ବାଲେଶ୍ୱର : ରେମୁଣା ବ୍ଲକ୍ କରଞ୍ଜିଆ ପଞ୍ଚାୟତ କାସିମାବାଦ ଗାଁର ଡାଇରିଆରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଗାଁର ୧୦ରୁଅଧିକ ଲୋକ ଏଥିରେ ସଂକ୍ରମିତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସପ୍ତାହେ ହେଲା ଗାଁରେ ଡାଇରିଆ ବ୍ୟାପିଛି। ୨୨ ତାରିଖ ଦିନ ରାମହରି ସିଂଙ୍କ ପତ୍ନୀ ବାସନ୍ତି (୫୨)ଙ୍କୁ ଝାଡ଼ାବାନ୍ତି ହୋଇଥିଲା। ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ପରଦିନ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ସନ୍ୟାସୀ ସିଂଙ୍କ ପୁଅ ଶୁକୁରା(୨୦)ଙ୍କ ଗତକାଲି କଟକ ବଡ଼ ମେଡିକାଲରେ ମୃତ୍ୟୁ ହୋଇ ଯାଇଛି। ପ୍ରଥମେ ସନ୍ୟାସୀଙ୍କ ବଡ଼ପୁଅ ଭଗବାନ ଓ ବୋହୂ ମାମିନା ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଉଭୟଙ୍କୁ ବାଲେଶ୍ୱରରୁ କଟକ ସ୍ଥାନାନ୍ତର କରା ଯାଇଥିଲା। ସହାୟତା କରିବାକୁ ସେମାନଙ୍କ ସହ ଶୁକୁରା କଟକ ଯାଇଥିଲେ। ହେଲେ ସେଠାରେ ସେ ଡାଇରିଆ ସଂକ୍ରମଣର ଶିକାର ହୋଇଥିଲେ।
ଏହି ଘଟଣା ପରେ ଗାଁରେ ଏନେଇ ଭୟ ସୃଷ୍ଟି ହୋଇଛି। ଏବେ ଗାଁର ୧୦ରୁ ଉର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଛନ୍ତି। ଧିରେଧିରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ବର୍ତ୍ତମାନ ବାଲେଶ୍ୱର ମେଡିକାଲରେ ଏହି ଗାଁର ୭ଜଣ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ମୁନା ସିଂ ଓ ମଂଜୁ ସିଂଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଖବର ଜାଣିବା ପରେ ଗାଁରେ ମେଡିକାଲ ଟିମ୍ ପହଞ୍ଚି ଲୋକମାନଙ୍କୁ ସଚେତନ କରାଇବା ସହ ଔଷଧ ବାଣ୍ଟିଛି। ବନ୍ୟାଜଳ ପଶିବା ଯୋଗୁଁ ଜଳ ଉତ୍ସ ଦୂଷିତ ହୋଇଛି। ଏହି ପାଣି ପିଇ ଡାଇରିଆ ବ୍ୟାପିଛି ବୋଲି ସିଡିଏମଓ ଡା. ବିବେକାନନ୍ଦ ଦାସ କହିଛନ୍ତି। ଏଣେ ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଆକ୍ରାନ୍ତ ଓ ମୃତ ଆଦିବାସୀ ମାନଙ୍କୁ ସମସ୍ତ ସରକାରୀ ସୁବିଧା ଓ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ବିଭିନ୍ନ ସଂଗଠନ ଦାବି କରିଛନ୍ତି। ଡାଇରିଆ ରୋଗର ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉପଯୁକ୍ତ ବ୍ୟବସ୍ଥା କରା ନଗଲେ ଆଗାମି ଦିନରେ ସଂଗଠନ ଆନ୍ଦୋଳନ କରିବ ବୋଲି ଯୁବ ଓଡ଼ିଶା ପକ୍ଷରୁ ଚେତାବନୀ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/direa-balasore.jpg)