କଟକ : କଟକର ୧୨ ଜଣ ଉଚ୍ଚଶିକ୍ଷିତ ଯୁବକ ନକଲି ବିଟ୍‌କଏନ୍ ୱେବ୍‌ସାଇଟ୍‌ରେ ଟଙ୍କା ନିବେଶ କରିଛନ୍ତି। ଗଲା ଦୁଇମାସ ଭିତରେ ମୋଟ ୧କୋଟି ୮୦ ଲକ୍ଷ ଟଙ୍କା ନିବେଶ କରିଛନ୍ତି। ବିଟ୍‌କଏନ୍ ବିକ୍ରି କରି ୩୦ ପ୍ରତିଶତ କମିସନ୍‌ ପାଇବା ଲୋଭରେ ନକଲି ୱେବ୍‌ସାଇଟ୍‌ରେ ଫସିଯାଇଛନ୍ତି। କିନ୍ତୁ ଏହା ସାଇବର୍ ଅପରାଧୀଙ୍କ ମାୟାଜାଲ ବୋଲି ପୂର୍ବରୁ ନିବେଶକମାନେ ସାମାନ୍ୟ ଟେର୍ ପାଇ ନଥିଲେ। ସମସ୍ତ ନିବେଶକ ବ୍ୟାଙ୍କରୁ ପର୍ସନାଲ୍ ଲୋନ୍ ଆଣି ଏହି ଟଙ୍କା ନିବେଶ କରିଥିବାରୁ ଏବେ ସେମାନଙ୍କ ଛାତି ଧଡ଼ଧଡ଼ ହେଲାଣି। କଟକ କମିସନରେଟ୍ ପୁଲିସର ସାଇବର୍ ଥାନାରେ ଗତ ମେ ୧ରୁ ଜୁଲାଇ ୮ ତାରିଖ ଯାଏ ମୋଟ ଏକ କୋଟି ୮୦ ଲକ୍ଷ ଟଙ୍କା ଠକେଇ କେବଳ ବିଟ୍‌କଏନ୍‌ ନେଇ ହୋଇଥିବା ମାମଲା ରୁଜୁ ହୋଇଛି। ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୧୨ଟି ଅଭିଯୋଗ ସାଇବର୍ ଥାନାରେ ରୁଜୁ ହୋଇସାରିଲାଣି। ଏଥିରେ ସର୍ବାଧିକ ଆଇଟି(ଇନଫର୍‌ମେସନ୍ ଟେକ୍ନୋଲଜି) ବୃତ୍ତିଧାରୀ ଯୁବକ ଅଛନ୍ତି। ମୋଟ ୫ଜଣ ଆଇଟି ବୃତ୍ତିର ଯୁବକ ଥିବା ବେଳେ ଦୁଇ ବ୍ୟାଙ୍କ କର୍ମଚାରୀ, ଦୁଇ ଇଞ୍ଜିନିୟର ଏହି ବିଟ୍‌କଏନ୍ ଠକେଇର ଶିକାର ହୋଇଛନ୍ତି।

Advertisment

ଭର୍ଚୁଆଲ୍ ମୋବାଇଲ୍ ନମ୍ବର୍‌ରୁ ଯୁବକମାନଙ୍କୁ ପ୍ରଥମେ ହ୍ବାଟସ୍‌ଆପ୍‌ରେ ମେସେଜ୍ ଆସୁଛି। ସେମାନଙ୍କୁ ଦୈନିକ ବିଟ୍‌କଏନ୍ ବିକ୍ରି କରିବାକୁ କୁହାଯାଉଛି। ଦୈନିକ ଏହି ବିକ୍ରି ବାବଦ ୩୦ ପ୍ରତିଶତ କମିସନ୍‌ ପାଇଁ ଲୋଭନୀୟ ପ୍ରତିଶ୍ରୁତି ଦିଆଯାଉଛି। ଏହି ଟଙ୍କା ସେମାନଙ୍କୁ ଉକ୍ତ ୱେବ୍‌ସାଇଟ୍‌ରେ ଥିବା ଭର୍ଚୁଆଲ୍ ଆକାଉଣ୍ଟରେ ଯିବ ବୋଲି କୁହାଯାଉଛି। ଘରେ ଏହି କାମ ହୋଇପାରୁଥିବାରୁ ଅଧିକ ଶିକ୍ଷିତ ଯୁବକ ଯୁବତୀ ରାଜି ହୋଇଯାଇଛନ୍ତି। ସେମାନଙ୍କୁ ସାଇବର୍ ଅପରାଧୀମାନେ ଟେଲିଗ୍ରାମ୍‌ରେ ଏକ ଗ୍ରୁପ୍‌ ସହିତ ଯୋଡ଼ି ଦେଉଛନ୍ତି। ସେଠାରେ କ୍ରିପ୍ଟୋ କରେନ୍ସି ଟ୍ରେଡିଂ ୱେବ୍‌ସାଇଟ୍‌ରେ ପ୍ରବେଶ କରିବା ପାଇଁ ନିର୍ଦ୍ଦେଶ ଆସୁଛି। ଏହି ୱେବ୍‌ସାଇଟ୍‌ରେ ପ୍ରବେଶ କରିବା ପୂର୍ବରୁ ନିବେଶକଙ୍କୁ ଏଥିପାଇଁ ଲଗ୍ ଇନ୍ ଆଇଡି ଓ ପାସ୍‌ଵାର୍ଡ ଯୋଗାଇ ଦିଆଯାଉଛି। ଏହାକୁ ଲଗ୍‌ଇନ୍ କରିବା ପରେ ବିଟ୍‌କଏନ୍ ବିକ୍ରି ପାଇଁ ଉଦ୍ଦିଷ୍ଟ ପେଜ୍ ଖୋଲୁଛି। ଏହି ବିଟ୍‌କଏନ୍ ବିକ୍ରି କରି ପୂର୍ବରୁ ଲକ୍ଷାଧିକ ଟଙ୍କା ରୋଜଗାର କରିଥିବା ଏକାଧିକ ନିବେଶକଙ୍କ ବ୍ୟାଙ୍କରେ ଅର୍ଥ କାରବାରର ସ୍କ୍ରିନ୍ ସର୍ଟ ବି ଦିଆଯାଉଛି। ଯାହାଫଳରେ ଏହା ନିବେଶକଙ୍କୁ ଅଧିକ ବିଶ୍ବାସ କରିବାକୁ ବାଧ୍ୟ କରୁଛି। କିନ୍ତୁ ଏହି ସ୍କ୍ରିନ୍ ସର୍ଟ ବି ଜାଲିଆତି କରି ପ୍ରସ୍ତୁତ ହୋଇଛି। ସାଇବର୍ ଅପରାଧୀଙ୍କ ଏହି ଚାଲ୍ ବି ନିବେଶକମାନେ ସହଜରେ ଧରିପାରୁନାହାନ୍ତି।

publive-image

ବିଟକଏନ୍ ସହିତ ସେମାନଙ୍କୁ ଲୁଟିବାକୁ ଏକକାଳୀନ ଆଉ ଏକ ଥୋପ ପକାଉଛନ୍ତି ସାଇବର୍ ଅପରାଧୀ। ଇନ୍‌ଷ୍ଟାଗ୍ରାମ୍‌ରେ ଥିବା କିଛି ସେଲିବ୍ରିଟିଙ୍କ ଫଲୋଅର୍ ସଂଖ୍ୟା ବୃଦ୍ଧି କରିବା ପାଇଁ କହୁଛନ୍ତି। ଏଥିପାଇଁ ଦୈନିକ ପାରିଶ୍ରମିକ ୨ ହଜାରରୁ ୩ ହଜାର ଟଙ୍କା ମିଳିବା ନେଇ ବି ପ୍ରତିଶ୍ରୁତି ଦିଆଯାଉଛି। ପ୍ରଥମେ ଦୁଇଟି ସେଲିବ୍ରିଟିଙ୍କ ପ୍ରୋଫାଇଲ୍ ଦିଆଯାଉଛି। ଏହି ପ୍ରୋଫାଇଲ୍‌କୁ ସେମାନେ କିଭଳି ଫଲୋ କରୁଛନ୍ତି ସେ ନେଇ ଏକ ସ୍କ୍ରିନ୍ ସର୍ଟ ଦେବାକୁ କୁହାଯାଉଛି। ପ୍ରାଥମିକ ଭାବେ ଦୁଇଟି ପ୍ରୋଫାଇଲ୍ ଫଲୋ କରିବା ବାବଦ ୨୧୦ ଟଙ୍କା ପଠାଉଛନ୍ତି। ପରୀକ୍ଷା ମୂଳକ ଭାବେ ଏହି ଟାସ୍କ ଶେଷ କରିବା ପରେ ନିବେଶକଙ୍କୁ ଏକ ଟାସ୍କ ଗ୍ରୁପ୍‌ରେ ଯୋଡ଼ାଯାଉଛି। ସେଠାରେ ସେମାନଙ୍କୁ ୨୫ଟି ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟର ପ୍ରୋଫାଇଲ୍ ଦିଆଯାଉଛି। ଗୋଟିଏ ଆକାଉଣ୍ଟ ଫଲୋ କରିବା ବାବଦ ୭୦ ଟଙ୍କା ମିଳିବ ବୋଲି କୁହାଯାଉଛି। ଏହିଭଳି କିଛିଦିନ ଚାଲିବା ପରେ ଏଭଳି ଟାସ୍କ ପାଇବା ପାଇଁ ନିବେଶକଙ୍କୁ ଆଗୁଆ ଟଙ୍କା ଜମା କରିବାକୁ କୁହାଯାଉଛି। ଏହି ଟଙ୍କା ନିବେଶକ ଜମା କରିବା ପରେ ଟାସ୍କ ଭୁଲ୍‌ ଥିବା କହି ନିବେଶକଙ୍କ ଲକ୍ଷ ଲକ୍ଷ ଟଙ୍କା ସାଇବର୍ ଅପରାଧୀ ଲୁଟିନେଉଛନ୍ତି। ସମସ୍ତ ନିବେଶକ ଏଭଳି ସମାନ ଧରଣ ଲୁଟର ଶିକାର ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା କଟକରେ ହୋଇଥିବା ୧୨ଟି ବିଟ୍‌କଏନ୍‌ କେଳେଙ୍କାରୀ ଘଟଣାରେ ମୋଟ ୫୦୦ ବ୍ୟାଙ୍କ୍ ଆକାଉଣ୍ଟକୁ ଏହି ଟଙ୍କା ଯାଇଛି। ମୋଟ ୭ଟି ବ୍ୟାଙ୍କରେ ଏହି ଆକାଉଣ୍ଟ ରହିଛି। ମୁମ୍ବାଇ, ଦିଲ୍ଲୀ, ତାମିଲନାଡ଼ୁ, ରାଜସ୍ଥାନ, ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼ରେ ଥିବା ବିଭିନ୍ନ ବ୍ୟାଙ୍କ୍ ଆକାଉଣ୍ଟକୁ ଏହି ଲୁଟ୍ ଟଙ୍କା ଯାଇଥିବା ସାଇବର୍ ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ସର୍ବାଧିକ ବ୍ୟାଙ୍କ ଆକାଉଣ୍ଟ ମୁମ୍ବାଇରେ ରହିଛି। ପାଖାପାଖି ୩୦୦ ଆକାଉଣ୍ଟ ମୁମ୍ବାଇରୁ ନିୟନ୍ତ୍ରଣ ହୋଇଛି। କଟକରୁ ଲୁଟ୍ ହୋଇଥିବା ୧ କୋଟି ୮୦ ଲକ୍ଷରୁ ସିଂହଭାଗ ଟଙ୍କା ମୁମ୍ବାଇର ଏହି ବ୍ୟାଙ୍କ୍ ଆକାଉଣ୍ଟକୁ ଆସିଛି। ସମସ୍ତ ବ୍ୟାଙ୍କ ଆକାଉଣ୍ଟ ସାଇବର୍ ଅପରାଧୀମାନେ ସାଧାରଣ ଲୋକଙ୍କଠାରୁ ଅସ୍ଥାୟୀ ଭାବେ କିଣିଆଣି ଟଙ୍କା ଜମା କରିଥିବା ତଦନ୍ତରୁ ଜଣାପଡ଼ିଛି। ୫୦୦ ବ୍ୟାଙ୍କ୍ ଆକାଉଣ୍ଟ ପୃଥକ ଭାବେ ଜବତ କରି ଏହାକୁ ଯାଞ୍ଚ କରିବା ଓ ଆକାଉଣ୍ଟଧାରୀଙ୍କୁ ପଚରାଉଚରା କରିବା ଏକ ଲମ୍ବା ପ୍ରକ୍ରିୟା ହୋଇଥିବାରୁ କମିସନରେଟ୍ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।