ରାଉରକେଲା: ବଣାଇ ବନଖଣ୍ଡରେ ଥମୁନି ହାତୀ ଉପଦ୍ରବ। ଗତକାଲି ରାତିରେ ବଣାଇ ବନଖଣ୍ଡ ତାମଡ଼ା ରେଞ୍ଜ ଅନ୍ତର୍ଗତ କଣ୍ଟାପାଲି ମୁଣ୍ଡାସାହିରେ ମା’ ଆଗରେ ଦୁଇ ଝିଅଙ୍କୁ କଚାଡ଼ି ମାରିଛି ଦନ୍ତାହାତୀ। ତେବେ ମରଣମୁହଁରୁ ବର୍ତ୍ତି ଯାଇଛନ୍ତି ମା’, ପୁଅ ଓ ଜଣେ ବୃଦ୍ଧ। ମୃତକ ହେଲେ ବିର୍ସି ମୁଣ୍ଡାଙ୍କ ଝିଅ ସାନିଆ ମୁଣ୍ଡା (୧୨) ଓ ଚାନ୍ଦିନୀ (୩)। ହାତୀ ଆକ୍ରମଣରେ ବିର୍ସିଙ୍କ ଘର ମାଟିରେ ମିଶିଯାଇଛି। କ୍ଷତିପୂରଣ ଦାବିରେ ଉତ୍ତେଜିତ ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅନ୍ତିମ ସଂସ୍କାର ପାଇଁ ବନ ବିଭାଗ ଲକ୍ଷେ ଟଙ୍କା ଓ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ୧୦ ହଜାର ଟଙ୍କା ଦେବାପରେ ଅପରାହ୍‌ଣ ୩ଟାରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଗୁରୁଣ୍ଡିଆ ପୁଲିସ ଦୁଇ ଭଉଣୀଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ମିଳିଥିବା ସୂଚନା ଅନୁସାରେ ମୁଣ୍ଡାସାହିରେ ରଞ୍ଜନ ମୁଣ୍ଡା ତାଙ୍କ ପତ୍ନୀ ବିର୍ସି, ଝିଅ ସାନିଆ(୧୨), ପୁଅ ଅଜୟ(୧୦), ତିନିବର୍ଷର ଶିଶୁକନ୍ୟା ଚାନ୍ଦିନୀ ଓ ବୃଦ୍ଧ ବାପା ରହନ୍ତି। 

Advertisment

ରଞ୍ଜନ ଲହୁଣିପଡ଼ାର ଏକ ହୋଟେଲରେ କାମ କରନ୍ତି। ଗତକାଲି ରାତି ପ୍ରାୟ ସ‌ାଢ଼େ ୧୧ଟା ସମୟରେ ପରିବାର ଲୋକେ ଶୋଇଥିବା ବେଳେ ଖାଦ୍ୟ ଅନ୍ବେଷଣରେ ଦନ୍ତାହାତୀ ମୁଣ୍ଡାସାହିକୁ ଆସି ବିର୍ସିଙ୍କ ଘର ଭାଙ୍ଗି ଭିତରକୁ ପଶିଥିଲା। ହଠାତ୍‌ ହାତୀକୁ ଦେଖି ପାଟି କରିବା ସହ ପୁଅକୁ କାଖେଇ ଘରୁ ବାହାରି ଆସିଥିଲେ। ଦୁଇ ଝିଅ ଓ ଶ୍ବଶୁରଙ୍କୁ ଘରୁ ଦୌଡ଼ି ପଳାଇ ଆସିବାକୁ କହିଥିଲେ। ଏହି ସମୟରେ ଦନ୍ତହାତୀଟି ୧୨ ବର୍ଷ ଝିଅ ସାନିଆକୁ ଶୁଣ୍ଢରେ ଟେକି କଚାଡ଼ି ଦେବା ସହ ପାଦରେ ଦଳି ଦେଇଥିଲା। ପରେ ସାନଝିଅ ଚାନ୍ଦିନୀକୁ ମଧ୍ୟ କଚାଡ଼ି ଦେବାରୁ ଘଟଣାସ୍ଥଳରେ ଦୁହିଁଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଆଜି ସକାଳୁ ଗୁରୁଣ୍ଡିଆ ପୁଲିସ ଓ ତାମଡ଼ା ବନାଞ୍ଚଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉପଯୁକ୍ତ କ୍ଷତିପୂରଣ, ମୃତକ ପରିବାରକୁ ପକ୍କାଘର ସହ ହାତୀ ଘଉଡ଼ାଇବା ଅଭିଯାନକୁ ଜୋରଦାର କରିବାକୁ ଗ୍ରାମବାସୀ ଦାବି କରିଥିଲେ। ଅସ୍ଥାୟୀ ଭାବେ ରହିବା ବ୍ୟବସ୍ଥା ଓ କ୍ଷତିପୂରଣ ପ୍ରତିଶ୍ରୁତି ଦେବାପରେ ଗ୍ରାମବାସୀ ଆନ୍ଦୋଳନରୁ ଓହରିଥିଲେ। 

ସେହିପରି ଗତକାଲି ସୋଲ ରେଞ୍ଜରେ ଶୌଚ ପାଇଁ ଯାଇଥିବାବେଳେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଏହି ଦନ୍ତାହାତୀ ଆଗରୁ କୋଇଡ଼ା ଅଞ୍ଚଳରେ ୧୫ରୁ ଅଧିକ ଜୀବନ ନେଇସାରିଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ତାମଡ଼ା ରେଞ୍ଜ କଣ୍ଟାପାଲି ଅଞ୍ଚଳରେ ହାତୀଟି ଆତଙ୍କ ଖେଳାଇଛି। ହାତୀ ଦେହରେ ଲାଗିଥିବା ଜିପିଏସ୍‌ରୁ ଜଣାପଡ଼ିଛି, ହାତୀଟି କୁଇଲିଝର ଢେଙ୍କିଆମ୍ ଜଙ୍ଗଲରୁ ସିଧା ଉର୍ମେଇ ଜଙ୍ଗଲ ରାସ୍ତା ପାର କରି ରଞ୍ଜନ ମୁଣ୍ଡାଙ୍କ ଘରକୁ ଆସିଥିଲା।