ବୈଷୟିକ କାରଣରୁ ଦୁଇ ଦିନ ବନ୍ଦ ରହିବ ଜୟପୁର- ଭୁବନେଶ୍ବର ବିମାନ ଚଳାଚଳ

ଜୟପୁର: ବୈଷୟିକ କାରଣକୁ ନେଇ ଆଜି ଓ ଆସନ୍ତାକାଲି ଦୁଇ ଦିନ ଜୟପୁର –ଭୁବନେଶ୍ବର ବିମାନ ଚଳାଚଳ ବନ୍ଦ ରହିବ ବୋଲି ସୂଚନା ମିଳିଛି। ୩୧ତାରିଖ ଠାରୁ ପୁଣି ନିର୍ଦ୍ଧାରିତ ସମୟରେ ଏହା ଚଳାଚଳ କରିବ ବୋଲି ଇଣ୍ଡିଆ ୱାନ ଏୟାର ପକ୍ଷରୁ ସୂଚନା ମିଳିଛି। ଏହି ମାସରେ ଗତ ୧୧ତାରିଖ ଦିନ ଦିନକ ପାଇଁ ବନ୍ଦ ରହିଥିଲା। ଗତ ୨୦୨୨ ମସିହା ଅକ୍ଟୋବର ୩୧ତାରିଖ ଦିନ ଭୁବନେଶ୍ବରରୁ ଜୟପୁରକୁ ୯ସିଟ୍ ବିଶିଷ୍ଟ ବିମାନ ଇଣ୍ଡିଆ ୱାନ ଏୟାର ଚଳାଚଳ କରିଥିଲା। ସପ୍ତାହକ ପରେ ଜୟପୁରରୁ ବିଶାଖାପାଟଣା ଚାଳିଥିଲା। ଗୋଟିଏ ବିମାନ ଭୁବନେଶ୍ବରରୁ ଜୟପୁର ଆସି ପୁଣି ଜୟପୁରରୁ ବିଶାଖାପାଟଣା ଯାଇ ସେଠାରୁ ପୁଣି ଜୟପୁର ଆସି ଜୟପୁରରୁ ଭୁବନେଶ୍ବରକୁ ଚଳାଚଳ କରୁଛି। ଏହି ବିମାନ ସେବା ଆରମ୍ଭ ପର ଠାରୁ ଗତ ଜାନୁଆରୀ ମାସରେ ଥରେ ବୈଷୟିକ କାରଣକୁ ନେଇ ଚଳାଚଳ ଦିନକ ପାଇଁ ବାତିଲ କରିଥିବାବେଳେ ଆଜି ପୁଣି ଦ୍ବିତୀୟ ଥର ପାଇଁ ମେ ୧୧ରେ ଏହି ସେବା ବନ୍ଦ ହୋଇଥିଲା।

ଏହି ବିମାନ ସେବା ଆରମ୍ଭ ପରଠାରୁ ସବୁ ଦିନ ଭୁବନେଶ୍ବରରୁ ଜୟପୁର ୮ଟି ସିଟ୍ ବୁକିଂ ରହୁଥିବା ବେଳେ କାଁଭାଁ ବିଶାଖାପାଟଣା ଟ୍ରିପରେ ଯାଉଥିବା ସେବାରେ ସିଟ୍ ଖାଲି ରହୁଛି। ଆରମ୍ଭ ପରେ ପ୍ରାୟ ମାସକ ସପ୍ତାହକରେ ୬ଦିନ ଚାଲୁଥିବା ବେଳେ ପରବର୍ତ୍ତୀ ସମୟରେ ୭ଦିନ ଚାଲୁଛି। ମାତ୍ର ଗୋଟିଏ ବିମାନ ବୁଲୁଥିବାରୁ ବୈଷୟିକ ସାଜସଜ୍ଜା ପାଇଁ ବିମାନ ରଖାଯାଇଥିବା ସୂଚନା ମିଳିଛି। ଏହାରି ମଧ୍ୟରେ ଆଉ ୨ଟି ବିମାନ ଇଣ୍ଡିଆ ୱାନ ଏୟାର କିଣି ସାରିଛି। ଦ୍ବିତୀୟଟି ଗତ ମାର୍ଚ୍ଚ ୫ ପ୍ରବାଦପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିନରେ ଆରମ୍ଭ ହେବ ବୋଲି ସ୍ଥାନୀୟ ଲୋକେ ଓ ଯାତ୍ରୀ ଆଶା କରିଥିଲେ।

ତେବେ ସେହି ବିମାନଟି ଅନ୍ୟତ୍ର ଚାଲିବା ପରେ ଲୋକେ ନିରାଶ ହୋଇଥିଲେ । ତୃତୀୟ ବିମାନଟି ଇଣ୍ଡିଆ ୱାନ ଏୟାର କିଣିବା ପରେ ଦ୍ବିତୀୟଟି ବି ଶୀଘ୍ର ଚାଲିବା ସମ୍ଭାବନା ରହିଛି ବୋଲି ଜିଲ୍ଲାପାଳ ସୂଚନା ଦେବା ପରେ ଲୋକଙ୍କ ମନରେ ଦ୍ବିତୀୟ ବିମାନ ଚଳାଚଳର ଆଶା ଦେଖାଦେଇଛି। ଏହା କେବେ ଚାଲିବ ତାହାକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି। ଯେହେତୁ ଗୋଟିଏ ବିମାନ ଚଳାଚଳ କରୁଛି ସମୟସାରଣୀ ଏଭଳି ରହିଛି ଯେ ଯେଉଁ ପଟକୁ ଯିବାଆସିବା କଲେ କାମ ସାରି ଫେରିବା ସମ୍ଭବ ନୁହେଁ। ତେଣୁ ଦିନକ ରହିବାକୁ ପଡିବ । ଦୁଇଟି ବିମାନ ଚଳାଚଳ କଲେ ଏହି ସମସ୍ୟା ଦୂର ହୋଇ ପାରିବ ବୋଲି ବହୁ ଯାତ୍ରୀ ମତ ଦେଇଛନ୍ତି। ଏହା ସହ ବିମାନ ଗୁଡିକର ବୈଷୟିକ ମରାମତି, ରକ୍ଷଣାବେକ୍ଷଣ ଆଦି ବି ଠିକରେ ହୋଇ ପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର