ପ୍ରଶିକ୍ଷଣ ବେଳେ କାମାକ୍ଷାନଗରରେ ଖସିପଡ଼ିଲା ବିମାନ, ପାଇଲଟଙ୍କ ସହ ଜଣେ ଛାତ୍ରୀ ମୃତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ବିରାଶାଳ ଏୟାରଷ୍ଟ୍ରିପରେ ତାଲିମ ଚାଲିଥିବାବେଳେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଦୁଇଜଣ ପ୍ରାଣ ହରାଇଛନ୍ତି ।  ପ୍ରଶିକ୍ଷକ ପାଇଲଟଙ୍କ ସହ ପ୍ରଶିକ୍ଷଣ ନେଉଥିବା ଜଣେ ଛାତ୍ରୀଙ୍କର ମୃତ୍ୟୁ ଘଟିଛି  ।

ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ବିରାଶାଳ ସରକାରୀ ବିମାନ ପ୍ରଶିକ୍ଷଣ କେନ୍ଦ୍ରରେ ସୋମବାର ସକାଳେ ବିମାନ ଦୁର୍ଘଟଣାରେ ମୁଖ୍ୟ ପ୍ରଶିକ୍ଷକଙ୍କ ସମେତ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ସେମାନେ ହେଲେ ମୁଖ୍ୟ ପ୍ରଶିକ୍ଷକ କ୍ୟାପଟେନ ସଂଜୀଭ କୁମାର ଝା ଓ ପ୍ରଶିକ୍ଷଣ ନେଉଥିବା ଛାତ୍ରୀ ପାଇଲଟ ଅନିଶ ଫାତିମା ।

ମୁଖ୍ୟ ପ୍ରଶିକ୍ଷକଙ୍କ ଘର ଝାଡ଼ଖଣ୍ଡରେ ହୋଇଥିବା ବେଳେ ଛାତ୍ରୀଙ୍କ ଘର ତାମିଲନାଡ଼ୁରେ । ସକାଳୁ ସେନା—୧୨୫ ଦୁଇସିଟ ବିଶିଷ୍ଠ ଟ୍ରେନି ପାଇଁ ଉଡାଣ ଆରମ୍ଭ କରିଥିବା ବେଳେ ପ୍ରାୟ ୧୦୦ ଫୁଟ ଉପରୁ ହଠାତ ଖସିପଡ଼ିଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ବିଭାଗୀୟ ଆମ୍ବୁଲାସରେ ନିଆଯାଇଥିଲା। ଦୁହିଁକୁ ଡାକ୍ତର ମୃତ ଘୋଷଣା କରିଥିଲେ । ମେଡିକାଲରେ ଖଣି, ଇସ୍ପାତ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଉପସ୍ଥିତ ଥାଇ ଘଟଣାକୁ ତଦନ୍ତ କରାଯିବା ସହିତ ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଥିଲେ ।

 

ସମ୍ବନ୍ଧିତ ଖବର