ନୂଆରୂପ ପାଇବ ଚନ୍ଦ୍ରଭାଗା ତୀର୍ଥ; ଖର୍ଚ୍ଚ ହେବ ୨ କୋଟି ଟଙ୍କା

କୋଣାର୍କ: ସର୍ବ ପୁରାତନ ଚନ୍ଦ୍ରଭାଗା ତୀର୍ଥର ପୁନରୁଦ୍ଧାର ଓ ପାରିପାର୍ଶ୍ବିକ ବିକାଶ ପାଇଁ ଦୀର୍ଘଦିନ ଧରି ହୋଇ ଆସୁଥିବା ଦାବି ବାସ୍ତବ ରୂପ ନେବାକୁ ଯାଉଛି। ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଚନ୍ଦ୍ରଭାଗାର ଉନ୍ନତୀକରଣ ଓ ସ୍ବଚ୍ଛତା ସହିତ ଏହାର ପାରିପାର୍ଶ୍ବକ ବିକାଶ ଉପରେ ମଧ୍ୟ ଗୁରୁତ୍ବାରୋପ କରିବା ପରେ ହଜାର ହଜାର ବର୍ଷର ଏହି ପୁରାତନ ତୀର୍ଥର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କୋଣାର୍କ ଏନ୍‌ଏସି ପକ୍ଷରୁ ଚନ୍ଦ୍ରଭାଗାର ପାରିପାର୍ଶ୍ବକ ବିକାଶ ପାଇଁ ନିମନ୍ତେ ଏକ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହି କାର୍ଯ୍ୟରେ ପ୍ରାୟ ୨ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଚନ୍ଦ୍ରଭାଗାର ଏହି ବିକାଶ ପ୍ରକଳ୍ପ ମଧ୍ୟରେ ତୀର୍ଥ ସହିତ ସମୁଦ୍ରର ସଂଯୋଗୀକରଣକୁ ପ୍ରାଥମିକତା ଓ ଗୁରୁତ୍ବ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ସ୍ଥାୟୀ ଭାବେ ସମୁଦ୍ର ଓ ତୀର୍ଥର ସଂଯୋଗୀକରଣ କରାଯିବ। ପରବର୍ତୀ ସମୟରେ ତୀର୍ଥ ପୁଷ୍କରଣୀର ଖନନ ଓ ଚାରିପାଖର ପାଚେରିକୁ ନୂଆ ରୂପ ଦିଆଯିବ। ସମ୍ମୁଖଭାଗ ପାଚେରିରେ ଚନ୍ଦ୍ରଭାଗାର ମହାତ୍ମ୍ୟ ଓ ସୂର୍ଯ୍ୟପୂଜାର ପରମ୍ପରା ସଂପର୍କିତ ଗାଥା ସ୍ଥାନିତ ହେବ। ତୀର୍ଥ ଚାରିପାଖରେ ଉଜ୍ଜ୍ବଳ ଆଲୋକୀକରଣ କରାଯିବ। ତୀର୍ଥ ନିକଟରେ ରହିଥିବା ପଡ଼ିଆକୁ ବିକଶିତ କରାଯାଇ ଏହା ମଧ୍ୟରେ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯିବ। ତୀର୍ଥ ପୁଷ୍କରଣୀର ବିକାଶ ସହିତ ଚନ୍ଦ୍ରଭାଗା ବେଳାଭୂମିର ସୌନ୍ଦର୍ଯ୍ୟକରଣକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି। ଜିଲ୍ଲାପାଳଙ୍କ ସହିତ ଏସଂପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ପରେ ଏହି ପ୍ରକଳ୍ପ କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ କରାଯିବ ବୋଲି କୋଣାର୍କ ଏନ୍‌ଏସି ନିର୍ବାହୀ ଅଧିକାରୀ ଏମ୍‌ ଶ୍ରୀନିବାସ କହିଛନ୍ତି।

ସମ୍ବନ୍ଧିତ ଖବର