ତାଗିଦ୍‌ ସତ୍ତ୍ବେ ନାମ ବଦଳୁନି : ଗଣଶିକ୍ଷା ବିଭାଗ ନିର୍ଦେଶକୁ ମାନୁନାହାନ୍ତି ଯୁକ୍ତ୨ କଲେଜ

ଅଧ୍ୟକ୍ଷଙ୍କ ଦରମା ସ୍ଥଗିତ ରଖିବାକୁ ଚେତାବନୀ

ଭୁବନେଶ୍ବର : ଯୁକ୍ତ୨ କଲେଜର ନାମ ପରିବର୍ତନ ହେଉନି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବାରମ୍ବାର ତାଗିଦ୍‌ ସତ୍ତ୍ବେ ପଦକ୍ଷେପ ନେଉନାହାନ୍ତି କଲେଜ କର୍ତୃପକ୍ଷ। ଏପରିକି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ନିର୍ଦେଶକଙ୍କ ନିର୍ଦେଶକୁ ବି ଖାତିର କରୁନାହାନ୍ତି। ଦେଢ଼ ବର୍ଷ ହେଲା ଯୁକ୍ତ୨ କଲେଜ ନାମ ପରିବର୍ତନ କରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କରିବାକୁ ୩ଥର ଚିଠି ଲେଖା ଯାଇଥିଲେ ମଧ୍ୟ କଲେଜ ଅଧ୍ୟକ୍ଷମାନେ ତାହାକୁ ହେୟଜ୍ଞାନ କରୁଛନ୍ତି। ବିଦ୍ୟାଳୟ ଲେଖିବାକୁ ସେମାନଙ୍କ ହାତ ଯାଉନି। ଯେଉଁଥିପାଇଁ ଏବେ ପୁଣିଥରେ ରାଜ୍ୟର ୧୬୩୧ଟି ଯୁକ୍ତ୨ କଲେଜକୁ ନି‌ର୍ଦେଶାଳୟ ପକ୍ଷରୁ ନୋଟିସ୍‌ ଜାରି ହୋଇଛି। ନଭେମ୍ବର ୩୦ ସୁଦ୍ଧା ନାମ ପରିବର୍ତନ ନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। କଲେଜ ପକ୍ଷରୁ ଆସୁଥିବା କୌଣସି ପ୍ରସ୍ତାବକୁ ଗ୍ରହଣ କରାଯିବ ନାହିଁ। ଏଥିସହ ଆସନ୍ତା ମାସଠାରୁ ଦରମା ସ୍ଥଗିତ ରଖାଯିବ ବୋଲି ଚେତାବନୀ ଦିଆଯାଇଛି।

୨୦୧୭-୧୮ ଶିକ୍ଷାବର୍ଷରୁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଯୁକ୍ତ୨ କଲେଜଗୁଡ଼ିକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନକୁ ଆସିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ଦ୍ବାରା ଏହି କଲେଜଗୁଡ଼ିକ ଏବେ ପରିଚାଳିତ ହେଉଛି। କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ସୃଷ୍ଟି ସହ ବିଦ୍ୟାଳୟ ପରି ଶିକ୍ଷା ପରିବେଶ ସୃଷ୍ଟି କରିବାକୁ ନିଷ୍ପତ୍ତି ‌ହୋଇଥିଲା। ସେହି ଅନୁଯାୟୀ ଯୁକ୍ତ୨ କଲେଜଗୁଡ଼ିକର ନାମ ପରିବର୍ତନ କରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କରିବାକୁ ୨୦୧୭ ମେ’ ୨୯ରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତାହାକୁ ଆଧାର କରି ୨୦୧୭ ମେ’ ୩୧ରେ ଆଞ୍ଚଳିକ ଶିକ୍ଷା ଅଧିକାରୀମାନେ କଲେଜଗୁଡ଼ିକୁ‌ ନୋଟିସ୍‌ ଜାରି କରିଥିଲେ। ନାମ ପରିବର୍ତନ କରିବାକୁ କହିଥିଲେ। ଏ ଦିଗରେ କଲେଜଗୁଡ଼ିକ ଠିକ୍‌ ଭାବେ ପଦକ୍ଷେପ ନେଇ ନଥିବାରୁ ୨୦୧୭ ଡିସେମ୍ବର ୨୬ରେ ପୁଣିଥରେ ଚିଠି ପଠା ଯାଇଥିଲା। ୨୦୧୮ ଜାନୁଆରି ୫ ସୁଦ୍ଧା ନାମ ପରିବର୍ତନ କରିବାକୁ କୁହାଯାଇଥିଲା। ହେଲେ ଅଜି ପର୍ଯ୍ୟନ୍ତ ଅଧିକାଂଶ କଲେଜ ନିର୍ଦେଶକୁ ପାଳନ କରିନାହାନ୍ତି।

ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ ୪୮୮ ବର୍ଗର କଲେଜ ଓ ବେସରକାରୀ ଅନୁଦାନପ୍ରାପ୍ତ ଜୁନିଅର କଲେଜଗୁଡ଼ିକ ନିର୍ଦେଶକୁ ପାଳନ କରିବାକୁ କୁନ୍ଥକୁନ୍ଥ ହେଉଛନ୍ତି। ବାରମ୍ବାର କହିବା ସତ୍ତ୍ବେ ମାନୁନାହାନ୍ତି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଲେଖିଲେ ଅଧ୍ୟାପକମାନେ ଶିକ୍ଷକ ହୋଇଯିବେ ଭାବି ଲେଖୁ ନାହାନ୍ତି। ତେଣୁ ଏଥର ଅଧ୍ୟକ୍ଷମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ସ୍ଥିର ହୋଇଛି।

ସମ୍ବନ୍ଧିତ ଖବର