କାଳିଆପାଣି: ରାତି ଅଧିଆ ଗୋରୁ ଲୁଟ୍ ଓ ବେଆଇନ ଚାଲାଣରେ ସଂପୃକ୍ତ ଥିବା ୨ ଜଣ ଲୁଟେରା ପୁଲିସ ପଞ୍ଝାରେ ପଡ଼ିଛନ୍ତି। ଲୁଟେରା ଦ୍ବୟ ହେଲେ ସୁକିନ୍ଦା ଥାନା ଅନ୍ତର୍ଗତ ହରିପୁର ଗାଁର ଧନେଶ୍ବର ମଲିକଙ୍କ ପୁଅ ପ୍ରହଲାଦ(୨୮) ଓ ଯାଜପୁରରୋଡ ଥାନା ଅନ୍ତର୍ଗତ ପହଙ୍ଗା ଗ୍ରାମର ରବୀନ୍ଦ୍ର ବେହେରାଙ୍କ ପୁଅ ଏକନ(୩୬)। ସେମାନଙ୍କଠାରୁ ଗୋରୁ ଚାଲାଣରେ ବ୍ୟବହୃତ ଏକ ପିକଅପ୍ ଭ୍ୟାନ୍(ଓଡି-୩୪ଏମ୍-୩୩୨୩) ଜବତ କରାଯିବା ସହ ୧୦ ଟି ବାଛୁରୀ ଉଦ୍ଧାର କରାଯାଇଛି।
ବାଛୁରୀଗୁଡ଼ିକୁ କଂସେଇଖାନାରେ ବିକ୍ରୟ ପାଇଁ ନିଆ ଯାଉଥିବା ସାଧାରଣରେ ସନ୍ଦେହ ଦୃଢ଼ୀଭୂତ ହୋଇଛି। ନଂ. ୪୫/୨୨ରେ ଏକ ମାମଲା ରୁଜୁ କରାଯାଇ ଲୁଟେରା ପ୍ରହଲାଦ ଓ ଏକନକୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ୨ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଖଣିଅଞ୍ଚଳ ଉପକଣ୍ଠ ବିଭିନ୍ନ ଗାଁ ଓ ବଜାରରୁ ରାତି ଅଧିଆ ଗାଈଗୋରୁ ଚୋରି ହେଉଥିବା ଅଭିଯୋଗ ଆଧାରରେ ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲେ। ଏଏସ୍ଆଇ ତ୍ରିଲୋଚନ ସାହୁ ସଦଳବଳ ଏଟିଏମ୍ ଛକ ଅନ୍ଧାରରେ ଛକି ରହିଥିଲେ। ରାତି ଅଢ଼େଇଟା ସମୟରେ ଟମକା-ମଙ୍ଗଳପୁର ସଡ଼କର କଲରଙ୍ଗି ଆଡ଼ୁ ଆସୁଥିବା ଉକ୍ତ ଭ୍ୟାନ୍ ପୁଲିସ ହାବୁଡ଼ରେ ପଡ଼ିଥିଲା। ଉଭୟ ଅଭିଯୁକ୍ତ ଗୋରୁ ଚୋରାଚାଲାଣ କରିଆସୁଥିବା ମାନିଥିଲେ।