ବଜ୍ରାଘାତରେ ୨ ମୃତ, ୫ ଆହତ

ବାଲେଶ୍ୱର : ଆଜି ଅପରାହ୍‌ଣରେ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା। ପବନ ଯୋଗୁ ବହୁ ବଡ ବଡ ଗଛ ଭାଙ୍ଗି ପଡିବା ସହିତ ବିଦ୍ୟୁତ ତାର ଛିଣ୍ଡି ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ବିଚ୍ଛିନ୍ନ ହୋଇଥିଲା। ଆଜି ଅପରାହ୍ନ ୩ଟା ବେଳେ ହଠାତ୍‌ ଚାରିଆଡ଼େ ଅନ୍ଧକାର ହୋଇ ମାଡ଼ିଆସିଥିଲା ପବନ, ଘଡ଼ଘଡ଼ି ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରାଘାତରେ ବାଲେଶ୍ବର ଜିଲ୍ଲାର ୨ ଜଣ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଦୁହେଁ ହେଲେ ସିଂଲା ଥାନା ଅଧୀନ ଚକସାର୍ଥାର ବାବୁରାମ ସିଂ(୪୫) ଓ ବାସୁଦେବ ଜେନା(୨୭)। ଚିଙ୍ଗୁଡ଼ିଘେରିରେ ଦୁହେଁ ଏକ ପାଣିପମ୍ପ ସଜାଡ଼ିବାକୁ ଯାଇଥିବା ବେଳେ ବଜ୍ରାଘା‌ତର ଶିକାର ହୋଇଥିଲେ। ସେମାନଙ୍କ ସହ ନିକଟରେ ଆଉ ୩ ଜଣ ମଧ୍ୟ ଥିଲେ। ଘରକୁ ଫେରିବାବେଳେ କାଳବୈଶାଖୀ ଯୋଗୁ ସେମାନେ ସେହି ଚିଙ୍ଗୁଡ଼ି ଘେରିରେ ଥିବା କୁଡ଼ିଆ ଘରେ ଆଶ୍ରୟ ନେଇଥିଲେ। ପ୍ରଥମେ ମୃତ ୨ ଜଣଙ୍କୁ ଓ ତାଙ୍କ ପଛରେ ଆହତମାନଙ୍କୁ ଘଟଣାସ୍ଥଳରୁ ବାଲେଶ୍ବର ଜିଲ୍ଲା ହସ୍ପିଟାଲକୁ ଅଣାଯାଇଥିବା ଜଣାପଡ଼ିଛି। ଏହାପରେ ଡାକ୍ତର ବାବୁରାମ ଓ ବାସୁଦେବଙ୍କୁ ମୃତ ଘୋଷଣା କରିଥିଲେ। ଆହତମାନଙ୍କ ନାଁ ଜଣାପଡ଼ିନାହିଁ। ଏନେଇ ଜିଲ୍ଲା ହସ୍ପିଟାଲ ଫାଣ୍ଡିରେ ଅପମୃତ୍ୟୁ ମାମଲା ରୁଜୁ ହୋଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡ଼ିଛି। ସେହିପରି ଜଳେଶ୍ବରରେ ମଧ୍ୟ ବଜ୍ରପାତରେ ୨ ଜଣ ଗୁରୁତର ହୋଇଛନ୍ତି।

ସମ୍ବନ୍ଧିତ ଖବର