ରାଉରକେଲା, : ରାଉରକେଲାର ସେକ୍ଟର-୯ସ୍ଥ ବିକାଶ ଗ୍ଲୋବାଲ୍ ସ୍କୁଲର ଗେଟ୍ ଭାଙ୍ଗି ପଡିଯିବାରୁ ଜଣେ ସୁରକ୍ଷାକର୍ମୀ ଓ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି। ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାରେ ଏହି ଅଘଟଣ ଘଟିଥିଲା। ମୃତକମାନେ ହେଲେ ସ୍କୁଲରେ ସୁରକ୍ଷାକର୍ମୀ ଭାବେ ନିଯୁକ୍ତ ସେକ୍ଟର-୧୯ ହମିରପୁରର ଗାନ୍ଧିରାମ ରାଉତ (୫୮) ଓ ଜଣେ ନାବାଳକ ସେକ୍ଟର-୯ ବସ୍ତିର ସୂରଜ ଚୌଧୁରୀ (୧୬)। ସୂରଜ ସେଠାରେ କାମ କରୁଥିବା ଅନ୍ୟଜଣେ ସୁରକ୍ଷାକର୍ମୀଙ୍କ ପୁଅ ବୋଲି କୁହାଯାଉଛି।
ମିଳିଥିବା ସୂଚନା ମୁତାବକ, ଏକ ଘରୋଇ ସିକ୍ୟୁରିଟି ସଂସ୍ଥା ଅଧୀନରେ ଗାନ୍ଧିରାମ ରାଉତ ଓ ଅନ୍ୟ ସୁରକ୍ଷାକର୍ମୀ ସେକ୍ଟର-୯ସ୍ଥ ଘରୋଇ ଇଂରାଜୀ ମାଧ୍ୟମ ବିକାଶ ଗ୍ଲୋବାଲ୍ ସ୍କୁଲରେ ଡ୍ୟୁଟି କରୁଥିଲେ। ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାରେ ଗାନ୍ଧିରାମ ସ୍କୁଲର ମୁଖ୍ୟ ଫାଟକ ନିକଟରେ ଡ୍ୟୁଟି କରୁଥିଲେ। ସେହିସମୟରେ ପାଖରେ ରହୁଥିବା ସୂରଜ ସ୍କୁଲ ଗେଟ୍ ନିକଟକୁ ଆସିଥିଲେ। ଗେଟ୍ ଖୋଲି ଭିତରକୁ ପଶିବାକୁ ଗାନ୍ଧିରାମ ଓ ସୂରଜ ଉଭୟ ପାର୍ଶ୍ବରୁ ଗେଟ୍କୁ ଠେଲୁଥିଲେ। ତେବେ, ହଠାତ୍ ଗେଟ୍ ଦୁଇଟି ଉଭୟଙ୍କ ଉପରେ ପଡିଯାଇଥିଲା। ଦୁହେଁ ତା ତଳେ ଚାପି ହୋଇ ରହିଯାଇଥିଲେ। ଘଟଣାସ୍ଥଳରେ ଗାନ୍ଧିରାମଙ୍କର ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ସୂରଜଙ୍କୁ ଆର୍ଜିଏଚ୍ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସୂରଜଙ୍କର ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ସେକ୍ଟର-୭ ପୁଲିସ ଓ ସ୍କୁଲର ପରିଚାଳନା କମିଟିର କର୍ମକର୍ତ୍ତା ପହଞ୍ଚିଥିଲେ।
ଏ ସଂକ୍ରାନ୍ତରେ ସ୍କୁଲ ପରିଚାଳନା କମିଟିର ଚିନ୍ମୟ ରଞ୍ଜନ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି, ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ଏହି ଅଘଟଣ ଘଟିଥିଲା। କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଥିଲା, ତାର ତଦନ୍ତ ଚାଲିଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ଚାଲିଛି। ଘଟଣା କାରଣରୁ ଆଜି ଉକ୍ତ ସ୍କୁଲ ବନ୍ଦ ରହିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/rkl-g.jpg)