ତାଲିମ ନେଲେ ବିଧାୟକ : ଗଣତନ୍ତ୍ରରେ ଗ୍ରହଣ ନ ଲାଗୁ, ଲୋକଙ୍କ ସହ ଯୋଡ଼ି ହୁଅ, ସରଳ ଜୀବନଯାପନ କର – ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଗଣତାନ୍ତ୍ରିକ ବ୍ୟବସ୍ଥାରେ ମତଭେଦ ରହିବା ସ୍ବାଭାବିକ। କିନ୍ତୁ ମତଭେଦ ଥିଲେ ବି ଗଣତନ୍ତ୍ରର ମୂଲ୍ୟବୋଧରେ ଗ୍ରହଣ ନ ଲାଗୁ। ଏଥି ପ୍ରତି ସବୁ ବିଧାୟକ, ବିଧାୟିକା ଯତ୍ନବାନ ହେବା ଦରକାର। ଭାରତର ଲୋକମାନଙ୍କର ଗଣତନ୍ତ୍ର ପ୍ରତି ପ୍ରଗାଢ଼ ବିଶ୍ବାସ ଯୋଗୁଁ ପ୍ରତିବର୍ଷ ଆମ ବ୍ୟବସ୍ଥା ଅଧିକରୁ ଅଧିକ ସଶକ୍ତ ହେବାରେ ଲାଗିଛି। ଲୋକମାନେ ହିଁ ଗଣତନ୍ତ୍ରର ମାଲିକ ସଦୃଶ। ଏହି ମୂଲ୍ୟବୋଧକୁ ସବୁ ସଦସ୍ୟ ଉପଲବ୍ଧି କରିବା ଉଚିତ। ଯିଏ ଯେଉଁ ଆସନରେ ଥାଉ ପଛକେ ଜନପ୍ରତିନିଧମାନେ ସାଧାରଣ ଲୋକଟିର ସ୍ବାର୍ଥ ରକ୍ଷା ପାଇଁ କାର୍ଯ୍ୟ କରିବାକୁ ପଡ଼ିବ। ଆଜି ଷୋଡ଼ଶ ବିଧାନସଭାର ବିଧାୟକ ଓ ବିଧାୟିକାମାନଙ୍କ ପାଇଁ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦସ୍ୟମାନଙ୍କୁ ଏପରି ପରାମର୍ଶ ଦେଇଛନ୍ତି। ତାଲିମ କାର୍ଯ୍ୟକ୍ରମର ପ୍ରଥମ ଦିନରେ ବିଧାନସଭା କମିଟି ବ୍ୟବସ୍ଥା, ବୈଧାନିକ ପ୍ରକ୍ରିୟା ଓ ସଂସଦୀୟ ବିେଶଷାଧିକାର ଉପରେ ସଦସ୍ୟମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି।

ବିଧାନସଭା ନୂଆ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ତାଲିମ୍‌ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ, ଲୋକେ ଆମକୁ ନିର୍ବାଚିତ କରିଛନ୍ତି। ସେମାନଙ୍କ ଭଲମନ୍ଦରେ ଆମକୁ ଯୋଡ଼ି ହୋଇ ରହିବାକୁ ପଡ଼ିବ। ଜନପ୍ରତିନିଧି ଭାବେ ସରଳ ଜୀବନଯାପନ କରିବା ଏକାନ୍ତ ଜରୁରୀ। ଆଇନ ତିଆରି କରିବାବେଳେ ଲୋକଙ୍କ ସମୂହ ସ୍ବାର୍ଥକୁ ଦୃଷ୍ଟିରେ ରଖିବାକୁ ପଡ଼ିବ। ଯେ କୌଣସି ଆଇନ ପ୍ରଣୟନ କରିବା ପୂର୍ବରୁ ସର୍ବସାଧାରଣଙ୍କ ମତାମତ ନେବା ଜରୁରୀ। ଲୋକଙ୍କ ପାଇଁ ସ୍ବର ଉଠାଇବା ବେଳେ ଗଣତାନ୍ତ୍ରିକ ବିଧିବ୍ୟବସ୍ଥାରୁ ଯେପରି କୌଣସି ପ୍ରକାରେ ବିଚ୍ୟୁତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ରଖିବା ଆମ ସମସ୍ତଙ୍କର ଦାୟିତ୍ବ। ଏହି ଅବସରରେ ସବୁ ସଦସ୍ୟ ନିଜ ଜୀବନରେ ସରଳତା ଆପଣାଇବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପ୍ରଥମ ଦିନରେ ବିଧାନସଭା ସ୍ଥାୟୀ କମିଟି ବ୍ୟବସ୍ଥା ସମ୍ପର୍କରେ ସଦସ୍ୟମାନଙ୍କୁ ଲୋକସଭା ସଚିବାଳୟ ନିର୍ଦ୍ଦେଶକ ଏମ.କେ. ମଧୁସୂଦନ ଅବଗତ କରାଇଥିଲେ। ସେହିପରି ଅପରାହ୍ନରେ ବୈଧାନିକ ପ୍ରକ୍ରିୟା ନେଇ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଲୋକସଭା ସଚିବାଳୟ ପି.ଆର.ଆଇ.ଡି.ଇର ନିର୍ଦ୍ଦେଶକ ପୁଲିନ୍ ଭୂତିଆ ଉଦବୋଧନ ଦେଇଥିଲେ। ଏହାସହିତ ସଂସଦୀୟ ବିଶେଷାଧିକାର, ପ୍ରଥା, ପରମ୍ପରା ଓ ଶିଷ୍ଟାଚାର ବିଷୟରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସଦସ୍ୟ ଓ ସଦସ୍ୟାମାନଙ୍କୁ ଅବଗତ କରାଇଥିଲେ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନେଇ ଉତ୍ସାହିତ ଅଛନ୍ତି ନବ ନିର୍ବାଚିତ ବିଧାୟକ ଓ ବିଧାୟିକା। ବିଜେଡି ବିଧାୟିକା ଲତିକା ପ୍ରଧାନ କହିଥିଲେ, ସ୍ଥାୟୀ କମିଟିର ରୂପରେଖ ନେଇ ବହୁତ କିଛି ଶିଖିବାକୁ ମିଳିଲା। ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ତାଙ୍କୁ ବେଶି ପ୍ରଭାବିତ କରିଛି। ଜନପ୍ରତିନିଧିମାନଙ୍କୁ ଲୋକମାନେ ନିର୍ବାଚିତ କରିଛନ୍ତି। ଆଉ ସେମାନଙ୍କ ପାଇଁ ଉତ୍ସର୍ଗୀକୃତ ରହିବାକୁ ମୁଖ୍ୟମନ୍ତ୍ରୀ ଦେଇଥିବା ପରାମର୍ଶକୁ ସେ ପାଳନ କରିବେ ବୋଲି କହିଥିଲେ। ସେହିପରି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ କହିଥିଲେ, ଏପରି କାର୍ଯ୍ୟକ୍ରମ ଯୋଗୁଁ ସଂସଦୀୟ ପରମ୍ପରା ବିଷୟରେ ଅନେକ କିଛି ଶିଖିବାକୁ ମିଳିଛି। ଏହି ପ୍ରଶିକ୍ଷଣ ଆଗକୁ ଗୃହ ଭିତରେ ଅନେକ ଉପାଦେୟ ହେବ।

ଉଦଘାଟନୀ କାର୍ଯ୍ୟକ୍ରମରେ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପୌରୋହିତ୍ୟ କରିଥିବାବେଳେ ଉପବାଚସ୍ପତି ରଜନୀକାନ୍ତ ସିଂ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ବିଧାନସଭା ସଚିବ ଦାଶରଥୀ ଶତପଥୀ ଅଭିଭାଷଣ ରଖିଥିଲେ।

ସମ୍ବନ୍ଧିତ ଖବର