ଭୁବନେଶ୍ବର: ବଡ଼ବଡ଼ କମ୍ପାନିର ବିଜ୍ଞାପନରେ ପୁଞ୍ଜିନିବେଶ କରାଇବା ଆଳ‌ରେ ୨ କୋଟି ଟଙ୍କା ଚଳୁ କରି ଫେରାର୍ ହୋଇଯାଇଥିବା ଠକ ଦମ୍ପତିଙ୍କୁ ଆଗପଛ କରି ୨ ମାସ ଭିତରେ ଇଓଡବ୍ଲ୍ୟୁ ଜିରଫ କରି ଜେଲ୍‌ ହାଜତକୁ ପଠାଇବାରେ ସଫଳ ହୋଇଛି। ମାର୍ଚ୍ଚ ମାସରେ ଇଓଡବ୍ଲ୍ୟୁ ମୁମ୍ବାଇରୁ ଠକ ବିମଳାନନ୍ଦ ଭୂୟାଁର ପତ୍ନୀ ରମି ଭୂୟାଁକୁ ଗିରଫ କରିଥିଲା। ଗତକାଲି ବିମଳାନନ୍ଦକୁ ଲକ୍ଷ୍ନୌରୁ ଗିରଫ କରାଯାଇଛି। ସେଠାରେ ଏସିଜେଏମ୍‌ କୋର୍ଟ-୨ରେ ହାଜର କରାଇବା ପରେ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଭୁବନେଶ୍ବର ଅଣାଯାଇଥିଲା। ଆଜି ବିମଳାନନ୍ଦକୁ କଟକ ଓପିଆଇଡି କୋର୍ଟରେ ହାଜର କରାଇବା ପରେ ଚୌଦ୍ବାର ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ପ୍ରାୟ ୧୦୦ ନିବେଶକଙ୍କଠାରୁ ୨ କୋଟି ଟଙ୍କା ଠକିନେବା ପରେ ଧୂର୍ତ୍ତ ବିମଳାନନ୍ଦ ଦୁବାଇ ପଳାଇଥିଲା ଏବଂ ପତ୍ନୀ ରମି ଛଦ୍ମନାମରେ ମୁମ୍ବାଇରେ ରହୁଥିଲା।

Advertisment

୨୦୧୮ ମସିହାରେ ବିମଳାନନ୍ଦ ଓ ରମି ଛତିଶଗଡ଼ରେ ‘କୁଇକ୍‌ କ୍ଲିକ୍‌ ଏଡି ମିଡିଆ’ ନାମକ ଏକ ସଂସ୍ଥା କରିଥିଲେ। ଏହି ସଂସ୍ଥା ମାଧ୍ୟମରେ ଲୋକଙ୍କୁ ଠକିବା ପାଇଁ ସୁଚିନ୍ତିତ ଯୋଜନା କରିଥିଲେ। ବିଭିନ୍ନ ସହରର ପ୍ରମୁଖ ଛକମାନଙ୍କରେ ବଡ଼ବଡ଼ କମ୍ପାନିଗୁଡ଼ିକର ବିଜ୍ଞାପନ ପାଇଁ ଲାଗୁଥିବା ଏଲ୍‌ଇଡି ମନିଟର୍‌ କିଣାରେ ଟଙ୍କା ଲଗାଇବାକୁ ସେମାନେ ନିବେଶକଙ୍କୁ ପ୍ରଲୋଭିତ କରିଥିଲେ। ଗଣମାଧ୍ୟମରେ ବିଜ୍ଞାପନ ଦେଇ ସେମାନେ ନିବେଶକଙ୍କୁ ଆକୃଷ୍ଟ କରିଥିଲେ। ଛୋଟ ଏଲ୍‌ଇଡି ମନିଟର ପାଇଁ ୫୪,୦୦୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଏହି ସ୍କିମ୍‌ରେ ନିବେଶକଙ୍କୁ ୩ବର୍ଷ ପର୍ଯ୍ୟନ୍ତ ମାସିକ ୩୧୦୦ଟଙ୍କା ମିଳିବ ବୋଲି କୁହାଯାଇଥିଲା। ସେହିଭଳି ବଡ଼ ମନିଟର ପାଇଁ ୩ଲକ୍ଷ ଟଙ୍କା ନିବେଶ କରିବ‌ାକୁ କୁହାଯାଇଥିଲା ଏବଂ ନିବେଶକଙ୍କୁ ୩ବର୍ଷ ଯାଏଁ ଲାଭର ୭୦ ପ୍ରତିଶତ ଅଂଶ ଦିଆଯିବ ଏବଂ ୩ବର୍ଷ ପରେ ୩୦ ପ୍ରତିଶତ ଲେଖାଏଁ ଅର୍ଥ ମିଳିବ ବୋଲି ଲୋଭ ଦେଖାଇ ଦିଆଯାଇଥିଲା। ଓଡ଼ିଶା, ଛତିଶଗଡ଼, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ଆଦି ରାଜ୍ୟରେ ଶାଖା କାର୍ଯ୍ୟାଳୟ ଖୋଲି ଏହି ଧୂର୍ତ୍ତ ଦମ୍ପତି ଲୋକଙ୍କୁ ବିଜ୍ଞାପନ ମାଧ୍ୟମରେ ଆକର୍ଷିତ କରିଥିଲେ। ଓଡ଼ିଶାର ଖୋର୍ଦ୍ଧା, କୋରାପୁଟ, ନୟାଗଡ଼, ମୟୂରଭଞ୍ଜ, ବାଲେଶ୍ୱର, ରାଉରକେଲା, ସମ୍ବଲପୁର ଓ ଗଞ୍ଜାମ ଆଦି ଜିଲ୍ଲାରେ ମଧ୍ୟ ଏଥିପାଇଁ ସେମାନେ ବିଜ୍ଞାପନ ଦେଇଥିଲେ। ସେମାନଙ୍କ ଏହି ଅଫର୍‌ରେ ପ୍ରଲୋଭିତ ହୋଇ ୧୦୦ରୁ ଊର୍ଧ୍ବ ନିବେଶକ ୨କୋଟିରୁ ଅଧିକ ଟଙ୍କା ଖଟାଇଥିଲେ। ୨ କୋଟି ଟଙ୍କା ପାଇବା ପରେ ହଠାତ୍ ଧୂର୍ତ୍ତ ଦମ୍ପତି କମ୍ପାନି ବନ୍ଦ କରି ଉଭାନ ହୋଇଯାଇଥିଲେ। ଠକାମିର ଶିକାର ହୋଇଥିବା ସମ୍ବଲପୁରର ବିକାଶ ପୋଦ୍ଦାର ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ।

ମାମଲା ଇଓଡବ୍ଲ୍ୟୁ ତଦନ୍ତ କରୁଥିବା ଜାଣି ଠକ ବିମଳାନନ୍ଦ ଓ ରମି ଛଦ୍ମନାମରେ ଅଲଗା ହୋଇଯାଇଥିଲେ। ୨୦୨୦ ମସିହା ପର୍ଯ୍ୟନ୍ତ ସେମାନେ ଦେଶର ବିଭିନ୍ନ ସ୍ଥାନରେ ଛଦ୍ମବେଶରେ ରହୁଥିଲେ। ନକଲି ଆଧାରକାର୍ଡ ବଳରେ ନାମ ବଦଳାଇ ସେମାନେ ଆତ୍ମଗୋପନ କରିଥିଲେ। ପରବର୍ତ୍ତୀ ସମୟରେ ବିମଳାନନ୍ଦ ଦୁବାଇ ପଳାଇଥିଲା। ସେଠାରେ ‘ଏମ୍ପାୟାର୍‌ ଗ୍ଲୋବାଲ୍‌ କ୍ୟାପିଟାଲ୍‌’ ନାଁରେ ଗୋଟିଏ କମ୍ପାନି କରି ରହିଥିଲା। ମୁମ୍ବାଇରେ ରମି ଏକ ରିୟଲ୍‌ ଇଷ୍ଟେଟ୍‌ କମ୍ପାନିରେ କାମ କରୁଥିବା ବେଳେ ଇଓଡବ୍ଲ୍ୟୁ ତାକୁ ଗିରଫ କରିଥିଲା। ତା’ଠାରୁ ବିମଳାନନ୍ଦ ସମ୍ପର୍କରେ ତଥ୍ୟ ହାତେଇବା ପରେ ତାକୁ ଗିରଫ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା। ବିମଳାନନ୍ଦ ନିଜ ନାଁ ବଦଳାଇ ଲକ୍ଷ୍ନୌ ଇନ୍ଦିରାନଗରର ଏକ ସ୍ନାକ୍ସ କମ୍ପାନିର ମାର୍କେଟିଂ ଏଜେଣ୍ଟ ଭାବେ କାମ କରୁଥିଲା। ଅଧିକ ତଦନ୍ତ ପାଇଁ ତାକୁ ରିମାଣ୍ଡରେ ଅଣାଯିବ ବୋଲି ଇଓଡବ୍ଲ୍ୟୁ ଏସ୍‌ପି ଦିଲୀପ ତ୍ରିପାଠୀ କହିଛନ୍ତି। ସୂଚନାଯୋଗ୍ୟ ଯେ ଏମ୍‌ବିଏ ପାସ୍‌ କରିବା ପରେ ମାଲକାନଗିରି ବାଲିମେଳା ବାସିନ୍ଦା ବିମଳାନନ୍ଦ ତା’ ପତ୍ନୀ ରମି ସହିତ ମିଶି ଏଭଳି ଠକ ସଂସ୍ଥା କରି କୋଟିପତି ହେବାକୁ ଯୋଜନା କରିଥିଲେ।