ଭୁବନେଶ୍ବର: ଆସନ୍ତା ୨୪ ଓ ୨୫ ତାରିଖରେ ହେବାକୁ ଥିବା ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି। କେନ୍ଦ୍ରୀୟ ମୁଖ୍ୟ ଶ୍ରମ କମିସନରଙ୍କ ମଧ୍ୟସ୍ଥତାରେ ଅନୁଷ୍ଠିତ ବୈଠକରେ ସରକାର ଏବଂ ଭାରତୀୟ ବ୍ୟାଙ୍କ କର୍ତ୍ତୃପକ୍ଷ (ଆଇବିଏ), ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଂଘର ଦାବି ପୂରଣ ପ୍ରତି ସକାରାତ୍ମକ ମନୋଭାବ ପୋଷଣ କରିବା ପରେ ବ୍ୟାଙ୍କ ସଂଘଗୁଡ଼ିକ ଏଭଳି ନିଷ୍ପତ୍ତି ନେଇଛନ୍ତି। ଫଳରେ ବର୍ତ୍ତମାନ ପାଇଁ ଧର୍ମଘଟ ଟଳିଯାଇଛି। ଆସନ୍ତା ଏପ୍ରିଲ ୨୨ ତାରିଖରେ ପୁଣି ଥରେ ସରକାର ଓ ଆଇବିଏ ସହିତ ସଂଘ ପ୍ରତିନିଧିମାନଙ୍କ ବୈଠକ ହେବାକୁ ସ୍ଥିର ହୋଇଛି। 

Advertisment

ଉଲ୍ଲେଖଯୋଗ୍ୟ, ବ୍ୟାଙ୍କର ସବୁ ବର୍ଗରେ ପର୍ଯ୍ୟାପ୍ତ ସଂଖ୍ୟକ ନିଯୁକ୍ତି, ଆର୍ଥିକ ସେବା ବିଭାଗ ଦ୍ବାରା ପିଏଲ୍‌ଆଇ ସଂକ୍ରାନ୍ତ ନିର୍ଦ୍ଦେଶନାମାର ସମୀକ୍ଷା, ବ୍ୟାଙ୍କ ଶାଖାରେ ବିଶୃଙ୍ଖଳିତ ଲୋକ ଓ ଗ୍ରାହକଙ୍କ ଦ୍ବାରା ହେଉଥିବା ଆକ୍ରମଣରୁ କର୍ମଚାରୀ ଓ ଅଧିକାରୀମାନଙ୍କୁ ସୁରକ୍ଷା, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ ୱାର୍କମେନ୍‌/ଅଫିସର ନିର୍ଦ୍ଦେଶକ ପଦବି ପୂରଣ, ଆଇବିଏ ନିକଟରେ ପଡ଼ି ରହିଥିବା ବିଷୟଗୁଡ଼ିକର ସମାଧାନ, ଗ୍ରାଚୁଇଟି ସୀମା ବୃଦ୍ଧି, ଆଇଡିବିଆଇ ବ୍ୟାଙ୍କରେ ୫୧ ପ୍ରତିଶତ ଅଂଶଧନ ବଜାୟ ରଖିବା, ସାପ୍ତାହିକ ୫ ଦିନ କାର୍ଯ୍ୟଦିବସ ଆଦି ଦାବି ପୂରଣ ପାଇଁ ବ୍ୟାଙ୍କ ସଂଘଗୁଡ଼ିକ ଧର୍ମଘଟ ଡାକରା ଦେଇଥିଲେ। ଆଜିର ଆଲୋଚନାରେ ଆର୍ଥିକ ସେବା ବିଭାଗ, ଆଇବିଏ, ବ୍ୟାଙ୍କ ସଂଘର ପ୍ରତିନିଧିମାନେ ସାମିଲ ହୋଇଥିଲେ। କେନ୍ଦ୍ରୀୟ ମୁଖ୍ୟ ଶ୍ରମ କମିସନର କେ ଶେଖର ଆଲୋଚନାରେ ମଧ୍ୟସ୍ଥତା କରିଥିଲେ।