ଆଉ ଦୁଇଦିନ କୋହଲା ପାଗ

ଭୁବନେଶ୍ୱର : ଓଡ଼ିଶା ଉପକୂଳରେ ଗତକାଲିଠାରୁ ଲଘୁଚାପ ଦୁର୍ବଳ ହୋଇସାରିଛି। ତଥାପି ରାଜ୍ୟରେ ବିଶେଷ କରି ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ଗତ ଦୁଇଦିନ ଧରି ଲାଗି ରହିଛି କୋହଲା ପାଗ। ଏଭଳି ପାଗ ଆହୁରି ଦୁଇଦିନ ଲାଗି ରହିବ ବୋଲି ପୂର୍ବାନୁମାନ କରାଯାଇଛି।

ପାଣିପାଗବିତ୍‌ଙ୍କ କହିବାନୁସାରେ ଲଘୁଚାପ ହଟିଯାଇଥିଲେ ବି ବର୍ତମାନ ରାଜ୍ୟରେ ଜଳୀୟବାଷ୍ପ ଭରି ରହିଛି। ଘରୋଇ ପାଣିପାଗ ସଂସ୍ଥା ସ୍କାଇମେଟ୍‌ର ସୂଚନା ମୁତାବକ ବର୍ତମାନ ଓଡ଼ିଶାରୁ ଏକ ଟ୍ରଫ୍‌ ଲାଇନ ବାହାରି ତାମିଲନାଡ଼ୁ ଉପକୂଳ ଯାଏଁ ଲମ୍ବିଛି। ଏହା ଜଳୀୟବାଷ୍ପ ସଂସ୍ପର୍ଶରେ ଆସି କେଉଁଠି ବଡ଼ ଧରଣର ବର୍ଷା କରାଉଛି। ଅନ୍ୟ ସ୍ଥାନଗୁଡ଼ିକରେ କାଁ ଭାଁ ବର୍ଷା ହେଉଛି। ଏହି ଅବସ୍ଥାରେ ଶୀତ ଫେରିବାକୁ ଆଉ ୨/୩ ଦିନ ସମୟ ଲାଗିପାରେ।

ଗତ ୨୪ ଘଣ୍ଟା ମଧ୍ୟରେ ତିର୍ତୋଲରେ ସର୍ବାଧିକ ୮୦ ମିଲିମିଟର ବର୍ଷା ହୋଇଥିଲା। ରାଜକନିକା, ବିଞ୍ଝାରପୁରରେ ୭୦ ମି.ମି., ମାର୍ଶାଘାଇରେ ୬୦ ମି.ମି., ଚାନ୍ଦବାଲିରେ ୫୮.୧ ମି.ମି., କୁଜଙ୍ଗରେ ୫୦ ମି.ମି., କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁରରେ ୪୦ ମି.ମି., ମାହାଙ୍ଗା, କେନ୍ଦ୍ରାପଡ଼ା, କାମାକ୍ଷାନଗର, କନ୍ଧମାଳ, ବାଲିକୁଦା, ଢେଙ୍କାନାଳ, ବରି, ଡେରାବିସ, କଙ୍କଡ଼ାହାଡ଼ରେ ୩୦ ମି.ମି., ପାରାଦୀପରେ ୨୯ ମି.ମି. ହୋଇଥିଲା। ଆଜି ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୬° ସେଲ୍‌ସିୟସ ରେକର୍ଡ ହୋଇଛି। ସେହିପରି ସୁନ୍ଦରଗଡ଼, ହୀରାକୁଦ, ଫୁଲବାଣୀ, ଭବାନୀପାଟଣାରେ ୨୦° ତଳେ ରହିଛି ପାରଦ।

ସମ୍ବନ୍ଧିତ ଖବର