ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ପାଇଁ ନିଅଣ୍ଟ ପଡ଼ିଲାଣି ଶଯ୍ୟା

୨୪ଘଣ୍ଟାରେ ଖୋଲିଲା ୨ କୋଭିଡ୍ କେୟାର୍ ସେଣ୍ଟର୍

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପାଇଁ ଜୁଲାଇ ମାସ ଯେମିତି ଘାତକ ସାଜିଛି। ଦିନକୁ ଦିନ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି। ପ୍ରତିଦିନ ୨୦୦ରୁ ଅଧିକ ସଂକ୍ରମିତ ହେଉଛନ୍ତି। ଆଜି ସୁଦ୍ଧା ୩୮୪୬ ଜଣ ସଂକ୍ରମିତ ହୋଇସାରିଥିବା ବେଳେ ସେଥିମଧ୍ୟରୁ ୧୬୩୯ଜଣ ସକ୍ରିୟ ସଂକ୍ରମିତ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ରୋଗୀ ସଂଖ୍ୟା ବୃଦ୍ଧି ସାଙ୍ଗକୁ କୋଭିଡ଼୍‌ ହସ୍ପିଟାଲ୍ ଓ କୋଭିଡ଼୍‌ କେୟାର ସେଣ୍ଟର୍ ଗୁଡ଼ିକରେ ଶଯ୍ୟା ଅଭାବ ପଡ଼ିଲାଣି। ଫଳରେ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଆଉ ୮ଟି କୋଭିଡ଼୍‌ କେୟାର ସେଣ୍ଟର୍ ଖୋଲିବାକୁ ନିଷ୍ପତ୍ତି ନେଇଛି। ଏଥିମଧ୍ୟରୁ ସାନଖେମୁଣ୍ଡି ଓ ପାତ୍ରପୁର ବ୍ଲକ୍ ବିଡ଼ିଓ ତ୍ବରିତ ପଦକ୍ଷେପ ଗ୍ରହଣ କରି ୨୪ଘଣ୍ଟା ମଧ୍ୟରେ କୋଭିଡ୍‌ କେୟାର୍ ସେଣ୍ଟର୍‌କୁ କାର୍ଯ୍ୟକ୍ଷମ କରିବାକୁ ସକ୍ଷମ ହୋଇଛନ୍ତି। ସାନଖେମୁଣ୍ଡି ଆଦର୍ଶ ବିଦ୍ୟାଳୟ କୋଠା ଓ ପାତ୍ରପୁର ବ୍ଲକ୍‌ର ଆଦର୍ଶ ବିଦ୍ୟାଳୟ କୋଠାରେ ୧ଶହ ଶଯ୍ୟା ଲେଖାଏଁ ରହିଥିବା କୋଭିଡ୍ କେୟାର ସେଣ୍ଟର୍ ଖୋଲାଯାଇଛି। ଆଡପଡ଼ା ଓ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକଙ୍କୁ ନୋଡ଼ାଲ୍ ଅଫିସର୍ ଭାବେ ଅବସ୍ଥାପିତ କରାଯାଇ ଉଭୟ ସେଣ୍ଟର୍‌କୁ କାର୍ଯ୍ୟକ୍ଷମ କରାଯାଇପାରିଛି। ତ୍ବରିତ ପଦକ୍ଷେପ ଲାଗି ଦୁଇ ବିଡିଓଙ୍କୁ ଜିଲ୍ଲାପାଳ ଧନ୍ୟବାଦ ଜଣାଇଛନ୍ତି। ବାକି ୬ଟି କୋଭିଡ୍‌ କେୟାର୍ ସେଣ୍ଟର୍ ଖୁବ୍‌ ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି। ୮ଟି କୋଭିଡ୍‌ କେୟାର ସେଣ୍ଟରରେ ୧୧୫୦ ଶଯ୍ୟା ଉପଲବ୍ଧ ହେବ।

ମିଳିଥିବା ସୂଚନା ଅନୁଯାୟୀ, ଏପ୍ରିଲ୍ ୧୦ ତାରିଖରୁ ବ୍ରହ୍ମପୁର ସହର ଉପକଣ୍ଠ ଶୀତଳାପଲ୍ଲୀ ସ୍ଥିତି ଟାଟା କୋଭିଡ୍-୧୯ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇଛି। ଏହି ଅତ୍ୟାଧୁନିକ ଡାକ୍ତରଖାନାରେ ୨ଶହ ଶଯ୍ୟା ସାଙ୍ଗକୁ ୪୦ ଭେଣ୍ଟିଲେଟର୍‌ର ସୁବିଧା ରହିଛି। ସେହିପରି ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ, ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ, ହିଞ୍ଜିଳିକାଟୁ ଓ ଭଞ୍ଜନଗର ଠାରେ କୋଭିଡ଼୍‌ କେୟାର୍ ସେଣ୍ଟର ଖୋଲାଯାଇଛି। କୋଭିଡ଼୍‌ ହସ୍ପିଟାଲ୍ ଓ କୋଭିଡ଼୍‌ କେୟାର୍‌ ସେଣ୍ଟର୍‌ର ଶଯ୍ୟା ସଂଖ୍ୟା ମିଶି ଜିଲ୍ଲାରେ ୩୦୫୧ ଶଯ୍ୟା ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଉଛି। ତେବେ ବର୍ତ୍ତମାନ ଚିନ୍ତାଜନକ ଭାବେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାରୁ ଏହାକୁ ଦୃଷ୍ଟିରେ ରଖି ଆଉ ୮ଟି କୋଭିଡ୍ କେୟାର୍ ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ବିଜୁ ପଟ୍ଟନାୟକ ହୋମିଓପାଥି କଲେଜ ଏବଂ ହସ୍ପିଟାଲ୍‌ ଇନ୍‌ଡୋର ବିଭାଗରେ ୫୦ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର ଖୋଲିବା ଲାଗି ସ୍ଥିର ହୋଇଛି। ଏଠାରେ ନୋଡ଼ାଲ୍ ଅଫିସର ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡ଼ିସିନ୍‌ବିଶେଷଜ୍ଞ ଡାକ୍ତର ‌ସନ୍ତୋଷ ରାଉତରାୟଙ୍କୁ ନିଯୁକ୍ତ କରାଯାଇଛି।

ବିଜୁ ପଟ୍ଟନାୟକ ହୋମିଓପାଥି କଲେଜର ଛାତ୍ରୀ ନିବାସରେ ୫୦ ଶଯ୍ୟା ବିଶିଷ୍ଟ ଡେଡିକେଟେଡ୍ କୋଭିଡ୍‌ ସେଣ୍ଟର ଖୋଲାଯିବ। ଏହାର ନୋଡ଼ାଲ ଅଫିସର ଭାବେ ଡାକ୍ତର ଅମୂଲ୍ୟ କୁମାର ମିଶ୍ର ଓ ଡାକ୍ତର ରଞ୍ଜିତା ପାତ୍ରଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ଗେଟ୍‌ ବଜାର ଠାରେ ଥିବା ଘରୋଇ ହସ୍ପିଟାଲ୍ ‘ଅମିତ୍ ହସ୍ପିଟାଲ୍’ ଠାରେ ମଧ୍ୟ ଶହେ ଶଯ୍ୟା ବିଶିଷ୍ଟ ଡେଡିକେ‌ଟେଡ୍ କୋଭିଡ୍‌ କେୟାର୍ ସେଣ୍ଟର୍ ଖୋଲାଯିବ। ଏଥିରେ ଡାକ୍ତର ସନ୍ତୋଷ କୁମାର ରାଉତରାୟଙ୍କୁ ନୋଡ଼ାଲ୍ ଅଫିସର ଭାବେ ନିଯୁକ୍ତ କରାଯାଇଛି। ତେବେ ଅମିତ୍‌ ହସ୍ପିଟାଲ୍‌ରେ କୋଭିଡ଼୍‌ କେୟାର ସେଣ୍ଟର୍ ଖୋଲିବାକୁ ନେଇ ସ୍ଥାନୀୟ ଲୋକମାନେ ବିରୋଧ କରୁଥିବା ଦେଖିବାକୁ ମିଳିଛି। ସେହିପରି ଆସିକା ଉପଖଣ୍ଡ ଡାକ୍ତରଖାନାରେ ଶହେ ଶଯ୍ୟା ବିଶିଷ୍ଟ କୋଭିଡ଼୍‌ କେୟାର୍ ସେଣ୍ଟର ଖୋଲାଯାଇ ଉକ୍ତ ଡାକ୍ତରଖାନାର ଅଧୀକ୍ଷକଙ୍କୁ ନୋଡ଼ାଲ୍‌ ଅଫିସର୍ ଭାବେ ଦାୟିତ୍ବ ଦିଆଯାଇଛି। ସେହିପରି ବ୍ରହ୍ମପୁର ନୀଳକଣ୍ଠେଶ୍ବର ନଗର ସରସ୍ବତୀ ଶିଶୁମନ୍ଦିରର ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ଓ ଛାତ୍ରୀ ନିବାସରେ ୫ଶହ ଶଯ୍ୟାରେ କୋଭିଡ଼୍‌ କେୟାର ସେଣ୍ଟର ଖୋଲିବା ଲାଗି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଡାକ୍ତର ପ୍ରଣତୀ ବେହେରାଙ୍କୁ ନୋଡ଼ାଲ୍ ଅଫିସର ଭାବେ ନିଯୁକ୍ତ କରାଯାଇଛି। ଆସିକା ଲେପର୍ସି ହସ୍ପିଟାଲ୍ କୋଠାରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ଼୍‌ କେୟାର ସେଣ୍ଟର ଖୋଲାଯିବାକୁ ସ୍ଥିର ହୋଇଛି। ଡାକ୍ତର ସତୀଶ ପାତ୍ରଙ୍କୁ ନୋଡ଼ାଲ ଅଫିସର ଭାବେ ନିଯୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର