ନେତାମାନେ ଓଡ଼ିଶାର ପ୍ରଗତିକୁ ଅଗ୍ରାଧିକାର ଦିଅନ୍ତୁ

ରେଭେନ୍ସାରେ ଓପିଏସ୍‌ର ୨ଦିନିଆ ଆଲୋଚନାଚକ୍ର

କଟକ : ରାଜ୍ୟର ସମସ୍ତ ରାଜନୈତିକ ଦଳ ଅନ୍ୟମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ସହ ଉତ୍ତରଦାୟିତ୍ୱ ବହନ କରିବାର ସାହସ ରଖିବା ଦରକାର। ଗଣତନ୍ତ୍ର ବ୍ୟବସ୍ଥାରେ ରାଜନୈତିକ ଦଳଗୁଡିକର ଆଭ୍ୟନ୍ତରଣ ଗଣତନ୍ତ୍ର, ସ୍ୱାଧୀନ ମତପୋଷଣ କରିବାର ସୁଯୋଗ ଏବଂ ମାଟିର ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦିଆଗଲେ ଓଡ଼ିଶାର ବିକାଶ ସମ୍ଭବ ହେବ। ରାଜନେତାମାନେ ନିଜ ଦଳ କିମ୍ବା ମୁଖିଆଙ୍କୁ ପ୍ରାଧାନ୍ୟ ନଦେଇ ଓଡ଼ିଶାର ପ୍ରଗତିକୁ ଅଗ୍ରାଧିକାର ଦେଲେ ଆମେ ୨୦୩୬ରେ ଏକ ନୂତନ ଓଡ଼ିଶା ଗଠନ କରିବାରେ ସଫଳ ହୋଇପାରିବା ବୋଲି ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ତଥା ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ପ୍ରକାଶ କରିିଛନ୍ତି।

ରେଭେନ୍ସା ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଓଡ଼ିଶା ରାଜନୀତି ବିଜ୍ଞାନ ଆସୋସିଏସନ୍‌ (ଓପିଏସ୍‌)ର ୨୮ତମ ବାର୍ଷିକ ସମ୍ମିଳନୀ ଅବସରରେ ଆୟୋଜିତ ‘ଓଡ଼ିଶା ୨୦୩୬: ସମାଜ ଓ ରାଜନୀତି’ ଶୀର୍ଷକ ଆଲୋଚନାଚକ୍ରକୁ ସଂଚାଳନା କରି ଶ୍ରୀ ପଟ୍ଟନାୟକ ରାଜନୈତିକ ଦଳଗୁଡିକୁ ଆହ୍ଵାନ କରି କହିଲେ ଯେ ରାଜନୈତିକ ଦଳଗୁଡିକ ପରସ୍ପରକୁ ଦୋଷାରୋପ ନକରି ନିଜର ଦୂରଦୃଷ୍ଟିରେ ଜ୍ଞାନ ଓ ଅଗ୍ରାଧିକାର ଭିତ୍ତିରେ ପ୍ରସଙ୍ଗକୁ ବାଛି ଉପଯୁକ୍ତ ନିଷ୍ପତ୍ତି ନେବାର ସାମର୍ଥ୍ୟ ରଖିବା ସହ ଅନ୍ୟ ସହ ମିଶି ଓଡ଼ିଶାର ବିକାଶ କରିବାକୁ ଏକ ସୁନ୍ଦର ବାତାବରଣ ତିଆରି କରନ୍ତୁ। ଏହା ସହିତ ରାଜ୍ୟରେ ଶିକ୍ଷାର ବିକାଶ କରାଇ ଆଗାମୀ ପିଢିକୁ ନୂତନ ଓ ସମ୍ବଦ୍ଧ ଓଡ଼ିଶା ତିଆରି କରାଇବା ପାଇଁ ସୁଯୋଗ୍ୟ କରାଇବାକୁ ମଧ୍ୟ ଶ୍ରୀ ପଟ୍ଟନାୟକ ରାଜନୈତିକ ଦଳଗୁଡିକୁ ଆହ୍ଵାନ କରିଥିଲେ।

ଏହି ଆଲୋଚନାଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ବିଧାୟକ ଗଣେଶ୍ୱର ବେହେରା, ବାମପନ୍ଥୀ ନେତା ଜନାର୍ଦ୍ଦନ ପତି, ବିଜେପି ନେତା ସର୍ଜନ ଶର୍ମା, ଉତ୍କଳ ଭାରତ ସଭାପତି ଖାରବଳ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ। ଆଗାମୀ ଦିନରେ ଓଡ଼ିଶାରେ କୃଷି ଉତ୍ପାଦନକୁ ଦୁଇଗୁଣ କରିବା, ମାନବ ସମ୍ବଳ ଓ ଶିଳ୍ପର ବିକାଶ, ପଛୁଆ ବର୍ଗଙ୍କୁ ମୁଖ୍ୟ ସ୍ରୋତରେ ସାମିଲ, ଦୁର୍ନୀତି ବିରୋଧରେ ସ୍ୱତନ୍ତ୍ର ବ୍ୟବସ୍ଥା, ଓଡ଼ିଆ ଭାଷାରେ ରାଜ୍ୟକୁ ଶାସନ କରିବା, ଅମଲାତନ୍ତ୍ରକୁ ନିୟନ୍ତ୍ରଣରେ ରଖିବା, ରଜ୍ୟବାସୀଙ୍କୁ ସମସ୍ତ ମୌଳିକ ସୁବିଧା ଓ ସୁଯୋଗ ଦେଇ ସମ୍ମାନର ସହ ବଞ୍ଚିବାକୁ ସୁଯୋଗ ଦେବା ପାଇଁ ସବୁ ଦଳ ଏକତ୍ର ହୋଇ କାର୍ଯ୍ୟ କଲେ ୨୦୩୬ରେ ଏକ ନୂଆ ଓଡ଼ିଶା ଗଠନ କରାଯାଇପାରିବ ବୋଲି ସମସ୍ତ ରାଜନୈତିକ ନେତାମାନେ ମତ ଦେଇଥିଲେ।

ଦୁଇଦିନ ଧରି ଚାଲିବାକୁୁ ଥିବା ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥି, ପ୍ରଫେସର ସଞ୍ଜୀବ କୁମାର ଶର୍ମା, ଡକ୍ଟର ପ୍ରଶାନ୍ତ କୁମାର ମହାନ୍ତି ସମ୍ମାନିତ ଅତିଥି, ମନୋରଞ୍ଜନ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଉତ୍ସବରେ ସଂଗଠନ ସଂପାଦିକା ତଥା ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନ ମୁଖ୍ୟ ପ୍ରଫେସର ଅସୀମା ସାହୁ ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ କୁଳପତି ପ୍ରଫେସର ପ୍ରକାଶ ଚନ୍ଦ୍ର ଷଡଙ୍ଗୀ ଧନ୍ୟବାଦ ଦେଇଥିଲେ। ସମ୍ମିଳନୀରେ ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟର ଶତାଧିକ ଅଧ୍ୟାପକ, ଅଧ୍ୟାପିକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର