୩୮ ପ୍ରୋବେସନାରି ଆଇଏଏସ୍ ଅଧିକାରୀଙ୍କ ଦୁଇଦିନିଆ ଗଞ୍ଜାମ ଗସ୍ତ

ଛତ୍ରପୁର : ଭାରତୀୟ ପ୍ରାଶାସନିକ ସେବା ଓ ରୟାଲ୍ ଭୁଟାନ୍ ସିଭିଲ୍‌ ସର୍ଭିସ୍ ୨୦୨୧ ବ୍ୟାଚ୍‌ର ୩୮ ଜଣ ଅଧିକାରୀ ଦୁଇଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ପହଞ୍ଚିଛନ୍ତି। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା‌ କୁଲାଙ୍ଗେ ସମସ୍ତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ଏହି ଅଧିକାରୀମାନେ ଜିଲ୍ଲା ପ୍ରଶାସନ ଦ୍ବାରା କାର୍ଯ୍ୟକାରୀ ବିଭିନ୍ନ ବିକାଶମୂଳକ ଯୋଜନା ବିଷୟରେ ଅବଗତ ହୋଇଥିଲେ। ମସୁରୀରେ ଥିବା ଲାଲବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଏକାଡେମି ଅଫ୍ ଆଡମିନିଷ୍ଟ୍ରେସନରୁ ଏହି ୩୮ ଜଣ ଅଧିକାରୀ ଅନୁଷ୍ଠାନର ଯୁଗ୍ମ ନିର୍ଦ୍ଦେଶିକା ରାଧିକା ରସ୍ତୋଗିଙ୍କ ନେତୃତ୍ବରେ ଗଞ୍ଜାମ ଜିଲ୍ଲାରେ ପହଞ୍ଚିଛନ୍ତି। ଅନୁଷ୍ଠାନ ଦ୍ବାରା ପରିଚାଳିତ ଭାରତ ଦର୍ଶନ କାର୍ଯ୍ୟକ୍ରମର ଏହା ଅଂଶବିଶେଷ। ଏହା ଏକ ଅଧ୍ୟୟନ ଯାତ୍ରା ବୋଲି ସୂଚନା ମିଳିଛି।

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ସମସ୍ତଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବା ସହ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ମନ‌ରେଗା, ଗ୍ରାମ୍ୟ ପରିମଳ, ଜୀବନ ଜୀବିକା ମିସନ୍, ଅମୃତ ସରୋବର ଯୋଜନା, ଗ୍ରାମପଞ୍ଚାୟତ ପାର୍କ, ପୋଖରୀ, ପର୍ଯ୍ୟଟନସ୍ଥଳୀର ବିକାଶ, ମୋ’ଗେହ୍ଲା ଝିଅ, ନିର୍ଭୟ କଢ଼ି, ସ୍ବୟଂସିଦ୍ଧ, ମୋ’ଗାଁରେ ତହସିଲ ଓ ରାଜସ୍ବ ରଥ ପରିକ୍ରମା ସମେତ ବିଭିନ୍ନ ଯୋଜନା ବିଷୟରେ ଅଧିକାରୀମାନଙ୍କୁ ସୂଚନା ଦିଆଯାଇଥିଲା। ଅନୁଷ୍ଠାନର ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ ‌ରସ୍ତୋଗି ଗଞ୍ଜାମ ଜିଲ୍ଲାର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଶୈଳିୀକୁ ପ୍ରଶଂସା କରିଥିଲେ। ଡିଆରଡିଏ ପିଡି ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ବିଏମସି କମିସନର ଡ.ସିଦ୍ଧେଶ୍ବର ବଳିରାମ ବୋନ୍ଦାର ଓ ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ତ୍ତିଭାସନ୍ ବିଭିନ୍ନ ଯୋଜନା ବିଷୟରେ ସମ୍ୟକ୍ ସୂଚନା ଦେଇଥିଲେ। ଆଇଏଏସ୍ ଅଧିକାରୀ ଡ.ରୀନା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା  ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ରାୟ ଉପସ୍ଥିତ ଥିଲେ।
୩୮ ଜଣ ଅଧିକାରୀ ବ୍ରହ୍ମପୁର ସ୍ଥିତ ସ୍ପୋର୍ଟସ୍ ଏରେନା, ରାମଲିଙ୍ଗେଶ୍ବର ପାର୍କ, ମିସନ୍ ଶକ୍ତି ଡାଇରି ପ୍ରୋଜେକ୍ଟ, ତାମ୍ପରା, ମା’ତାରାତାରିଣୀ ମନ୍ଦିର, ଜଉଗଡ଼, କାଳେଶ୍ବର ପାର୍କ, ମଡ଼େଲ୍ ଭିଲେଜ୍ ଓ ଅଙ୍ଗନବାଡ଼ି କେନ୍ଦ୍ର, ଗୋପାଳପୁର ପୋର୍ଟ, ଗୋପାଳପୁର ବେଳାଭୂମି ଓ ଟାଟା ପ୍ୟାକିଂ ୟୁନିଟ୍, ରଙ୍ଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ଚାନ୍ଦପୁର ପଞ୍ଚାୟତରେ ହୋଇଥିବା ନୂତନ ପଞ୍ଚାୟତ ଗୃହ, ସୌନ୍ଦର୍ଯ୍ୟୀକରଣ, ମିସନ୍ ଶକ୍ତି ଗୃହ ଓ ଛତୁ ଚାଷ ସମେତ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର