ଭୁବନେଶ୍ବର: ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୨୫ ପାଇଁ ମୁମ୍ବାଇରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ ଦୁଇଦିନିଆ ରୋଡ୍ ସୋ ଆଜି ଶେଷ ହୋଇଛି। ଦ୍ବିତୀୟ ଦିନରେ ଶିଳ୍ପ ଓ ଉଦ୍ୟୋଗ ଜଗତର ୫୦୦ରୁ ଅଧିକ ପ୍ରତିନିଧି ଯୋଗଦେଇଥିଲେ। ଦେଶର ଆର୍ଥିକ ରାଜଧାନୀରେ ଆୟୋଜିତ ଏହି ରୋଡ୍ ସୋରେ ଓଡ଼ିଶାର ଶିଳ୍ପ ବିକାଶ ଏବଂ ନିବେଶ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଦୁଇ ଦିନରେ ମୁମ୍ବାଇରେ ବାସ କରୁଥିବା ବହୁ ବିଶିଷ୍ଟ ଶିଳ୍ପପତିଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସହିତ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ୍ ଆଲୋଚନା ହୋଇଛି।
ଏହି ହାଇ ପ୍ରୋଫାଇଲ୍ କାର୍ଯ୍ୟକ୍ରମ ଆସନ୍ତା ଜାନୁଆରି ୨୮ ଓ ୨୯ରେ ଭୁବନେଶ୍ବରରେ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫ର ପ୍ରସ୍ତୁତିକୁ ଅଧିକ ବଳ ଯୋଗାଇଛି। ଓଡ଼ିଶାରେ ନିବେଶ ସୁଯୋଗ ସଂପର୍କିତ ଅଧିବେଶନରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଶର ଆର୍ଥିକ ରାଜଧାନୀରେ ଶିଳ୍ପ ଓ ଉଦ୍ୟୋଗ ଜଗତର ବ୍ୟକ୍ତିମାନଙ୍କୁ ଭେଟୁଥିବାରୁ ଖୁସିବ୍ୟକ୍ତ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାଦାୟୀ ନେତୃତ୍ବରେ ଦେଶ ‘ବିକଶିତ ଭାରତ’ର ସ୍ବପ୍ନ ପୂରଣ କରିବା ଦିଗରେ ଅଗ୍ରସର ହେଉଛି। ପୂର୍ବୋଦୟ ଯୋଜନାର କେନ୍ଦ୍ରରେ ଓଡ଼ିଶା ରହିଛି। ଭାରତର ପୂର୍ବ ତଟରେ ଅବସ୍ଥିତ ଓଡ଼ିଶା ଏବଂ ପ୍ରଭୁ ଜଗନ୍ନାଥଙ୍କ ଭୂମି ସବୁ ଧର୍ମ ଏବଂ ବିଶ୍ବାସର ଲୋକଙ୍କୁ ସର୍ବଦା ଆକୃଷ୍ଟ କରିଆସିଛି। ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟ ଇତିହାସ ରହିଛି। ପ୍ରାଚୀନ ବାଣିଜ୍ୟ ରାସ୍ତାର କେନ୍ଦ୍ରରେ ଆମ ରାଜ୍ୟ ରହିଛି। ଏହାର ଗୌରବମୟ ଐତିହ୍ୟ ରହିଛି।
ସଂପ୍ରତି ଶିଳ୍ପାୟନ ଏବଂ ଅର୍ଥନୈତିକ କାର୍ଯ୍ୟକଳାପ କ୍ଷେତ୍ରରେ ଓଡ଼ିଶା ଏକ ଆଧୁନିକ କେନ୍ଦ୍ର ପାଲଟିଛି। ଆମ ସରକାର ଓଡ଼ିଶାରେ ଶିଳ୍ପ ବିକାଶର ନୂଆ ଯୁଗ ସୃଷ୍ଟି ପାଇଁ ସଂପୂର୍ଣ୍ଣ ଭାବେ ଅଙ୍ଗୀକାରବଦ୍ଧ। ପ୍ରତ୍ୟେକ କ୍ଷେତ୍ରରେ ଉତ୍କର୍ଷ ହାସଲ ପାଇଁ ଆମେ ଲକ୍ଷ୍ୟ ରଖିଛୁ। ଆମର ରୂପାନ୍ତର ଯାତ୍ରା କେବଳ ସମ୍ବଳଭିତ୍ତିକ ଶିଳ୍ପରେ ସୀମିତ ନାହିଁ। ଓଡ଼ିଶା ଏବେ କୌଶଳ ଦ୍ବାରା ଆଗକୁ ବଢ଼ୁଥିବା କ୍ଷେତ୍ର ଉପରେ ଗୁରୁତ୍ବ ଦେଉଛି। ଆଇଟି, ଇଲେକ୍ଟ୍ରୋନିକ୍ସ ଉତ୍ପାଦନ, ବୟନଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ରାସାୟନିକ, ପେଟ୍ରୋରାସାୟନିକ ଏବଂ ଅକ୍ଷୟଶକ୍ତି କ୍ଷେତ୍ରରେ ଦ୍ରୁତ ଅଗ୍ରଗତି ହାସଲ କରୁଛୁ। ଭବିଷ୍ୟତରେ ଏସବୁ କ୍ଷେତ୍ରରେ ଦେଶ ପାଇଁ ଓଡ଼ିଶାର ବଡ଼ ଯୋଗଦାନ ରହିବ।
ବ୍ୟାବସାୟିକ କାର୍ଯ୍ୟ ଯେଭଳି ସହଜ ଓ ଦ୍ରୁତବେଗରେ ହୋଇପାରିବ ସେଥିପାଇଁ ଆମ ସରକାର କାର୍ଯ୍ୟ କରୁଛି। ଆମର ବଡ଼ ଅସ୍ତ୍ର ହେଲା ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟରେ ସମନ୍ବୟ। କେନ୍ଦ୍ର ସରକାରଙ୍କ ପିଏଲ୍ଆଇ ସ୍କିମ, ନ୍ୟାସନାଲ ଇନଫ୍ରାଷ୍ଟ୍ରକଚର ପାଇପଲାଇନ୍, ଗତିଶକ୍ତି ଭଳି ଯୋଜନା ସହିତ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ସମନ୍ବୟ ରଖି କାର୍ଯ୍ୟ କରୁଛନ୍ତି। ଏହାଦ୍ବାରା ଏକ ଅନୁକୂଳ ବ୍ୟବସାୟ ପରିବେଶ ସୃଷ୍ଟି ହୋଇଛି। ଓଡ଼ିଆ ଯୁବକଙ୍କ ପାଇଁ ନିଯୁକ୍ତି ସୃଷ୍ଟି ମୋ ସରକାରର ଏକ ପ୍ରମୁଖ କାର୍ଯ୍ୟସୂଚୀ। ଓଡ଼ିଶାରେ ଅଧିକ ନିଯୁକ୍ତି ସୃଷ୍ଟିକାରୀ କାରଖାନା ଓଡ଼ିଶାରେ ସ୍ଥାପନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶିଳ୍ପପତିମାନଙ୍କୁ ଆହ୍ବାନ କରିଛନ୍ତି। ଓଡ଼ିଶାରେ ସବୁଠୁ ଦକ୍ଷ ମାନବ ସମ୍ବଳ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶାରେ ବ୍ୟବସାୟ ପରିଚାଳନା ପାଇଁ ଏକ ନିରାପଦ ଓ ଶାନ୍ତିପୂର୍ଣ୍ଣ ପରିବେଶ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ସରକାର ଗଠନର ଗତ ୧୦୦ ଦିନ ଭିତରେ ମୋ ସରକାର ପୋଷାକ ଉତ୍ପାଦନ ପୁଞ୍ଜ, ଖାଦ୍ୟ ପ୍ରକ୍ରିୟାକରଣ ପାର୍କ, ମଲ୍ଟିମୋଡାଲ ଲଜିଷ୍ଟିକ୍ସ ହବ୍ ବିକାଶ ପାଇଁ ପଦକ୍ଷେପ ନେଇଛି।
ଶିଳ୍ପ ବିକାଶର ନୂଆ ଯୁଗ ପାଇଁ ଅଙ୍ଗୀକାରବଦ୍ଧ: ମୁଖ୍ୟମନ୍ତ୍ରୀ
ଆସନ୍ତାବର୍ଷ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ରେ ଯୋଗଦେବାକୁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ କରିଥିଲେ। ଓଡ଼ିଶାର ଶିଳ୍ପ ଅଭିବୃଦ୍ଧିକୁ ପରବର୍ତ୍ତୀ ସ୍ତରକୁ ନେବାଲାଗି ଆପଣମାନଙ୍କ ସହ ସହଯୋଗିତା ସ୍ଥାପନ ପାଇଁ ଏହା ଏକ ଉତ୍ତମ ପ୍ଲାଟଫର୍ମ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସଂପନ୍ନ ନେତୃତ୍ବରେ ଆମେ ମିଳିତଭାବେ ଏକ ବିକଶିତ ଭାରତ ନିର୍ମାଣ କରିପାରିବା ଏବଂ ଏହି ଯାତ୍ରାରେ ଓଡ଼ିଶା ଅଗ୍ରଦୂତ ହେବାକୁ ପ୍ରସ୍ତୁତ ରହିଛି। ଏଥିସହିତ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିବାରୁ ମୁଖ୍ୟମନ୍ତ୍ରୀ ଶିଳ୍ପପତିମାନଙ୍କୁ ଧନ୍ୟବାଦ ଜଣାଇବା ସହିତ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ରେ ପୁଣି ଦେଖାହେବ ବୋଲି କହିଛନ୍ତି। କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସଂପଦ ଚରଣ ସ୍ବାଇଁ ଯୋଗଦେଇ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଓଡ଼ିଶାରେ ରହିଥିବା ସୁବିଧାସୁଯୋଗ ସଂପର୍କରେ ଆଲୋକପାତ କରିଥିଲେ। ଏଥିରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସ୍ବାଗତ ଭାଷଣ ଦେଇଥିଲେ। ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଶିଳ୍ପାୟନ ପାଇଁ ଓଡ଼ିଶାର ରହିଥିବା ସାମର୍ଥ୍ୟ ଓ ସୁଯୋଗ ଉପରେ ସୂଚନା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/20/yb5fWvfDBg11abGz0mTI.jpg)