ଟ୍ରକ୍‌ ପଛରେ ପିଟିହେଲା ଆମ୍ବୁଲାନ୍ସ : ରୋଗୀ ସମେତ ୨ ମୃତ, ୪ ଆହତ

ଦଶରଥପୁର/ବୈରୀ : ଯାଜପୁର ଜିଲ୍ଲା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥରେ ଏକ ଟ୍ରକ୍‌ ପଛରେ ପିଟିହୋଇ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ, ଆମ୍ବୁଲାନ୍ସରେ ଥିବା ରୋଗୀ ଏବଂ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି।

ମୃତ ରୋଗୀ ହେଲେ, ମଙ୍ଗଳପୁର ଥାନା ଅନ୍ତର୍ଗତ ଛତ୍ରପଡା ଗ୍ରାମର ନାରାୟଣ ଜେନାଙ୍କ ପତ୍ନୀ ଶଶି ଜେନା(୬୭)। ଶଶି ବିଷ ପିଇ ଗୁରୁତର ହେବାରୁ ତାଙ୍କୁ ଏକ ଆମ୍ବୁଲାନ୍ସରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଆମ୍ବୁଲାନ୍ସରେ ମହିଳାଙ୍କ ସହିତ ତାଙ୍କ ସମ୍ପର୍କୀୟ ଥିଲେ। ଆମ୍ବୁଲାନ୍ସଟି ୧୬ ନମ୍ବର ଜାତୀୟ ରାଜପଥ ରୟାତ ଇଞ୍ଜିନିୟରିଂ ପାଖରେ ଏକ ଟ୍ରକ୍‌କୁ ପଛପଟୁ ଜୋର୍‌ରେ ଧକ୍କା ଦେବା ସହିତ ଟ୍ରକ୍‌ ଭିତରକୁ ପଶି ଯାଇଥିଲା। ଫଳରେ, ଏହି ଭୟଙ୍କର ଦୁର୍ଘଟଣା ଯୋଗୁ ଘଟଣାସ୍ଥଳରେ ରୋଗୀ ଏବଂ ଆମ୍ବୁଲାନ୍ସ ହେଲପରଙ୍କ ମୃତ୍ୟୁ ଘଟିଥିଲା।

ଅନ୍ୟପକ୍ଷରେ, ମହିଳାଙ୍କ ପୁଅ , ୨ ନାତି ଓ ଆମ୍ବୁଲାନ୍ସ ଡ୍ରାଇଭର୍‌ ଆହତ ହୋଇଥିବାବେଳେ ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଘଟଣା ପରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଏବଂ ମୃତ ରୋଗୀଙ୍କ ସଂପର୍କୀୟ ଅପରାହ୍‌ଣ ୫ଟାରୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫାଟକ ସମ୍ମୁଖ ରାସ୍ତାରେ ଶବ ରଖି ଧାରଣାରେ ବସିଥିଲେ। ଫଳରେ, ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର