କଟକ-ପାରାଦୀପ ରାସ୍ତାରେ ଦୁଘର୍ଟଣା : ଦୁଇ ମୃତ, ତିନି ଗୁରୁତର

କୂଅ ସଫା କରିବା ବେଳେ ଅଘଟଣ : ଶ୍ବାସରୁଦ୍ଧ ହୋଇ ଜଣେ ମୃତ, ୨ ଗୁରୁତର

କୁଜଙ୍ଗ/ରାହାମା : ଆଜି ସନ୍ଧ୍ୟା ୭ଟା ବେଳେ କଟକ-ପାରାଦୀପ ରାଜପଥର ପଙ୍କପାଳ ଗଡ଼ାଠାରେ ଏକ ଯାତ୍ରୀବାହୀ ଅଟୋ ସହିତ ଟାଟା ସଫାରୀ ମୁହାମୁହିଁ ଧକ୍କା ଲାଗିବାରୁ ୨ଜଣ ଅଟୋ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ମୃତକଦ୍ବୟଙ୍କ ଭିତରୁ ଜଣେ ମହିଳା ତରିକୁନ୍ଦ ଅଞ୍ଚଳର ଚୂଡି ବ୍ୟବସାୟୀ ସତୀ ସିଂହ ବୋଲି ଜଣାପଡ଼ିଥିବା ବେଳେ ଅନ୍ୟ ଜଣକ ଅଟୋ ଚାଳକ ବୋଲି କୁହାଯାଉଛି। ତେବେ ତାଙ୍କର ପରିଚୟ ମିଳିପାରି ନାହିଁ। ଅଟୋରେ ଥିବା ୮ଜଣ ଯାତ୍ରୀଙ୍କ ଭିତରୁ ୩ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆହତମାନଙ୍କ ମଧ୍ୟରେ ସ୍ଥାନୀୟ ମହ୍ଲାସାହି ପଞ୍ଚାୟତ ନେଙ୍କୁର କୁଦ ଏବଂ ଟେଣ୍ଟେଇକୁଦ ଗ୍ରାମର ଲୋକ ଅଛନ୍ତି। ଦୁର୍ଘଟଣା ପରେ ପରେ ସ୍ଥାନୀୟ ଲୋକେ କଟକ-ପାରାଦୀପ ରାଜପଥ ଅବରୋଧ କରିଥିଲେ। ପୁଲିସ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହର ହୋଇଛି।

କୂଅ ସଫା କରିବା ବେଳେ ଅଘଟଣ : ଶ୍ବାସରୁଦ୍ଧ ହୋଇ ଜଣେ ମୃତ, ୨ ଗୁରୁତର

ଅତାବିରା : ବରଗଡ଼ ଜିଲ୍ଲା ଅତାବିରା ଏନ୍‌ଏସିର ୱାର୍ଡ ନଂ.୪ ଦୁର୍ଗା ମନ୍ଦିର ପଛପଟେ ଥିବା କଟକିଆ ପଠାଣ ପଡ଼ାରେ ମଙ୍ଗଳବାର କୂଅ ସଫା କରିବା ବେଳେ ଶ୍ବାସ ରୁଦ୍ଧ ହୋଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଓ ନାତି ଗୁରୁତର ଭାବେ ଅସୁସ୍ଥ ହୋଇଛନ୍ତି। ପ୍ରାପ୍ତ ସୂଚନାନୁସାରେ ଆଜି ସକାଳ ପ୍ରାୟ ୧୦ଟା ବେଳେ ପଡ଼ାର ଲତିଫ ଖାଁ (୭୦) ନିଜର ଘର କୂଅ ସଫା କରିବାକୁ ଭିତରକୁ ଓହ୍ଲାଇଥିଲେ। ପ୍ରାୟ ୨୦/୨୫ ଫୁଟ୍‌ ତଳକୁ ଯିବା ପରେ ଶ୍ବାସ ରୁଦ୍ଧ ହୋଇ ପାଟି କରିବାରୁ ତାଙ୍କ ପୁଅ ସରିଫ ଖାଁ ଓରଫ ବୁଠି (୩୫) ବାପାଙ୍କୁ ବଞ୍ଚାଇବାକୁ ଭିତରକୁ ଯାଇଥିଲେ। ତେବେ ସେ ମଧ୍ୟ ଶ୍ବାସରୁଦ୍ଧ ହୋଇଯିବା ଫଳରେ ନାତି ହବିବ୍‌ (୨୮) ଭିତରକୁ ଓହ୍ଲାଇ ଶ୍ବାସରୁଦ୍ଧ ହୋଇ ଅଚେତ ହୋଇଯାଇଥିଲେ। ଏହା ଦେଖି ପରିବାର ଲୋକେ ତୁରନ୍ତ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଅଗ୍ନିଶମ କର୍ମଚାରୀ ୩ ଜଣଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଅତାବିରା ଡାକ୍ତରଖାନାକୁ ନେଇଥିଲେ। ମାତ୍ର ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ବୁର୍ଲାରେ ଡାକ୍ତର ଲତିଫ୍‌ଙ୍କୁ ମୃତ ଘୋଷଣା କରିଥିଲେ।

କନକ ବର୍ଦ୍ଧନଙ୍କ ଗାଡ଼ି ଦୁର୍ଘଟଣା

ଖାରୀ : ସୋନପୁର ଥାନା ହରଡ଼ଖୋଳ ଫାଣ୍ଡି ଅଧୀନ ଖମ୍ବେଶ୍ବରିପାଲି ଠାରେ ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଓ ତାଙ୍କ ସ୍ତ୍ରୀ ପୂର୍ବତନ ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କ ଗାଡ଼ି ଦୁର୍ଘଟଣା ହୋଇଛି। ଏହି ଦମ୍ପତି ଏକ ଫରଚ୍ୟୁନ କାର୍‌ (ଓଆର୍ ୦୨ ବିସି ୦୦୨୩)ରେ ଭୁବନେଶ୍ବରରୁ ପାଟଣାଗଡ଼ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଏକ ଗାଈ ରାସ୍ତା ଉପରକୁ ଆସି ଯିବାରୁ ଡ୍ରାଇଭର ହଠାତ୍ ବ୍ରେକ ଦେଇଥିଲା। ଫଳରେ କାରଟି ରାସ୍ତା କଡ଼ରେ ଥିବା ଏକ ଟ୍ୟାଙ୍କରରେ ବାଡ଼େଇ ହୋଇଥିଲା। କାର୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଛି। ତେବେ ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇ ନାହିଁ। ଦୁର୍ଘଟଣା ପରେ ସିଂହଦେଓ ଦମ୍ପତି ସୋନପୁରୁ ଆଉ ଏକ ଗାଡ଼ି ଡାକି ପାଟଣାଗଡ଼ ଯାଇଥିଲେ।

ସମ୍ବନ୍ଧିତ ଖବର