ । ପୁରୀ-ରାୟପୁର ସହ ପୁରୀ-ଦୁର୍ଗ ଇଣ୍ଟରସିଟି ଏକ୍ସପ୍ରେସରେ ମଧ୍ୟ ଦୁଇଟି ଜେନେରାଲ କୋଚ୍କୁ ସାମିଲ କରାଯାଇଥିବା ଜଣା ପଡ଼ିଛି । ଯାହା ଦ୍ୱାରା ପରୀକ୍ଷାର୍ଥୀମାନେ ଅଧିକ ଲାଭବାନ ହେବେ ।

ସୂଚନା ମୁତାବକ, ବିଭିନ୍ନ ପରୀକ୍ଷା ସମୟରେ ରାଜ୍ୟ ବାହାରକୁ ପରୀକ୍ଷାର୍ଥୀମାନେ ଯିବା ସହ ବାହାରୁ ପରୀକ୍ଷାର୍ଥୀମାନେ ଓଡ଼ିଶା ଆସିଥାନ୍ତି । ଯେଉଁଥି ପାଇଁ ଟ୍ରେନରେ ପ୍ରବଳ ଭିଡ଼ ହେତୁ ସମସ୍ୟା ସୃଷ୍ଟି ହୋଇଥାଏ । ଏହି ସମସ୍ୟାର ସମାଧାନ କରିବାକୁ ଯାଇ ସ୍ୱତନ୍ତ୍ର ଟ୍ରେନ୍ର ବ୍ୟବସ୍ଥା ଆରମ୍ଭ କରାଯାଇଥିଲା । ପୂର୍ବରୁ ଚାଲିଥିବା ଦୁଇଟି ଟ୍ରେନ୍ରେ କେବଳ ଜେନେରାଲ କୋଚ ରହିଥିଲା ।